MEllora 950×100

ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ବହୁତ ବଡ଼ ସୁଯୋଗ : ମୋଦୀ

ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀତକାଳୀନ ଅଧିବେଶନକୁ ସଫଳ କରିବା ଲାଗି ରାଜନୈତିକ ଦଳଗୁଡିକୁ ମିଳିତ ଭାବେ ଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି। ଆଜି ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ମୋଦୀ ଯୁବ ସାଂସଦମାନଙ୍କୁ ବିତର୍କରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନେବା ଲାଗି ଉଦ୍ୟମ ହେବା ଉଚିତ।

ଅନ୍ୟପକ୍ଷରେ ଏହି ଶୀତକାଳୀନ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିଥିବା ସମୟରେ ଏହି ଅଧିବେଶନ ବସୁଥିବାରୁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ବିଶ୍ୱ ସମୁଦାୟରେ ଯେଉଁଭଳି ଭାବେ ଭାରତକୁ ସ୍ଥାନ ମିଳୁଛି, ଯେଉଁଭଳି ଭାରତକୁ ନେଇ ଆଶା ବଢ଼ୁଛି ଏବଂ ଯେଉଁଭଳି ଭାବେ ଭାରତ ବୈଶ୍ୱିକ ମଞ୍ଚରେ ନିଜ ଭାଗୀଦାରି ବଢ଼ାଇବାରେ ଲାଗିଛି, ଏଭଳି ସମୟରେ ଏହି ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ଏକ ବହୁତ ବଡ଼ ସୁଯୋଗ ବୋଲି ସେ କହିଛନ୍ତି। ସେ କହିଛନ୍ତି, ବିଶ୍ୱକୁ ଭାରତର ଦକ୍ଷତା ପ୍ରଦର୍ଶନ କରିବା ଲାଗି ଜି-୨୦ ଏକ ଉପଯୁକ୍ତ ମଞ୍ଚ ସାବ୍ୟସ୍ତ ହେବ।

ମୋଦୀ କହିଛନ୍ତି, ବିଗତ ଦିନଗୁଡ଼ିକରେ ମୋର ସମସ୍ତ ଦଳର ଅଧ୍ୟକ୍ଷଙ୍କ ସହ ସକରାତ୍ମକ ବାତାବରଣରେ ଚର୍ଚ୍ଚା ହୋଇଛି । ଗୃହରେ ମଧ୍ୟ ଏହାର ପ୍ରତିଫଳନ ନିଶ୍ଚିତ ଦୃଶ୍ୟମାନ ହେବ। ଗୃହରେ ସେହି ସ୍ୱର ଉଠିବ, ଯାହା ଭାରତର ସାମର୍ଥ୍ୟକୁ ବିଶ୍ୱରେ ପ୍ରସ୍ତୁତ କରିବା ଲାଗି କାମରେ ଆସିବ । ଦେଶକୁ ବିକାଶର ନୂଆ ଉଚ୍ଚତାକୁ ନେଇଯିବା ପାଇଁ ବର୍ତ୍ତମାନ ବୈଶ୍ୱିକ ପରିସ୍ଥିତିରେ ଭାରତକୁ ଆଗକୁ ବଢ଼ାଇବା ପାଇଁ ନୂଆ ସୁଯୋଗ ଆଦିକୁ ଧ୍ୟାନରେ ରଖି ଅନେକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଏହି ଅଧିବେଶନରେ ନେବା ପାଇଁ ଉଦ୍ୟମ ହେବ।

 

Comments are closed.