ଟ୍ରକ ଧକ୍କାରେ ମହିଳା ପରିବା ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

ଗୋପାଳପୁର: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରଣ୍ଢା ଛକରେ ବୁଧବାର ସକାଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣେ ମହିଳା ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତା ଜଣକ ହେଲେ ଚିକରଡ଼ା ଗ୍ରାମର କନକ ବେହେରା(୬୦)। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଗ୍ରାମବାସୀ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି। ରାସ୍ତାରୋକୋ ଫଳରେ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି।

ସୂଚନା ଅନୁସାରେ, କନକ ପରିବା ବ୍ୟବସାୟ କରି ନିଜ ପରିବାର ଚଳାନ୍ତି। ସେ ପ୍ରତିଦିନ ରଣ୍ଢା ପରିବା ମଣ୍ଡିରୁ ପରିବା କିଣି ବ୍ରହ୍ମପୁର ଯାଇ ବିକ୍ରି କରନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳେ। ବୁଧବାର ମଧ୍ୟ ସେ ଘରୁ ବାହାରି ଜାତୀୟ ରାଜପଥ କଡ଼ରେ ଥିବା ରଣ୍ଢା ପରିବା ମଣ୍ଡିକୁ ଆସିଥିଲେ। ଭୋର ପ୍ରାୟ ସାଢ଼େ ୫ଟା ବେଳେ କନକ ରାସ୍ତାପାର୍‌ ହେଉଥିବା ସମୟରେ ଇଚ୍ଛାପୁରରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କନକଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଶତାଧିକ ଗ୍ରାମବାସୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିବା ସହିତ କନକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଲାଗି ଦାବି କରିଥିଲେ। ଏହା ସହିତ ରଣ୍ଢା ଛକରେ ଏକ ଓଭରବ୍ରିଜ ନିର୍ମାଣ କରିବାକୁ ଦାବି କରିଛନ୍ତି। ଉତ୍ତେଜନା ହ୍ରାସ ପାଇ ନ ଥିବାବେଳେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଜାତୀୟ ରାଜପଥ ଅବରୋଧ ଜାରି ରହିଛି। ଫଳରେ ଶହ ଶହ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଛି।

ଖବର ପାଇ ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ଲୋକମାନେ କ୍ଷତି ପୂରଣ ନ ମିଳିବା ଯାଏ ରାସ୍ତାରୋକୋ ପ୍ରତ୍ୟାହାର କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମଧ୍ୟ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛନ୍ତି। ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଏକ ଫୁଟ୍‌ ଓଭରବ୍ରିଜ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.