ମାଡ଼ି ଆସୁଛି ଶୀତ; ୫ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର : ଆଗକୁ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ର ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିବ।
ଏବେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଆଡୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡ଼ିଶାକୁ ପ୍ର‌େ‌ବଶ କରୁଛି। ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଆଭ୍ୟନ୍ତରୀଣ ଜିଲାଗୁଡିକରେ ଶୀତର ପ୍ରଭାବ ଅଧିକ ରହିବ। ପରବର୍ତ୍ତୀ ସମୟରେ ଉପକୂଳ ଜିଲାରେ ମଧ୍ୟ ଥଣ୍ଡା ଅନୁଭୂତ ହେବ। ଆଗାମୀ ସପ୍ତାହେ ଧରି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ ୧୨.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡାରେ ୧୩.୪, ଅନୁଗୋଳ ଓ କୋରାପୁଟରେ ୧୪, ଫୁଲବାଣୀରେ ୧୪.୫, କଟକରେ ୧୫.୮, ବାରିପଦାରେ ୧୫.୨, ସମ୍ବଲପୁରରେ ୧୫.୫, ସୁନ୍ଦରଗଡରେ ୧୫ ଏବଂ ତାଳଚେରରେ ୧୫.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳର ଢେଙ୍କାନାଳ, ଅନୁଗୋଳ, ମାଲକାନଗିରି, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କୋରାପୁଟ ଏବଂ କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଶୀତ ବଢୁଛି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଏହାର ପ୍ରକୋପ କ୍ରମଶଃ ବଢିବ। ତେବେ ପରବର୍ତ୍ତୀ ୩ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବ। କେନ୍ଦ୍ରୀୟ ଭାରତରେ ରହିଥିବା ଗୁରୁଚାପ ବଳୟ ମହାରାଷ୍ଟ୍ରକୁ ଗତି କରିଛି। ଏବେ ଉତ୍ତର ଭାରତରୁ ଥଣ୍ଡା ପବନ ରାଜ୍ୟକୁ ସିଧା ବହିବା ଆରମ୍ଭ କରିଛି। ସମଗ୍ର ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କମୁଛି। ଅନୁମାନ କରାଯାଉଛି ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ୍‌ କମିବ। ଏପରିକି କନ୍ଧମାଳ ଓ ସୋନପୁର ସମେତ କେତେକ ସ୍ଥାନରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ କମିପାରେ। ୨୩ ତାରିଖ ବେଳକୁ ଗୁରୁଚାପ ବଳୟ ପୁଣି କେନ୍ଦ୍ରୀୟ ଭାରତରେ ରହିବାର ସମ୍ଭାବନା ଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ। ଉତ୍ତରା ପବନ ରାଜ୍ୟକୁ ସିଧା ଆସିବା ବାଧାପ୍ରାପ୍ତ ହେବ।

Comments are closed.