ଡ଼ାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା; କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

ବାରିପଦା: ଡ଼ାହାଣୀ ସନ୍ଦେହରେ ଜଣେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା । ହତ୍ୟା ପରେ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ । ଏହି ଘଟଣା ଘଟିଛି ଖୁଣ୍ଟା ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳରେ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନୂଆସାହି ଗାଁର ବୁଦ୍ଧିରାମ ସିଂହ ରହେ । ତାର ଘରେ ଏକ ଛୋଟ ଝିଅ ଅଛି ଓ ତାର ଦେହ ଅନେକ ସମୟରେ ଖରାପ ହୋଇଥାଏ । ଝିଅର ଦେହ ଭଲ କରିବା ପାଇଁ ବୁଦ୍ଧିରାମ ସେହି ଗାଁରେ ରହୁଥିବା ଚମ୍ପା ନାମ୍ନୀ ଜଣେ ମହିଳାଙ୍କ ନିକଟକୁ ନେଇଥିଲା । ଚମ୍ପା ତାହାର ଝଡ଼ଫୁଙ୍କା କରିଥିଲା । ମାତ୍ର ଏହା ସତ୍ତ୍ବେ ଝିଅର ଦେହ ଭଲ ହୋଇ ନ ଥିଲା । ଗତ ସପ୍ତାହରେ ବୁଦ୍ଧିରାମର ଝିଅର ମୃତ୍ୟୁ ଘଟିଥିଲା । ତେବେ ଝିଅର ମୃତ୍ୟୁ ପାଇଁ ଚମ୍ପା ଦାୟୀ ବୋଲି ବୁଦ୍ଧିରାମ ମନରେ ଧାରଣା ସୃଷ୍ଟି ହୋଇଥିଲା । ଚମ୍ପା ଏକ ଡ଼ାହାଣୀ ଓ ତା ଝିଅର ଜୀବନ ନେଇଛି ବୋଲି ମନେକରି ବୁଦ୍ଧିରାମ ଚମ୍ପାକୁ ହତ୍ୟା କରିବାକୁ ମନସ୍ଥ କରିଥିଲା ।

ଆଜି ସକାଳୁ ଚମ୍ପା ଯାଉଥିବାବେଳେ ବୁଦ୍ଧିରାମ ଏକ ଟାଙ୍ଗିଆରେ ତା’ର ମୁଣ୍ଡଗଣ୍ଡି ଅଳଗା କରି ଦେଇଥିଲା । ରାସ୍ତାରେ ଚମ୍ପାର ମସ୍ତକ ବିହୀନ ଶରୀର ପଡ଼ିଥିବାବେଳେ ଏକ ଲୁଙ୍ଗିରେ ତାର କଟାମୁଣ୍ଡକୁ ଗୁଡ଼ାଇ ଥାନାକୁ ଚାଲିଥିଲା ବୁଦ୍ଧିରାମ । ଖୁଣ୍ଟା ଥାନାରେ ପହଞ୍ଚି ସେ ଚମ୍ପାକୁ ହତ୍ୟା କରିଥିବା କହିଥିଲା । ଏହା ସହ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଟାଙ୍ଗିଆକୁ ମଧ୍ୟ ଥାନାରେ ଜମା ଦେଇଥିଲା । ପୁଲିସ ବୁଦ୍ଧିରାମକୁ ଗିରଫ କରିଛି । ବାରିପଦାରୁ ଏକ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।

Comments are closed.