୨୦ତମ ଗ୍ରାଣ୍ଡସ୍ଲାମ୍ ଜିତିଲେ ଜୋକୋଭିକ୍‌

ଲଣ୍ଡନ୍‌ : ବିଶ୍ବର ୧ନଂ ପୁରୁଷ ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିକ୍ ଜୀବନର ୨୦ତମ ଗ୍ରାଣ୍ଡସ୍ଲାମ୍‌ ସିଙ୍ଗଲ୍‌ସ ଟାଇଟଲ ଜିତି ପାରିଛନ୍ତି। ରବିବାର ଏଠାରେ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍‌ସିପ ୱିମ୍ବଲଡନ୍‌ରେ ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଜିତିବା ସହ ଜୋକୋଭିକ୍ ଏହି କୃତିତ୍ବ ହାସଲ କରିଛନ୍ତି। ୩ ଘଣ୍ଟାରୁ ଅଧିକ ସମୟ ଥର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଜୋକୋଭିକ୍‌ ୬-୭, ୬-୪, ୬-୪, ୬-୩ ସେଟ୍‌ରେ ୭ମ ସିଡ୍‌ ମାଟ୍ଟିଓ ବେରେଟିନିଙ୍କୁ ପରାସ୍ତ କରିଛନ୍ତି। ଜୀବନରେ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ୍‌ର ଫାଇନାଲରେ ପହଞ୍ଚିଥିବା ଇଟାଲୀର ବେରେଟିନିଙ୍କର ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାର ସ୍ବପ୍ନ ଅଧୁରା ରହିଯାଇଛି।
ଟେନିସ୍ ଦୁନିଆର ମହାନ୍ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିକ୍ ଏହି ବିଜୟ ସହ ସମ ସାମୟିକ ଅନ୍ୟ ଦୁଇ ମହାନ୍ ଖେଳାଳି ସ୍ବିଜରଲାଣ୍ଡର ରଜର ଫେଡେରର ଓ ସ୍ପେନ୍‌ର ରାଫେଲ ନାଦାଲଙ୍କ ସମକକ୍ଷ ହୋଇଛନ୍ତି। ଫେଡେରର ଓ ନାଦାଲ ମଧ୍ୟ ବିଶ୍ବରେକର୍ଡ ସର୍ବାଧିକ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ଏହାସହ ୬ଷ୍ଠ ଥର ଜୋକୋଭିକ୍‌ ୱିମ୍ବଲଡନ୍‌ରେ ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ଜୋକୋଭିକ୍ ପ୍ରଥମ ସେଟ୍‌ରେ ୫-୨ରେ ଆଗୁଆ ଥିଲେ ହେଁ ବେରେଟିନି ଲଢ଼ୁଆ ପ୍ରଦର୍ଶନ କରି ସ୍କୋର୍‌କୁ ୬-୬ କରିଥିଲେ ଏବଂ ସେଟ୍‌କୁ ଟାଇବ୍ରେକରରେ ଜିତି ନେଇଥିଲେ। ତେବେ ପରବର୍ତ୍ତୀ ୩ଟିଯାକ ସେଟ୍‌ରେ କୋକୋଭିକ୍ ଥରେ ଲେଖାଏଁ ବେରେଟିନିଙ୍କ ସର୍ଭିସ ଭାଙ୍ଗିବା ସହ ଏହାକୁ ଜିତି ନେଇଥିଲେ। ଏହି ମୁକାବିଲା ୩ ଘଣ୍ଟା ୨୩ ମିନିଟ ଧରି ଚାଲିଥିଲା।

Comments are closed.