କରୋନା ବିରୋଧୀ ଯୁଦ୍ଧରେ ବାଧା ଦେଲା ମଦ

ଭୁବନେଶ୍ଵର(ମହେଶ ଶର୍ମା): କରୋନା ଯୋଦ୍ଧାଙ୍କ ଉପରେ ଫୁଲ ବର୍ଷା କରୁଥିବା ସରକାର ମଦ ବିକ୍ରି କରିବାର ନିଷ୍ପତ୍ତି ନେଇଛି, ଯାହାକୁ ସବୁ ମହଲରେ ନିନ୍ଦା କରାଯାଉଛି। ଯଦିଓ ଏହା ରାଜସ୍ୱର ଏକ ବହୁତ ବଡ ଉତ୍ସ ବୋଲି କୁହାଯାଏ, କିନ୍ତୁ ଏତେ ଶୀଘ୍ର ନିଷ୍ପତ୍ତି ନେବା ଏବଂ ଏହାକୁ ଏକ ଅଡୁଆ ପରିସ୍ଥିତିରେ କାର୍ଯ୍ୟକାରୀ କରିବା କେତେ ଦୂରଦୃଷ୍ଟି ସମ୍ପନ୍ନ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଦ ପାଇଁ ଦୋକାନ ଆଗରେ ଅସମ୍ଭାଳ ଭିଡ଼ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ବଡ଼ ଅସ୍ତ୍ର କୁହାଯାଉଥିବା ‘ସାମାଜିକ ଦୂରତା’କୁ ପଥଭ୍ରଷ୍ଟ କରିଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ସମସ୍ତ କରୋନା ଯୋଦ୍ଧାଙ୍କୁ ହତୋତ୍ସାହିତ କରିଦେଇଛି, ଯେଉଁମାନଙ୍କ ନିଷ୍ଠାପର ଉଦ୍ୟମ ବଳରେ ଭାରତ ଆଜି ସାରା ବିଶ୍ଵରେ କରୋନା ମୁକାବିଲାରେ ଆଗରେ ରହିଥିଲା। ଏଥିପାଇଁ ଓଡ଼ିଶା ସରକାର ଗଣମାଧ୍ୟମର ପ୍ରିୟ ପାଲଟିଯାଇଥିଲେ।

କରୋନା ଭୂତାଣୁଠାରୁ ମଣିଷଙ୍କୁ ରକ୍ଷା କରିବା ଲାଗି ଯେଉଁ ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରାଯାଉଥିଲା, ତାହାର ଖୋଲାଖୋଲି ଉଲ୍ଲଂଘନ ବିଭିନ୍ନ ଜିଲାରେ ଚିହ୍ନଟ ହୋଇଥିବା ରେଡ୍‌, ଗ୍ରୀନ ଓ ଅରେଞ୍ଜ ଜୋନରେ ବାରମ୍ବାର ହୋଇଛି। ଦେଶର ଅର୍ଥବ୍ୟବସ୍ଥାରେ ଯୋଗଦାନ ନାମରେ ମଦ ପିଇବାର ସଉକ ରଖୁଥିବା ବ୍ୟକ୍ତି ଏହା ଭୁଲିଯାଉଛନ୍ତି ଯେ ଏହି ଭୂତାଣୁ ସେମାନଙ୍କ ପରିବାର ପାଇଁ ବି ବିପଦ ସାଜିପାରେ। କୁହାଯାଉଛି ଯେ, ଲକଡାଉନ ମଧ୍ୟରେ ମଦ ଦୋକାନ ଖୋଲିବାର ନିଷ୍ପତ୍ତି ଦୈନିକ ଶହ ଶହ କୋଟି ଟଙ୍କାର ରାଜସ୍ବ ଆୟ କରିବାର ଲକ୍ଷ୍ୟରେ ନିଆଯାଇଥାଇପାରେ। କିନ୍ତୁ ମଦ କିଣିବା, ବିକ୍ରି କରିବା ଏବଂ ମଦ୍ୟପାନର ସୌଖିନ ରଖୁଖିବା ଲୋକମାନେ ଏହା ବଳରେ ସାମାଜିକ ଦୂରତା ସହିତ ଅନ୍ୟାନ୍ୟ ମାନଦଣ୍ଡକୁ ଉଲ୍ଲଂଘନ କରିଛନ୍ତି। ଗାନ୍ଧୀ ଶାନ୍ତି ଫାଉଣ୍ଡେଶନ ସହିତ ଜଡ଼ିତ ଓଡ଼ିଶାର ଡକ୍ଟର ବିଶ୍ଵଜିତ କହିଛନ୍ତି ଯେ, କରୋନା ଯୋଦ୍ଧାମାନଙ୍କ ଉଦ୍ୟମକୁ ଏହା ପ୍ରତ୍ୟକ୍ଷ ଅପମାନ। ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନଙ୍କ ଜୀବନ ରକ୍ଷା କରିଥିଲେ, ସେମାନଙ୍କ ପ୍ରତି ସରକାର ଅବିଚାର କରିଛନ୍ତି। କ’ଣ ୧୦ ଦିନ ପାଇଁ ମଦ ବିକ୍ରି ବନ୍ଦ ହୋଇପାରିବ ନାହିଁ? ଲୋକମାନେ କହିଛନ୍ତି ଯେ, ଦେଶରେ ସମସ୍ତ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବାବେଳେ ସରକାର ମଦ ଦୋକାନ ଖୋଲି ସମସ୍ୟା ବଢ଼ାଇଛନ୍ତି। କର୍ଣ୍ଣାଟକ ପରି ରାଜ୍ୟରେ ଗୋଟିଏ ଦିନରେ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଉତ୍ତରପ୍ରଦେଶରେ ସାଧାରଣ ଦିନରେ ୧୩ ଲକ୍ଷ ଲିଟର ଦେଶୀ, ୬୫ ଲକ୍ଷ ଲିଟର ବିଦେଶୀ ଏବଂ ୧୨.୫ ଲକ୍ଷ ଲିଟର କେନ୍‌ ମଦ ବିକ୍ରି ହୋଇଥାଏ। ଏବେ ଏହା ଦୁଇଗୁଣ ହୋଇଗଲା। ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ ୫ଟି ରାଜ୍ୟରେ ୫୫୪ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଛି। ସୋମବାର ଉତ୍ତରପ୍ରଦେଶରେ ୨୨୫ କୋଟି, ମହାରାଷ୍ଟ୍ରରେ ୨୦୦ କୋଟି, ରାଜସ୍ଥାନରେ ୫୯ କୋଟି, କର୍ଣ୍ଣାଟକରେ ୪୫ କୋଟି ଏବଂ ଛତିଶଗଡରେ ୨୫ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଛି।

ମଦ ଦୋକାନ ସାମ୍ନାରେ ଛିଡ଼ା ହୋଇଥିବା ଲୋକମାନେ ମାସ୍କ ପିନ୍ଧି ନ ଥିବାବେଳେ ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇଥିବା ଦେଖାଯାଇ ନ ଥିଲା। ଏକ ଚ୍ୟାନେଲ ଦିଲ୍ଲୀ ସମ୍ପର୍କରେ ଏକ ରିପୋର୍ଟରେ ଦର୍ଶାଇଛି ଯେ, ଆରୋଗ୍ୟ ସେତୁ ଆପ୍‌ ତଥ୍ୟ ଅନୁସାରେ ଏକ ମଦ ଦୋକାନର ୧ କିଲୋମିଟର ଅଞ୍ଚଳ ମଧ୍ୟରେ ୯ ଜଣ କରୋନା ଆକ୍ରାନ୍ତ ରହିଥିବାବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅନେକ ଲୋକ ରହିଛନ୍ତି। ରିପୋର୍ଟରେ ଏ ନେଇ ଚେତାବନୀ ଦିଆଯିବା ପରେ ମଧ୍ୟ କେହି ଶୁଣି ନାହାନ୍ତି। ଲକଡାଉନର ତୃତୀୟ ପର୍ଯ୍ୟାୟରେ ଦେଶର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହୋଇଥିବା ତିନୋଟି ଜୋନରେ ବ୍ୟାବସାୟିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ମଦ ଦୋକାନଗୁଡ଼ିକରେ ଏହାର ପ୍ରଭାବ ଅଧିକ ଦେଖାଯାଇଥିଲା। ମଦ ଦୋକାନ ଆଗରେ ଭିଡ଼ ଜମାଉଥିବା ଲୋକଙ୍କ ମଧ୍ୟରେ କରୋନା ଲକ୍ଷଣ ଥିବା ରୋଗୀମାନେ ଦେଖାଯାଉ ନ ଥିଲେ ମଧ୍ୟ ଲକ୍ଷଣ ନ ଥିବା ବ୍ୟକ୍ତି ସମାନ ଭାବରେ ବିପଦ ଆଣିଥାନ୍ତି। କିନ୍ତୁ ଲୋକମାନେ ଏ ଦିଗରେ ସଚେତନ ନାହାନ୍ତି।

– ପ୍ରତିବର୍ଷ ଓଡ଼ିଶା, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ୨୪% ରାଜସ୍ବ ମଦରୁ ମିଳିଥାଏ।

– ଲକଡାଉନରେ ମଦ ବିକ୍ରି ବନ୍ଦ ଯୋଗୁ ପ୍ରତିଦିନ ରାଜ୍ୟଗୁଡ଼ିକ ୭୦୦ କୋଟିର ରାଜସ୍ବ ହରାଉଛନ୍ତି।

– ଗତବର୍ଷ ମଦରୁ ରାଜ୍ୟଗୁଡ଼ିକୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଇଥିଲେ।

– ଗୋଟିଏ ବର୍ଷରେ ଜଣେ ବ୍ୟକ୍ତି ୫.୭ ଲିଟର ମଦ୍ୟପାନ କରୁଛନ୍ତି। ପୁରୁଷ ୪.୨ ଲିଟର ମଦ୍ୟପାନ କରୁଥିବାବେଳେ ମହିଳା ୧.୫ ଲିଟର ମଦ୍ୟପାନ କରୁଛନ୍ତି।

ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ତଥ୍ୟ ଅନୁସାରେ, ୨୦୧୬ରେ ମଦ୍ୟପାନ ଯୋଗୁ ଭାରତରେ ୨ ଲକ୍ଷ ୬୪ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୦ ହଜାର ୬୩୨ ଲୋକ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ୯୨ ହଜାରରୁ ଅଧିକ ଲୋକ ମଦ୍ୟପାନ  ଯୋଗୁ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଛନ୍ତି। ୩୦ ହଜାର ୯୫୮ ଜଣ କର୍କଟ ରୋଗରେ ପ୍ରାଣ ହରାଇଛନ୍ତି।

ରିପୋର୍ଟ ଏବଂ ଫଟୋ: ସୌଜନ୍ୟ

Comments are closed.