ଶୀତରେ ସତର୍କତା ଓ ସୂର୍ଯ୍ୟସ୍ନାନ

ଭାରତର ପ୍ରତ୍ୟେକ ପ୍ରାନ୍ତରେ ଏବେ ଶୀତର ପ୍ରଭାବ ରହିଛି। ବିଭିନ୍ନ ୱେବ୍‌ସାଇଟ୍ ଓ ସୋସିଆଲ ସାଇଟ୍‌ ଜରିଆରେ ବିଶେଷଜ୍ଞ ଦଳ ସାଧାରଣ ଲୋକଙ୍କୁ ଉପଦେଶମାନ ଦେଉଛନ୍ତି। ଦିଲ୍ଲୀର ନାମୀ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦଳର ସର୍ବେକ୍ଷଣ ଅନୁସାରେ, ଆମେ କେତୋଟି ଦିଗ ପ୍ରତି ସଚେତନ ରହିଲେ ଏକ ସୁସ୍ଥ ଜୀବନ ଅତିବାହିତ କରିପାରିବା।
–  ଆମ ଶରୀରର ମୁଖ୍ୟତଃ ଛାତି,ପାଦ ଓ କାନରେ ଥଣ୍ଡାର ଅନୁଭବ ଶୀଘ୍ର ହୋଇଥାଏ। ଏଣୁ ଆମେ ପଶମ ପୋଷାକ ପିନ୍ଧିବା ସହ କାନ ମଧ୍ୟ ଘୋଡ଼ାଇ ରଖିବା ଉଚିତ।


– ପୂରା ଶରୀରରେ ଆପଣ ନିୟମିତ ଭାବେ ତେଲ ମାଲିସ୍ କରନ୍ତୁ। ପାଦ ତଳେ ମଧ୍ୟ ନଖ ଉଷୁମ ସୋରିଷ ତେଲ ମାଲିସ୍ କରିବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ବ୍ୟଞ୍ଜନ ପ୍ରସ୍ତୁତି ସମୟରେ ମଧ୍ୟ ସୋରିଷ ତେଲର ଉପଯୋଗ କଲେ ତାହାର ଉତ୍ତମ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି। ତେଲ ମାଲିସ୍ କରିବା ଦ୍ବାରା ଶରୀରକୁ ଉଷ୍ଣତା ମିଳିବା ସହ ରକ୍ତସଞ୍ଚାଳନ ମଧ୍ୟ ଭଲଭାବେ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।

ଶୀତରେ ସୂର୍ଯ୍ୟସ୍ନାନ
ଇଉରୋପ ଓ ଆମେରିକୀୟ ରାଷ୍ଟ୍ରଗୁଡ଼ିକରେ ଅଧିକାଂଶ ସମୟ ଶୀତର ଲହରୀ ଅନୁଭୂତ ହେଉଥିବାରୁ ସ୍ଥାନୀୟ ଲୋକ ଭିଟାମିନ୍ ଡି’ ଅଭାବଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ସେଥିପାଇଁ ସେଠା ଲୋକମାନେ ଭିଟାମିନ୍ ଡି’ଯୁକ୍ତ ଖାଦ୍ୟପାନୀୟ ସହ ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ମଧ୍ୟ ଖାଇଥାନ୍ତି। ଫୁରସତ୍ ମିଳିବା ମାତ୍ରେ ପାଖଆଖର ଉପକୂଳବର୍ତ୍ତୀ ଅଞ୍ଚଳକୁ ଭ୍ରମଣ ନିମନ୍ତେ ଚାଲିଯାନ୍ତି, ଯେଉଁଠାରେ ପର୍ୟ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ ସେମାନଙ୍କ ଶରୀରକୁ ଖୋରାକ୍ ଭାବେ ମିଳିପାରିବ। ପାଶ୍ଚାତ୍ୟରାଷ୍ଟ୍ରରେ ଏହି ଉପଚାରକୁ ‘ସନ୍ ବାଥ୍’ କୁହାଯାଏ। ଏଇ ସନ୍-ବାଥ୍ ବା ସୂର୍ଯ୍ୟସ୍ନାନର ଆବଶ୍ୟକତା ଶରୀର ନିମନ୍ତେ ଖୁବ୍ ଅଧିକ ବୋଲି ବିଶେଷଜ୍ଞଙ୍କ ମତ।
–  ଏଇଦିନେ ଆପଣ ମୃଦୁପାନୀୟ, ଆଇସକ୍ରିମ୍, ଛଣାଛଣି ଖାଦ୍ୟ, ମିଠା ଇତ୍ୟାଦି ଖାଇବା ବନ୍ଦ କରନ୍ତୁ। ଖାଦ୍ୟକୁ ଅଧିକ ଗରମ କରିବା ଖାଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ, ଏଣୁ ଉଷୁମ ଥିବାବେଳେ ହିଁ ଭୋଜନ କରିବା ଉଚିତ।
– ଲବଙ୍ଗ, ଗୁଜୁରାତି, ତେଜପତ୍ର, ମିଶା ଚା’ ପିଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ। ଏହା ସହ ପ୍ରତ୍ୟେକ ବ୍ୟଞ୍ଜନରେ ରସୁଣ ଛୁଙ୍କ ବ୍ୟବହାର କରି ଖାଆନ୍ତୁ। ଡାଲି ଛୁଙ୍କ ହେଉ ଅବା ଅନ୍ୟ କୌଣସି ତରକାରିରେ ରସୁଣର ଉପଯୋଗ କରିବା ସ୍ବାସ୍ଥ୍ୟ ପାଇଁ ହିତକାରୀ।
– ଏସବୁ ବାଦ୍ ନିୟମିତ ଭାବେ ସକାଳବେଳା ୨୦-୨୫ ମିନିଟ୍ ନିଜ ଘର ଛାତ ଉପରେ କିମ୍ବା ବାଲକୋନିରେ ଚଲାବୁଲା କରନ୍ତୁ, ଯେଉଁଠାରେ ସୂର୍ଯ୍ୟକିରଣ ପଡ଼ୁଥିବ।
–  କିଛି ସମୟ ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ବସି ଧ୍ୟାନ କଲେ ମଧ୍ୟ ଲାଭ ମିଳିଥାଏ। ଏହି ପ୍ରକ୍ରିୟା କଲେ ଆପଣଙ୍କ ଶରୀରକୁ ଶକ୍ତି ମିଳେ। ଭାରତରେ ବର୍ତ୍ତମାନ ଯେଉଁଭଳି ଭାବେ ଶୀତର ପ୍ରଭାବ, ସେଥିନିମନ୍ତେ ସୂର୍ଯ୍ୟସ୍ନାନ ଏକ ମହୌଷଧି ପରି କାମ କରିଥାଏ ବୋଲି ବିଶେଷଜ୍ଞଙ୍କ ମତ।

Comments are closed.