ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ

ନୂଆଦିଲ୍ଲୀ : ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି । ମଙ୍ଗଳବାର ସୁଦ୍ଧା ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୫ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ।

ଗୁଜୁରାଟ, ଗୋଆ, କେରଳ, ଦ୍ରାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଓ ଡିୟୁର ସବୁଯାକ ଆସନ ପାଇଁ ଭୋଟ
ନିଆଯାଉଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ୧୪ଟି ଲେଖାଏଁ, ଉତ୍ତରପ୍ରଦେଶର ୧୦ଟି, ଛତିଶଗଡର ୭ଟି, ଓଡ଼ିଶାର ୬ଟି, ବିହାର ଓ ପଶ୍ଚିମବଙ୍ଗର ୫ଟି ଲେଖାଏଁ, ଆସାମର ୪ଟି ଓ ଜାମ୍ମୁକାଶ୍ମୀରର ଗୋଟିଏ ଆସନ ପାଇଁ ମଧ୍ୟ ଏହି ପର୍ଯ୍ୟାୟରେ ଭୋଟ ନିଆଯିବ।

ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ତେବେ ୬ଟି ଲୋକସଭା ଆସନ ପାଇଁ ମୋଟ ୬୯ ଜଣ ଏବଂ ୪୨ଟି ବିଧାନସଭା ଆସନ ପାଇଁ ୩୯୯ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସମ୍ବଲପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ   କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା ଏବଂ ଆଠମଲ୍ଲିକ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ସେହିପରି କେନ୍ଦୁଝର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ ଏବଂ  କରଞ୍ଜିଆ ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସେହିଦିନ ମଧ୍ୟ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା  ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହି ଦିନ ଭୋଟ ଗ୍ରହଣ କରାଯିବ। ଅନ୍ୟ ପକ୍ଷରେ କଟକ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ  ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଓ ଖଣ୍ଡପଡ଼ା ଆସନରେ ମଧ୍ୟ ଏପ୍ରିଲ ୨୩ରେ ଭୋଟ ଗ୍ରହଣ କରାଯିବ। ସେହିପରି ପୁରୀ ସଂସଦୀୟ କ୍ଷେତ୍ର ଏବଂ  ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ବିଧାନସଭା ଆସନରେ ମଧ୍ୟ ସେହିଦିନ ମତଦାନ ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସଭା ଆସନ ଏବଂ  ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏପ୍ରିଲ ୨୩ରେ ମତଦାନ ହେବ।

Comments are closed.