ଉପନିୟମ ପ୍ରତ୍ୟାହାର ପାଇଁ ତାତିଲା ମନ୍ଦିର ସେବାୟତ ସଂଘ
୧୬ରେ ସବୁ ମନ୍ଦିର ଆଗରେ ବାଜିବ ଘଣ୍ଟିଘଣ୍ଟା,-ଜିଲା କଂଗ୍ରେସର ଦସ୍ତଖତ ଅଭିଯାନ,-କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସଂଗଠନ

ଭୁବନେଶ୍ବର : ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ଉପନିୟମ ଚିଠା ପ୍ରସ୍ତାବ ପ୍ରତ୍ୟାହାର ଦାବିରେ ଏକାମ୍ରକ୍ଷେତ୍ର ବାସିନ୍ଦା ଅଟଳ ରହିଛନ୍ତି। ତାତି ଥମିବାର ନାଁ ଧରୁନି। ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ବେଶ ଉଷ୍ମ। ନିୟମ ପ୍ରତ୍ୟାହାର ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟ୍ବିଟ୍ ଜରିଆରେ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି। ଏହି ନିୟମ ଲାଗୁ ହେଲେ ଏକାମ୍ରକ୍ଷେତ୍ର କିଭଳି ପ୍ରଭାବିତ ହେବ ସେ ନେଇ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବା ସହ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏହି ଉପନିୟମକୁ ନେଇ ଗତକାଲି ରାଜଧାନୀର ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକାଠି ହୋଇ ଦିଅଁଙ୍କୁ ଦୀପଜାଳି ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। କିନ୍ତୁ ଶନିବାର ଏହି ପ୍ରସଙ୍ଗ ଉପରେ ଓଡିଶା ମନ୍ଦିର ସେବାୟତ ସଂଘ ସ୍ବର ଉଠାଇଛି। ସେବାୟତ ସଂଘର ସଭାପତି କାମେଶ୍ବର ତ୍ରିପାଠୀ, ସଚେତକ ସୁବାସ ମିଶ୍ରଙ୍କ ସମେତ ବହୁ ସଦସ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏକତ୍ରିତ ହୋଇ ଉପନିୟମ ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ସଂଘର ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କେନ୍ଦ୍ର ସରକାର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଯେତିକି ତତ୍ପର ଅଛନ୍ତି, ତାହା ରାଜ୍ୟବାସୀ ସ୍ବାଗତ କରୁଛନ୍ତି। କିନ୍ତୁ ରାଜ୍ୟରେ ରହିଥିବା ୧୮ହଜାର ମନ୍ଦିର ପ୍ରତି ରାଜ୍ୟ ବିଜେପିର ଦରଦ ନାହିଁ। ଏହିସବୁ ମନ୍ଦିରରେ ଲକ୍ଷାଧିକ ସଂଖ୍ୟକ ସେବାୟତ ସେବାପୂଜା କରୁଛନ୍ତି। ମନ୍ଦିର ଗୁଡିକ ଏବେ ଭାଙ୍ଗିରୁଜି ଗଲାଣି। ସେବାୟତମାନେ ଚଳିବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ରାଜ୍ୟ ବିଜେପି ଏସମ୍ପର୍କରେ ମୁହଁ ଖୋଲିବା ପରିବର୍ତ୍ତେ ଏକାମ୍ର ବିକାଶରେ ଏନଏମଏ ଉପନିୟମ ପ୍ରସ୍ତାବ ଲାଗୁ କରି ବାଧା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଛି। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ବିପଦ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ସେବାୟତ ପରିବାର କେବେ ବରଦାସ୍ତ କରିବେନି। ଏଥିପାଇଁ ଆସନ୍ତା ମଙ୍ଗଳବାର ଦିନ ୧୦ଟାରେ ରାଜ୍ୟର ପ୍ରତ୍ୟେକ ମନ୍ଦିର ସମ୍ମୁଖରେ ଘଣ୍ଟଘଣ୍ଟା ବଜାଇ ପ୍ରତିବାଦ କରିବେ ବୋଲି ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିି।
ସେହିପରି ଭୁବନେଶ୍ବର ଜିଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ ଓ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ରଙ୍କ ନେତୃତ୍ବରେ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ଉପନିୟମ ଚିଠା ପ୍ରସ୍ତାବ ପ୍ରତ୍ୟାହାର ପାଇଁ ସାମୂହିକ ଦସ୍ତଖତ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏହି ଅଭିଯାନ ଆସନ୍ତାକାଲି( ରବିବାର) ଏକାଠି ହୋଇ ଅଭିଯାନ କରିବେ ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି। ସେହିପରି ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ସଭାପତି ଭୀଷ୍ମ ନାରାୟଣ ନାୟକ (ଏନଏମଏ) ଉପନିୟମ ପ୍ରତ୍ୟାହାର ପାଇଁ ଶନିବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଲାଗି ହୋଇଥିବା (ଏନଏମଏ)ଉପନିୟମ ପ୍ରତ୍ୟାହାର ହେବା ଭଳି ଏକାମ୍ରରରୁ ପ୍ରତ୍ୟାହାର କରାନଗେଲ ମନ୍ଦିର ମାଳିନୀ ଏକାମ୍ରକ୍ଷେତ୍ରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି ଶ୍ରୀ ନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ମନ୍ଦିର ବିକାଶ କାର୍ଯ୍ୟରେ ସେବାୟତଙ୍କ ଅନେକ ତ୍ୟାଗ ରହିଥିବା ବେଳେ ଏବେ ଏହା ସେମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ତେଣୁ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିରରୁ (ଏନଏମଏ) ଉପନିୟମ ପ୍ରତ୍ୟାହାର କରାଯାଉ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଭୁବନେଶ୍ବର ବିଜେପି ଜିଲା ସଭାପତି ବାବୁ ସଂି କହିଛନ୍ତି,ଆଗରୁ ଏନଏମଏ ଉପନିୟମ ୧୦୦ମିଟର ପର୍ଯ୍ୟନ୍ତ ରହିଥିଲା। ଏବେ ୩୦୦ମିଟର ପର୍ଯ୍ୟନ୍ତ ରଖିବାକୁ ଏନଏମଏ କର୍ତ୍ତୃପକ୍ଷ ଚାହଁୁଛନ୍ତି। ଏନେଇ ଏହି ଉପନିୟମ ଜନମତରେ ସୀମତ ରହିଛି। କିନ୍ତୁ ଆମ ରାଜ୍ୟ କଳା ସଂସ୍କୃତିର ରାଜ୍ୟ। ଏଠାରେ ଯେଉଁ ପ୍ରାଚୀନ ଐତିହ୍ୟ ରହିଛି ତାହାର ସଂରକ୍ଷଣ ନିହାତି ଜରୁରୀ। ରାଜ୍ୟ ସରକାର ଯେପରି କଳା ସଂସ୍କୃତିକୁ ନଷ୍ଟ କରିବାକୁ ଚାହଁୁଛନ୍ତି ତାହା ନହେଉ। ଐତିହ୍ୟସ୍ଥଳର ବିକାଶ କରିବାରେ କୌଣସି ଅସୁବିଧା ନାହିଁ।