ଥରୁଛି ସାରା ଓଡ଼ିଶା

0

ଭୁବନେଶ୍ବର: ଅସହ୍ୟ ହେଲାଣି ଶୀତପ୍ରକୋପ। ସାରା ରାଜ୍ୟ ପ୍ରଚଣ୍ଡ ଜାଡ଼ରେ ଥରୁଛି। ସପ୍ତାହେ ଧରି ଅସମ୍ଭାଳ ଶୀତ ଅନୁଭୂତ ହେଉଥିବା ଫୁଲବାଣୀର ପାରଦ ସୋମବାର ୬.୫ ଡ଼ିଗ୍ରୀ ସେଲସିୟସକୁ ଖସିଛି। ଦାରିଙ୍ଗବାଡ଼ିରେ ୭ ଡ଼ିଗ୍ରୀକୁ ଖସିଥିବାବେଳେ ଅନୁଗୋଳ, କେନ୍ଦୁଝରଗଡ଼ରେ ୭ରୁ ୮ ଡ଼ିଗ୍ରୀ ମଧ୍ୟରେ ରହିଛି। ରାଜ୍ୟର ୧୧ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀକୁ ଖସିଛି। ବାଲେଶ୍ବରଠୁ ଆରମ୍ଭ କରି ଭୁବନେଶ୍ବର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଟିଟିଲାଗଡ଼ ଆଦି ସହରରେ ସର୍ବନିମ୍ନ ତାପମାତ୍ରା ୯ରୁ ୧୦ଡ଼ିଗ୍ରୀ ମଧ୍ୟରେ ରହିଛି।
ଚାନ୍ଦବାଲି, କଟକ, ବାରିପଦା, ହୀରାକୁଦ, ତାଳଚେର, ଭବାନିପାଟଣା, ବଲାଙ୍ଗିର ଆଦି ୭ଟି ସ୍ଥାନରେ ପାରଦ ୧୦ରୁ ୧୧ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ରାଜ୍ୟର ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ମଧ୍ୟରେ ରହିଛି। କେବଳ ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ ସବୁଠାରେ ପାରଦ ୧୫ଡ଼ିଗ୍ରୀରୁ ତଳେ ରହିଛି।
ରାଜଧାନୀ ଭୁବନେଶ୍ବରରେ ଥଣ୍ଡା ରେକର୍ଡ଼ ଭାଙ୍ଗିଲାଣି। ଗତକାଲି ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୯.୯ଡ଼ିଗ୍ରୀ ସେଲସିୟସକୁ ଖସିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ଗତ ୬ବର୍ଷର ରେକର୍ଡ଼ ଭାଙ୍ଗିଛି। ୨୦୧୨ ଡ଼ିସମ୍ବେର ୨୯ରେ ଏଠାରେ ସର୍ବନିମ୍ନ ତାପମାତ୍ରା ଥିଲା ୧୦.୭ ଏବଂ କଟକର ସର୍ବନିମ୍ନ ତାପମାତ୍ରା ଥିଲା ୯.୫ଡ଼ିଗ୍ରୀ ସେଲସିୟସ। ଏହା ପୂର୍ବରୁ ୧୯୯୬ରେ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୯.୧ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିଲା।
ସପ୍ତାହକ ଭିତରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଅସ୍ବାଭାବିକ ଭାବେ କମିଛି। ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡ଼ିଗ୍ରୀ ମଧ୍ୟରେ ହ୍ରାସ ପାଇବା ଦ୍ବାରା ଏ ବର୍ଷର ଶୀତ ରେକର୍ଡ଼ ଭାଙ୍ଗିଛି। ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ତାପମାତ୍ରାରେ ଏଭଳି ତାରତମ୍ୟ ଲକ୍ଷ୍ୟ କରାଯାଉଛି ବୋଲି ପାଣିପାଗ ବି​‌େ​‌ଶଷଜ୍ଞ ମତ ରଖିଛନ୍ତି। ଉପକୂଳରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ସବୁଆଡ଼େ ପ୍ରବଳ ଶୀତ ଯୋଗୁଁ ସ୍ବାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦକ୍ଷିଣ ଓଡ଼ିଶା ବି​‌େ​‌ଶଷ କରି କରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ କାଲୁଆ ପବନ ସହିତ ଘନ କୁହୁଡ଼ି ଲାଗିରହିଥିବାରୁ ସକାଳ ୯ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ରାଜ୍ୟରେ ଆହୁରି ୪୮ଘଣ୍ଟା ଶୀତପ୍ରକୋପ ଲାଗିରହିବ। ତେବେ ଆସନ୍ତା ୨୭ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଆଦି ୬ଟି ଜିଲାରେ ବର୍ଷାର ସମ୍ଭାବନା ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Leave A Reply