ଜନମତ ସର୍ବେକ୍ଷଣରେ ‘ପୁଣି ଥରେ ମୋଦୀ ସରକାର’ : ଶେୟାର ବଜାରରେ କାରବାର ଉତ୍ସାହଜନକ

ନୂଆଦିଲ୍ଲୀ : ପୁଣିଥରେ ଏନ୍‍ଡିଏ ନେତୃତ୍ୱାଧୀନ ମୋଦୀ ସରକାର ଫେରିବ ବୋଲି ରବିବାର ସନ୍ଧ୍ୟାରେ ସମସ୍ତ ଜାତୀୟ ଗଣମାଧ୍ୟମର ଏକ୍‍ଜିଟ୍‍ ପୋଲରେ ସ୍ପଷ୍ଟ ହେବା ପରେ ଶେୟାର ବଜାରରେ କାରବାର ବୃଦ୍ଧି ପାଇଛି। ରବିବାର ସେନସେକ୍ସ ସୂଚକାଙ୍କ ୨.୪୯ ପ୍ରତିଶତ ଉପରକୁ ଉଠିଥିବାବେଳେ ନିଫ୍ଟି ମଧ୍ୟ ୨.୧୫ ପ୍ରତିଶତ ବଢ଼ିଛି। ସପ୍ତାହର ପ୍ରଥମ ଦିନ ସୋମବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୯୦୦ ଅଙ୍କରୁ ଅଧିକ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ନିବେଶକମାନଙ୍କୁ ମାତ୍ର ୬୦ ସେକେଣ୍ଡରେ ୩.୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି।

ପ୍ରକାଶଯୋଗ୍ୟ, ପ୍ରାୟ ସମସ୍ତ ଏକ୍‍ଜିଟ୍‍ ପୋଲ୍‍ ସର୍ଭେରେ ଏନ୍‍ଡିଏର ବିଜୟ ଅନୁମାନ କରାଯାଉଛି। ଇତି ମଧ୍ୟରେ ବଜାର ଖୋଲିବାର କିଛି କ୍ଷଣ ମଧ୍ୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ଅଂଶୀଦାର କମ୍ପାନୀମାନଙ୍କ ଶେୟାର ମୂଲ୍ୟ ସୂଚକାଙ୍କ ୧,୪୬,୫୮,୭୦୯.୬୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୧,୫୦,୪୧,୦୯୯.୮୫ କୋଟି ଟଙ୍କା ହୋଇଛି। ଯଦି ଏକ୍‍ଜିଟ୍‍ ପୋଲର ଫଳାଫଳ ସତ ପ୍ରମାଣିତ ହୁଏ ତେବେ ଶେୟାର ବଜାରରେ ଆହୁରି ଲାଭ ପରିଲକ୍ଷିତ ହେବ ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

Comments are closed.