ଖୋଲିବନି ମଦ ଦୋକାନ

- ଅନୁମତି ପ୍ରଦାନକୁ ବିରୋଧ କରି ବିଧାୟକ ଇଂ ମହମ୍ମଦ ମୋକିମ୍‍ କଲେ ମୌନ ପ୍ରତିବାଦ

ଭୁବନେଶ୍ବର/କଟକ: ରାଜ୍ୟରେ ଏବେ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ। କୌଣସି ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ। ସ୍ଥିତି ସମୀକ୍ଷା ପରେ ଯାଇ ଏହା ଉପରେ ନିଷ୍ପତ୍ତି ନିଆଯିବ। ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲା ଯାଉଥିବା ବେଳେ ପରିସ୍ଥିତି ଉପରେ ଓଡ଼ିଶା ସରକାର ନଜର ରଖିଛନ୍ତି। ସମୀକ୍ଷା କରାଯାଇ ଦିନେ ଦୁଇ ଦିନରେ ଏହା ଉପରେ ନିଷ୍ପତି ନିଆଯିବା ପରେ ନିର୍ଦେଶନାମା ଜାରି ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଓଡିଶାର ଗ୍ରୀନ ଜୋନ୍‌ରେ ଥିବା ଅନେକ ସ୍ଥାନରେ ମଦ ଦୋକାନ ବନ୍ଦ ରଖିବାକୁ ସମ୍ପୃକ୍ତ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସୋମବାର ସକାଳୁ ପୁରୀରେ କିଛି ମଦ ଦୋକାନ ଖୋଲିଥିଲା; କିନ୍ତୁ ପରେ ପ୍ରଶାସନ ଏହାକୁ ବନ୍ଦ କରିଥିଲା। ଗ୍ରୀନ ଜୋନ୍‌ରେ ମଦ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ଓଡିଶାର ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ ଏଯାଏଁ ନିଷ୍ପତ୍ତି ହୋଇନାହିଁ। ବରଗଡ଼, ମୟୂରଭଞ୍ଜ ଓ ବ୍ରହ୍ମପୁରରେ ଜିଲା ପ୍ରଶାସନ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇନାହାନ୍ତି। କଟକରେ ମଧ୍ୟ ମଦ ଦୋକାନ ବନ୍ଦ ଥିବା ଜଣାପଡିଛି।

ଅନ୍ୟପକ୍ଷରେ କେନ୍ଦ୍ର ମାର୍ଗଦର୍ଶିକାରେ ଗ୍ରୀନ୍‌ ଜୋନ୍‌ରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବାରୁ ଏହାକୁ ବିରୋଧ କରି ବିଧାୟକ ଇଂ ମହମ୍ମଦ ମୋକିମ୍‍ ମଙ୍ଗଳବାର ମୌନ ପ୍ରତିବାଦ କରିଛନ୍ତି। ରାଜ୍ୟ ସରକାର ଓଡ଼ିଶାରେ ମଦ ଦୋକାନ ନ ଖୋଲି ଏହାର ପୁର୍ନବିଚାର କରିବାକୁ ସେ ଦାବି କରିଛନ୍ତି। ଭାରତରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲକ୍‍ଡାଉନ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱସ୍ତରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନେଇ ପଦକ୍ଷେପ ପ୍ରଶଂସନୀୟ। କରୋନା ଯୋଗୁଁ ଦେଶର ଲକ୍ଷ ଲକ୍ଷ କୋଟିର ଆର୍ଥିକ କ୍ଷତି ଘଟୁଛି ଓ ଅନ୍ୟପଟେ ମାନବ ସମାଜ ବଞ୍ଚାଇବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜ୍ୟ ସରକାର ଲକ୍‌ଡାଉନ କଡ଼ାକଡ଼ି ପାଳନ ପାଇଁ କଠୋର ହେଉଥିଲା ବେଳେ ମଦ ଦୋକାନ ଖୋଲିବା ପାଇଁ ମାର୍ଗଦର୍ଶିକାର ନିଷ୍ପତ୍ତିିକୁ କାର୍ୟ୍ୟକାରୀ ନ କରିବାକୁ ସେ ଅନୁରୋଧ କରିଛନ୍ତି। ମଦ ଦୋକାନ ଖୋଲିବା ଦ୍ୱାରା ନିଶାଡ଼ିମାନଙ୍କୁ ଘରୋଇ ହିଂସା ପାଇଁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ବୋଲି ବିଧାୟକ ମୋକିମ କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ମଦ ଦୋକାନ ଖୋଲିବା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ସେ ଦାବି କରିଛନ୍ତି। ତେବେ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ନେଇ ଏ ପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନଥିବା ଅବକାରୀ ବିଭାଗ ସ୍ପଷ୍ଟ କରିଛି।

Comments are closed.