ହାଡ଼ ଭାଙ୍ଗୁଛି ଜାଡ଼

0

ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଦେଖାଦେଇଛି। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୩ଡିଗ୍ରୀ ତଳକୁ ଖସିଯାଇଛି। ଗତ ଦୁଇ ଦିନ ଧରି କ୍ରମାଗତ ଭାବେ ତାପମାତ୍ରା ୨ରୁ ୩ଡିଗ୍ରୀ ମଧ୍ୟରେ ରହୁଥିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସୋମବାର ଗୁରୁଗ୍ରାମରେ ପାରଦ ୨.୮ ଡିଗ୍ରୀ ତଳକୁ ଖସିଥିବା ରେକର୍ଡ଼ କରାଯାଇଛି। ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଆଡ଼ୁ ଉତ୍ତର-ପଶ୍ଚିମା ଶୀତଳ ବାୟୁ ପ୍ରବାହ ଯୋଗୁଁ ଦିଲ୍ଲୀର ତାପମାତ୍ରାରେ ଦ୍ରୁତ ହ୍ରାସ ପାଇଥିବା କୁହାଯାଉଛି। ଚଳିତ ସପ୍ତାହ ଧରି ତାପମାତ୍ରା ଏହି ସ୍ତରରେ ରହିବ କିମ୍ବା ଏହାଠାରୁ ଆହୁରି କମିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଚଣ୍ଡୀଗଡ଼, ହରିଆଣା, ପଞ୍ଜାବ, ଦିଲ୍ଲୀରେ ସକାଳର ତାପମାତ୍ରା ଦ୍ରୁତ ହ୍ରାସ ପାଇବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେବ ଏବଂ ସ୍ଥାନେ ସ୍ଥାନେ ଭାସମାନ କୁହୁଡ଼ି ପରିଲକ୍ଷିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପ୍ରବଳ ଶୀତ ଯୋଗୁଁ ସ୍କୁଲ, କଲେଜ, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ବିଳମ୍ବିତ ଉପସ୍ଥାନ ରହୁଥିବାବେଳେ ସ୍ୱାଭାବିକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଶୀତ ଲହରୀ ଯୋଗୁଁ କୌଣସି ଜୀବନହାନିର ସୂଚନା ମିଳି ନ ଥିଲେ ହେଁ କୁହୁଡ଼ି ଯୋଗୁଁ ଗତ ଦୁଇ ଦିନ ମଧ୍ୟରେ ଗାଡ଼ି ଧକ୍କାରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଖବର ମିଳିଛି। ସକାଳେ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଦେଖାଯାଉ ନ ଥିବାରୁ ଯାନବାହନ ଚଳାଚଳରେ ଗୁରୁତର ବାଧା ସୃଷ୍ଟ ହେଉଛି। କୁହୁଡ଼ି ଯୋଗୁଁ ଗତକାଲି ହରିଆଣାର ରୋହତକ ଜିଲାରେ ୫୦ରୁ ଅଧିକ ଗାଡ଼ି ଧକ୍କା ଖାଇ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରେ ଗାଡ଼ି ଧକ୍କାରେ ୯ଜଣଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳେ ଉତ୍ତରପ୍ରଦେଶର ବରେଲୀଠାରେ ଏକ ମିନି ଟ୍ରକ୍‍ ସହ ଓମନି ଭ୍ୟାନ୍‍ ଧକ୍କା ହେବାରୁ ଗୋଟିଏ ପରିବାରର ୪ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

Leave A Reply