ନିଆଁରେ ପୋଡିହୋଇ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ମୃତକଙ୍କ ଭାଇ

ଲଖନପୁର/କନକତୋରା: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଛୁଇଁପାଲି ଗ୍ରାମର ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ଛୁଇଁପାଲି ଗ୍ରାମର ବସୁମତି ପ୍ରଧାନ (୬୩) ବୋଲି ଜଣାପଡ଼ିଛି। ତେବେ ଏନେଇ ହତ୍ୟା ସନ୍ଦେହ କରି ମୃତ ମହିଳାଙ୍କ ଭାଇ ରେଙ୍ଗାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହିତ ୩ ଜଣକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତ ବସୁମତିଙ୍କ ବାପ ଘର ସୁନ୍ଦରଗଡ଼ ଜିଲା ହେମଗିର ଅନ୍ତର୍ଗତ କେସେଇଜିମା ଗ୍ରାମ। ସେ ଛୁଇଁପାଲି ଗ୍ରାମର ବୈରାଗୀ ପ୍ରଧାନ (୭୦)ଙ୍କୁ ବୈଦିକ ରୀତିନୀତିରେ ପ୍ରାୟ ୪୦ ବର୍ଷ ପୂର୍ବରୁ ବିବାହ କରିଥିଲେ। ତାଙ୍କର କୌଣସି ପୁଅଝିଅ ମଧ୍ୟ ଲାଭ ହୋଇନଥିଲା। ଗତ ୫ ବର୍ଷରୁ ଊର୍ଦ୍ଧ୍ବ ହେବ ବସୁମତିଙ୍କ ମାନସିକ ସହିତ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହୋଇ ଅସୁସ୍ଥ ରହୁଥିଲେ। ପତ୍ନୀଙ୍କ ଏହିପରି ସ୍ଥିତିକୁ ନେଇ ବୈରାଗୀ ସର୍ବଦା ଚିନ୍ତିତ ରହୁଥିଲେ। ମଙ୍ଗଳବାର ସକାଳ ପ୍ରାୟ ୪ଟାରେ ଘର ନିକଟସ୍ଥ ପାଲ ଗଦାରେ ନିଆଁରେ ଜଳି ବସୁମତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ବନ୍ଧବାହାଲରେ ରହୁଥିବା ବସୁମତିଙ୍କ ସାନ ଭାଇ ନିଜ ବଡ଼ ଭଉଣୀ ବସୁମତିଙ୍କ ଏଭଳି ମୃତ୍ୟୁକୁ ନେଇ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଯଦିଓ ବସୁମତିଙ୍କୁ ହତ୍ୟା କରାଯାଇଥାଏ ତେବେ ଏନେଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରିବା ପାଇଁ ତାଙ୍କ ଭାଇ ଦାବି କରିଛନ୍ତି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଝାରସୁଗୁଡ଼ା ଫରେନ୍ସିକ ଦଳ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଥିବା ପ୍ରକାଶ। ଏହାର ପରୀକ୍ଷା ନିରୀକ୍ଷା ପରେ ଏନେଇ ଅଧିକ ସୂଚନା ମିଳିପାରିବ ବୋଲି ରେଙ୍ଗାଲି ପୁଲିସ ପ୍ରକାଶ କରିଛି।

Comments are closed.