୧୩ରୁ ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଚଳିତ ମାସ ୧୩ରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନ କାଳରେ କୌଣସି ଅଧିକାରୀ ଯେପରି ମୁଖ୍ୟାଳୟ ଛାଡ଼ି ବାହାରକୁ ନଯାଆନ୍ତି ସେ ଦିଗରେ ନିର୍ଦେଶ ଜାରି କରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ମାନଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି ଯେ ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଅଧିକାରୀମାନେ ସଦର ମହକୁମାରେ ରହିବା ବାଞ୍ଛନୀୟ। ଏହି ସମୟରେ ବିଭାଗୀୟ ସଚିବମାନେ ବିଦେଶ ଯାତ୍ରାରୁ ନିବୃତ୍ତ ହେବା ସହ ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବା ଆବଶ୍ୟକ। ପୂର୍ବରୁ ଯେକୌଣସି ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରିଥିଲେ ଏହାକୁ ଘୁଞ୍ଚାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ବିଧାନସଭା ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଗମ୍ଭୀରତାର ସହ ଶୀଘ୍ର ​​‌ଶେଷ କରିବା, ​ବିଧାନସଭା ପ୍ରଶ୍ନ ସମୂହ ତଥା ବୈଧାନିକ ପ୍ରକ୍ରିୟାରେ ବିଧାନସଭାରେ ଉତଥାପନ ହେଉଥିବା ଅନ୍ୟ ପ୍ରସଙ୍ଗର ସମସ୍ତ ଉତ୍ତର ଓ ତଥ୍ୟ ଯେପରି ଠିକ ସମୟରେ ଦିଆଯାଇ ପାରିବ ସେଥିପାଇଁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ସେ ନିର୍ଦେଶ ଦେଇଛନ୍ତି।
ଚିଠିରେ ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି ଯେ ବିଧାନସଭା ପ୍ରଶ୍ନ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଦିର ଉତ୍ତର ପାଇଁ ଆବଶ୍ୟକ ତଥ୍ୟ କ୍ଷେତ୍ର କର୍ମଚାରୀମାନେ ଯୋଗାଉଥିବାରୁ ସେମାନେ ସେମାନଙ୍କର ସଦର ମହକୁମାରେ ଉପସ୍ଥିତ ରହିବା ବାଞ୍ଛନୀୟ। ସେଥିପାଇଁ ବିଧାନସଭା ଅଧିବେଶନ କାଳରେ ବିଭାଗୀୟ ସଦର ମହକୁମା କିମ୍ବା ସଚିବାଳୟ ସ୍ତରରେ ସେମାନଙ୍କର ସଭା ଡକାଇବା ଅନୁଚିତ। ସଭା ପରିବର୍ତ୍ତେ ଭିଡ଼ିଓ କନଫରେନ୍ସିଂ ବ୍ୟବସ୍ଥାର ବହୁଳ ଉପଯୋଗ କରାଯାଇପରେ। ଏହି ସମୟରେ ସମ୍ପୃକ୍ତ ଅଧିକାରୀମାନେ ଯେପରି ସଦର ମହକୁମାରେ ଉପସ୍ଥିତ ରହିବେ ତାହା ସୁନିଶ୍ଚିତ କରିବେ।

Comments are closed.