ଆଜିଠାରୁ ଶୀତ ଅଧିବେଶନ

0

ଭୁବନେଶ୍ୱର : ପଞ୍ଚଦଶ ବିଧାନସଭାର ଚତୁର୍ଦଶ ତଥା ଶୀତ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେଉଛି। ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତ କରିଥିବା ରଣନୀତିରୁ ଶୀତ ଅଧିବେଶନ ବେଶ ସରଗରମ ହେବା ସୂଚନା ମିଳିଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୁରୁବାର ଅପରାହ୍ଣରେ ବିଜେଡି ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବିଧାନସଭାରେ ଶାସକ ବିଜେଡି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ନେଇ ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀ କଂଗ୍ରେସ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଶାଣିତ କରିବା ସୂଚନା ମିଳିଛି। ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ ନେଇ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି। କେନ୍ଦ୍ର ଏହା ଉପରେ ପଦକ୍ଷେପ ନେଉନାହିଁ।

ଚଳିତ ଅଧିବେଶନରେ ପୁଣି ଥରେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ଉଠିବ। ଏ ସମ୍ପର୍କରେ ଓଡ଼ିଶାର ଯଥାର୍ଥ ଦାବିକୁ ଗ୍ରହଣ କରି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ନେଇ ପଦକ୍ଷେପ ନେବାକୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରାଯିବ। ସେହିପରି ପେଟ୍ରୋଲ, ଡିଜେଲର ଅହେତୁକ ମୂଲ୍ୟବୃଦ୍ଧି ଉପରେ ଆଲୋଚନା କରାଯାଇ ଏହାକୁ ପ୍ରତ୍ୟାହାର ନେଇ ଦାବି ରଖାଯିବ।
ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳାକୁ ଶାସକ ଦଳ ପ୍ରସଙ୍ଗ କରିବ। ଏହାବ୍ୟତୀତ ବିରୋଧୀ ଗୃହରେ ଯେଉଁସବୁ ବିଷୟ ଉଠାଇବେ ସେସବୁ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିବା ସେ କହିଛନ୍ତି।
ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଗଣମାଧ୍ୟମକୁ କହିଛନ୍ତି, ଅଧିବେଶନରେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ସମେତ ମହାନଦୀ, ପୋଲାଭରମ ପ୍ରସଙ୍ଗ ଉଠିବ। କୃଷକଙ୍କୁ ଧାନର ଉପଯୁକ୍ତ ମୂଲ୍ୟ ପ୍ରଦାନରେ କେନ୍ଦ୍ର ସରକାର ଅବହେଳା କରି ଆସୁଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ନିକଟରେ ଦାବି କରାଯିବ। ବୈଠକ ଆରମ୍ଭରୁ ମେକ୍‍ ଇନ୍‍ ଓଡ଼ିଶାର ସଫଳତା ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଅଧିବେଶନରେ ୨୩ଟି କାର୍ଯ୍ୟ ଦିବସ ମଧ୍ୟରୁ ୧୯ଟି ସରକାରୀ ଏବଂ ଚାରିଟି ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ ଦିବସ ରହିଛି। ଅଧିବେଶନ କାଳରେ ସରକାରୀ ବିଧେୟକ ଓ ସଙ୍କଳ୍ପ ଆଲୋଚନା କରାଯାଇ ପାରିତ କରାଯିବ। ବେସରକାରୀ ବିଧେୟକ ଓ ସଙ୍କଳ୍ପ ଉପରେ ମଧ୍ୟ ଆଲୋଚନା ହେବ। ଏ ପର୍ଯ୍ୟନ୍ତ ଗୃହରେ ଉପସ୍ଥାପନ ପାଇଁ କୌଣସି ବିଧେୟକ ପହଞ୍ଚି ନାହିଁ। ବିଧେୟକ ଆସିଲେ ସେଗୁଡ଼ିକ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ବୈଠକରେ ୮୨ଜଣ ସଦସ୍ୟ ଉପସ୍ଥିତ ଥିଲେ ଏବଂ ବୈଠକ ମାତ୍ର ୧୨ ମିନିଟରେ ଶେଷ ହୋଇଥିଲା।

ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଅଧିବେଶନ କାଳରେ ଆଲୋଚନା ପାଇଁ ବହୁ ଗୁରତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଣିବାକୁ ନିଷ୍ପତ୍ତି ହୋଇଛି। କୃଷକ ସମସ୍ୟାକୁ ଦଳ ପ୍ରମୁଖ ପ୍ରସଙ୍ଗ କରିବ। ବୈଠକ ସମ୍ପର୍କରେ ସୂଚନା ଦେଇ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି, ମୌଳିକ ଅଧିକାରରୁ ବଞ୍ଚିତ ଚାଷୀଙ୍କ ସମସ୍ୟା ସହ ବେକାରୀ ଓ ଶିକ୍ଷକ ସମସ୍ୟା ଉପସ୍ଥାପନ କରାଯିବ। ଏବର୍ଷ ମରୁଡି ଆକଳନ ଠିକ ଭାବେ ହୋଇନଥିବାରୁ କଂଗ୍ରେସ ଏହାର ପ୍ରତିବାଦ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ଦାବି କରିବ। ରେସନକାର୍ଡ ପ୍ରଦାନରେ ଦୁର୍ନୀତି, ଆମ ଗାଁ ଆମ ବିକାଶ ଯୋଜନାରେ ଅନିୟମିତତା ନେଇ ଦଳ ସରକାରଙ୍କୁ ଘେରିବ। ବିଜୁ ଯୁବ ବାହିନୀ କିଭଳି ଲୋକଙ୍କୁ ହଇରାଣ ହରକତ କରୁଛି ତାକୁ ପ୍ରସଙ୍ଗ କରାଯିବ। ବ୍ରହ୍ମ ବିଭ୍ରାଟ ଭଳି ବିଷୟ ସହ ରାଜ୍ୟର ଯେତେ ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି ସେସବୁ ଉପରେ ସମୟାନୁସାରେ ଦଳ ପ୍ରଶ୍ନ ଉଠାଇବ ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ଦଳ ବୈଠକରେ ୧୨ଜଣ ସଦସ୍ୟ ଉପସ୍ଥିତ ଥିବା ବେଳେ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ସେକ୍‍ ମସ୍ତାନ ଅଲ୍ଲୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ଏବଂ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।
ବିଜେପି ବିଧାୟକ ଦଳ ବୈଠକ ଶୁକ୍ରବାର ଅପରାହ୍ଣରେ ବସିବାକୁ ସ୍ଥିର ହୋଇଛି। ସୂଚନା ଅନୁଯାୟୀ ଅଧିବେଶନ କାଳରେ ବିଜେପି ଆଇନଜୀବୀ ଆନ୍ଦୋଳନ ପାଇଁ ସରକାରଙ୍କୁ ଟାର୍ଗେଟ କରିବ। ତିତ୍‍ଲି ମୁକାବିଲାରେ ସରକାରଙ୍କ ବିଫଳତା, କୃଷକ ସମସ୍ୟା, ଧାନର ଅଭାବୀ ବିକ୍ରି, ଶିକ୍ଷକ ଓ ଡାକ୍ତର ଅଭାବ ସମେତ ଦାଦନ ଆଦି ସମସ୍ୟାକୁ ପ୍ରସଙ୍ଗ କରିବ ବୋଲି ଦଳର ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି।

Leave A Reply