ଶୀତ ଆସର-୨୦୧୯ : ‘ସମୃଦ୍ଧ ଜୀବନର ସ୍ବପ୍ନ ଦେଖାଏ ସାହିତ୍ୟ’

ଭୁବନେଶ୍ବର : ଉଚ୍ଚ ଚିନ୍ତନ ଓ ଆନନ୍ଦମୟ ଅନୁଭବ ପାଇଁ ଉତ୍ସାହ ଦିଏ ସାହିତ୍ୟ। ଏକ ସମୃଦ୍ଧ ଜୀବନର ସ୍ବପ୍ନ ଦେଖାଏ। ସ୍ବପ୍ନ-ସମ୍ଭାବନାକୁ ଜାଗରୁକ କରିବାରେ ସାହିତ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଭୁବନେଶ୍ବର ସାହିତ୍ୟ ସମାଜ (ଟ୍ରଷ୍ଟ) ଆନୁକୂଲ୍ୟରେ ରବିବାର ପୂର୍ବାହ୍ନରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ‘ଶୀତ ଆସର:୨୦୧୯’କୁ ଉଦ୍‌ଘାଟନ କରି ଆଡ଼ଭୋକେଟ ଜେନେରାଲ ଅଶୋକ କୁମାର ପରିଜା କହିଥିଲେ, ସାହିତ୍ୟିକମାନେ ଯୁଗେ ଯୁଗେ ସମାଜର ମାର୍ଗଦର୍ଶକ ସାଜିଛନ୍ତି। ସେମାନେ ପରିବର୍ତ୍ତନର ବାହକ। ଅଧିକରୁ ଅଧିକ ଅନୁଦିତ ହୋଇପାରିଲେ ଓଡ଼ିଆ ସାହିତ୍ୟର ଆଦୃତି ବୃଦ୍ଧି ପାଇବ ବୋଲି ଶ୍ରୀ ପରିଜା ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥିଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଥିଲେ, ସମାଜକୁ ବଦଳାଇବାରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି। ସାହିତ୍ୟ ହେଉଛି ଭାବର ବିଷୟ। ଭାବକୁ ଅନ୍ତରଙ୍ଗ ଓ ନିଜସ୍ବ ଶୈଳୀରେ ପରିବେଷଣ କରିବାରେ ସ୍ରଷ୍ଟାର ମୌଳିକତା ନିହିତ। ଏଥିପାଇଁ ସାଧନା ଜରୁରୀ ବୋଲି ସେ କହିଥିଲେ।
ଅନୁଷ୍ଠାନର ସଭାପତି କବି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ପ୍ରାବନ୍ଧିକା-ଗାଳ୍ପିକା ଡ. ସୁଲୋଚନା ଦାସ କହିଥିଲେ, ସାହିତ୍ୟ ଜୀବନର ସନ୍ଧାନ ଦିଏ, ମୃତ୍ୟୁ ସମୟରେ ମଧ୍ୟ ଅମୃତର ଉପଲବ୍ଧି କରାଏ। ସମୟ ସହିତ ନିଜର ସବୁ ସମସ୍ୟାକୁ ସୁଧାରିବା ପାଇଁ ସାହିତ୍ୟ ହିଁ ପ୍ରେରଣା ଦିଏ। ବିଶିଷ୍ଟ ଅତିଥି କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ କହିଥିଲେ, ଆଧୁନିକ ସାହିତ୍ୟ ବିଜ୍ଞାନର ହାତ ଧରି ଚାଲିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆଧୁନିକ ସାହିତ୍ୟର ଆଙ୍ଗିକ ଓ ଆତ୍ମିକ ବିଭବରେ ବିସ୍ତାର ସମ୍ଭବ ହୋଇପାରିଛି।
ଏହି ଅବସରରେ କବି ସୁଶ୍ରୀ ପ୍ରତିଭା ପରିଡ଼ାଙ୍କୁ କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ, ଚିତ୍ରଶିଳ୍ପୀ ରବିନାରାୟଣ ରଥଙ୍କୁ ଦିନନାଥ ପାଠୀ ସୃଜନଶିଳ୍ପୀ ସମ୍ମାନ ପ୍ରଦାନ କରାଯିବା ସହ ‘କବିତା:୨୦୧୯’ ଲୋକାର୍ପିତ ହୋଇଥିଲା। ସମ୍ପାଦିକା ସୋନାଲି ମହାପାତ୍ର ବିବରଣୀ ଉପସ୍ଥାପନ କରିଥିବାବେଳେ ଡ. ନିଶାକର ପଣ୍ଡାଙ୍କ ‘ପ୍ରାଣ ଓ ପ୍ରୟାଣ’ ପୁସ୍ତକ ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଡ. ଦେବାଶିଷ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଡ. ଅଭୟ ନାୟକ ମାନପତ୍ର ପାଠ, ଉପସଭାପତି ମିନତି ଦାଶ ଧନ୍ୟବାଦ ଦେଇଥିଲେ।
ଦ୍ବିତୀୟ ପର୍ଯ୍ୟାୟରେ କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଡ. ଗୀତାଶ୍ରୀ ପ୍ରିୟମ୍ବଦା, ନୀଳଲୋହିତ ମହାପାତ୍ର ଓ ସୌଦାମିନୀ ବେହେରା ସଂଯୋଜନା କରିଥିବାବେଳେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ।

Comments are closed.