ନୂଆବର୍ଷରୁ ବଢ଼ିବ ଜାଡ଼

ଭୁବନେଶ୍ୱର : ରାଜ୍ୟବ୍ୟାପୀ ପ୍ରଚଣ୍ଡ ଶୀତଲହରୀ ଜାରି ରହିଥିବାବେଳେ ନୂଆବର୍ଷ ଆରମ୍ଭରୁ ଅଧିକାଂଶ ଜିଲାରେ ଅସମ୍ଭାଳ ଜାଡ଼ ଅନୁଭୂତ ହେବ। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ଉପକୂଳରେ ପାରଦ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିବ। ଫଳରେ ଆସନ୍ତା ସପ୍ତାହକ ଭିତରେ ଜାଡ଼ରୁ ବର୍ତ୍ତିବାର ସମ୍ଭାବନା କ୍ଷୀଣ।
୨୪ଘଣ୍ଟାରେ ତାପମାତ୍ରା ଅପରିବର୍ତ୍ତିତ ରହିବା ସହିତ ୩ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲାରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବୌଦ୍ଧ ଓ କନ୍ଧମାଳରେ ତିନିଦିନ ପ୍ରଚଣ୍ଡ ଶୀତ ଲଗିରହିବ। ସେହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୫.୫ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ସେହିପରି ଦାରିଙ୍ଗବାଡ଼ିରେ ପାରଦ ୬.୫ଡ଼ିଗ୍ରୀ ଥିବାବେଳେ ବାଲେଶ୍ବର, ଚାନ୍ଦବାଲି, କଟକ, ଅନୁଗୋଳ, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ଭବାନିପାଟଣା, ବଲାଙ୍ଗୀର, କୋରାପୁଟ, ଟିଟିଲାଗଡ଼, ମାଲକାନଗିରି, ସୋନପୁର, ନୟାଗଡ଼, ବୌଦ୍ଧ ଓ ରାୟଗଡ଼ାରେ ୧୦ରୁ ୧୪ଡ଼ିଗ୍ରୀ ମଧ୍ୟରେ ରହିଛି।

Comments are closed.