ରାଜଧାନୀରେ ମହିଳାଙ୍କ ପ୍ରତି ବର୍ବରତା: ମଝି ରାସ୍ତାରେ ଗୋଡ଼ାଇ ପିଟିଲେ ଏକାଧିକ ଯୁବକ, ସିସିଟିଭି ଫୁଟେଜ ଭାଇରାଲ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମହିଳା ଅସୁରକ୍ଷିତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ରାଜରାସ୍ତାରେ। ଏକାଧିକ ଯୁବକ ଜଣେ ମହିଳାଙ୍କୁ କିପରି ସ୍ପଷ୍ଟ ଦିବାଲୋକରେ ସର୍ବସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ତାହାର ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ। ମହିଳା ଜଣକ ରାସ୍ତାରେ ଯାଉଥିବାବେଳେ କେତେଜଣ ବ୍ୟକ୍ତି ତାଙ୍କୁ ଅଟକାଇ ପ୍ରଥମେ ଠେଲାପେଲା କରିବା ସହିତ ମାଡ଼ ମାରିଥିଲେ। ଜଣେ ବ୍ୟକ୍ତି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୋଇଠା, ବିଧା ମାରିଥିଲେ। ସେହିବାଟେ ଅନେକ ଲୋକ ଯାତାୟାତ କରୁଥିଲେ ହେଁ କେହି ସେମାନଙ୍କୁ ଅଟକାଇବା ବଦଳରେ ନୀରବଦ୍ରଷ୍ଟା ସାଜିଥିଲେ। ଅଭିଯୁକ୍ତମାନେ ତରଙ୍ଗ କ୍ଲବର ସଦସ୍ୟ ବୋଲି ମହିଳା ଜଣକ କହିଛନ୍ତି। ଲିଙ୍ଗରାଜ ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସିସିଟିଭି ଫୁଟେଜରେ କଏଦ ହୋଇଥିବା ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅଭିଯୁକ୍ତମାନଙ୍କ ଚେହେରା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବୁଧବାର ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି। ପୁଲିସର ନିଷ୍କ୍ରିୟତା ଯୋଗୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Comments are closed.