ଦେଶରେ ଓଡିଶା ପ୍ରଥମ, ଏସଏଚଜି ସହାୟତାରେ ସହରାଞ୍ଚଳରେ ମଜୁରିଭିତ୍ତିକ ନିଯୁକ୍ତି କାର୍ୟ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: ସାଂପ୍ରତିକ ପରିସ୍ଥିତିରେ ସହରାଞ୍ଚଳରେ ଜୀବିକାର୍ଜନ କାର୍ୟ୍ୟକ୍ରମଗୁଡ଼ିକ ଘୋର ସଙ୍କଟ ଦେଇ ଗତି କରୁଛି। ବିଭିନ୍ନ ସେବା ପ୍ରଦାନକାରୀ କ୍ଷେତ୍ରଗୁଡ଼ିକ ମନ୍ଥର ହେବା ସହ ଉତ୍ପାଦନକାରୀ ସଂସ୍ଥାରୁ କର୍ମଚାରୀ ଛଟେଇ, ସପ୍ଲାଇ ଚେନ ବା ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଦ୍ୱାରା ଅଣସଂଗଠିତ କ୍ଷେତ୍ରଗୁଡ଼ିକରେ କାର୍ୟ୍ୟରତ ଶ୍ରମିକମାନେ ଜୀବିକା ହରାଇଛନ୍ତି। ଫଳରେ ରୋଜଗାର ହରାଇଥିବା ଶ୍ରମିକମାନେ ନିଜ ନିଜ ଅଞ୍ଚଳକୁ ଫେରି ଆସିଛନ୍ତି। ସ୍ଥାନୀୟ ଅର୍ଥନୀତି ଏକ ପ୍ରକାର ଅଚଳାବସ୍ଥାକୁ ଚାଲିଯାଇଛି। ଏଭଳି ଏକ ଆହ୍ୱାନର ମୁକାବିଲା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗିତାରେ ରାଜ୍ୟର ୧୧୪ଟି ପୌରସଂସ୍ଥାରେ ଥିବା ଅଣସଂଗଠିତ ଶ୍ରମିକଙ୍କର ରୋଜଗାର ସୃଷ୍ଟି ପାଇଁ ସହରାଞ୍ଚଳ ମଜୁରିଭିତ୍ତିକ ନିଯୁକ୍ତି କାର୍ୟ୍ୟକ୍ରମ (ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ)ର ଶୁଭାରମ୍ଭ କରିଛନ୍ତି।

ସହରାଞ୍ଚଳର ଗରିବ ଶ୍ରେଣୀର ଲୋକମାନଙ୍କୁ ମହାମାରୀ ସମୟରେ ମଜୁରିଭିତ୍ତିକ ଉପାର୍ଜନ ଯୋଗାଇଦେବା ଦିଗରେ ସାରା ଦେଶରେ ଏଭଳି କାର୍ୟ୍ୟକ୍ରମ ପ୍ରଥମ। କୋଭିଡ-୧୯ର ପ୍ରତିକୂଳ ସ୍ଥିତିର ମୁକାବିଲା କରିବା ସହ ସର୍ବସାଧାରଣ ସଂପତ୍ତିଗୁଡ଼ିକର ନିର୍ମାଣ ଓ ରକ୍ଷଣାବେକ୍ଷଣ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ୧୧୪ଟି ପୌରାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ବ୍ୟାପକ ଶ୍ରମଭିତ୍ତିକ ପ୍ରକଳ୍ପଗୁଡ଼ିକୁ କାର୍ୟ୍ୟକାରୀ କରିବା ନିମନ୍ତେ ଏହି କାର୍ୟ୍ୟକ୍ରମର ପରିକଳ୍ପନା କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅଭିନବ ଜୀବିକାର୍ଜନ କାର୍ୟ୍ୟକ୍ରମରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସମସ୍ତ ପ୍ରକଳ୍ପର କାର୍ୟ୍ୟକାରୀ ସହଯୋଗୀ ଭାବେ କାର୍ୟ୍ୟ ତଦାରଖ ଏବଂ ପରିଚାଳନା କରିବେ। ଏହି ଯୋଜନା ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ୟ୍ୟକାରୀ କରାଯିବ। ପ୍ରଥମଥର ପାଇଁ ସହରାଞ୍ଚଳର ଏସଏଚଜି ବିଭିନ୍ନ ପ୍ରକଳ୍ପ କାର୍ୟ୍ୟରେ ସହଯୋଗୀ ଭାବେ ନିୟୋଜିତ ହୋଇଛନ୍ତି। ଏହି ଯୋଜନାର ସୁପରିଚାଳନା ଏବଂ ସଫଳତା ପାଇଁ ମିଶନ ଶକ୍ତି ନିର୍ଦେଶାଳୟ ପକ୍ଷରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ୟ୍ୟ ସାରିବା ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ପୌରାଞ୍ଚଳ ଏବଂ ମିଶନ ଶକ୍ତି କ୍ଷେତ୍ର ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇଛି।

ପୌରସଂସ୍ଥାଗୁଡ଼ିକ ପୌରାଞ୍ଚଳରେ ନିଯୁକ୍ତି ସୁଯୋଗ, ପଞ୍ଜୀକରଣ ପ୍ରକ୍ରିୟା ଏବଂ ଏହି ଯୋଜନାର ସୁଫଳ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି। ଏହି ଯୋଜନାରେ ମୁଖ୍ୟତଃ ସହରାଞ୍ଚଳର ଡ୍ରେନଗୁଡ଼ିକର କଭର ଖୋଲି ସଫା କରିବା, ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ, ଚାରା ରୋପଣ, ବର୍ଜ୍ୟବସ୍ତୁର ପୁନଃବ୍ୟବହାର, କାନ୍ଥଚିତ୍ର ଏବଂ ତୈଳଚିତ୍ର ମାଧ୍ୟମରେ ସହରଗୁଡ଼ିକର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଆଦି ଅନ୍ତର୍ଭୁକ୍ତ।

ରାଜ୍ୟର ୬୯୩୭ଟି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୬୨.୦୮ କୋଟି ଟଙ୍କା ମଜୁରି ମୂଲ୍ୟ ବିନିମୟରେ ବିଭିନ୍ନ ପ୍ରକଳ୍ପ ପାଇଁ କାର୍ୟ୍ୟକାରୀ ସହଯୋଗୀ ଭାବେ ନିୟୋଜିତ ହୋଇଛନ୍ତି। ଏ ପର୍ୟ୍ୟନ୍ତ ଏହି ଗୋଷ୍ଠୀ ୭୦.୯୩ ଲକ୍ଷ ଟଙ୍କା ତଦାରଖ ବାବଦକୁ ପ୍ରାପ୍ୟ ପାଇଛନ୍ତି। କାର୍ୟ୍ୟକାରୀ ସହଯୋଗୀ ଭାବେ ଏହି ଗୋଷ୍ଠୀଗୁଡ଼ିକ ଏ ପର୍ୟ୍ୟନ୍ତ ପ୍ରାୟ ୩.୮୨ ଲକ୍ଷ ଶ୍ରମ ଦିବସ ବାବଦକୁ ୧୨.୦୯ କୋଟି ଟଙ୍କା ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାକୁ ପଠାଇଛନ୍ତି।

୨୦୦୧ ମସିହାରେ ଓଡ଼ିଶା ସରକାର ମହିଳାଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ମିଶନ ଶକ୍ତି ଆରମ୍ଭ କରିଥିଲେ। ତୃଣମୂଳ ସ୍ତରରେ ମହିଳାମାନଙ୍କୁ ସେମାନଙ୍କ ପରିଚୟ ଏବଂ ପ୍ରତିଷ୍ଠା ପାଇଁ ମିଶନ ଶକ୍ତି ଏକ ଶକ୍ତିଶାଳୀ ପ୍ଲାଟଫର୍ମ ସୃଷ୍ଟି କରିଛି। ସହରାଞ୍ଚଳରେ ମଜୁରିଭିତ୍ତିକ ରୋଜଗାର କାର୍ୟ୍ୟକ୍ରମ ମାଧ୍ୟମରେ ଗରିବ, ଶ୍ରମିକ ଏବଂ ଦିନମଜୁରିଆଙ୍କ ପାଇଁ ଜୀବିକାର୍ଜନର ପନ୍ଥା ସୃଷ୍ଟି କରିବା ଏକ ଦୃଷ୍ଟାନ୍ତକାରୀ ପଦକ୍ଷେପ ବୋଲି ବିଭାଗ ସୂଚନା ଦେଇଛି।

Comments are closed.