ୱିମ୍ବଲଡନ୍‍ରୁ ଓହରିଲେ ୱାରିଙ୍କା

ଲଣ୍ଡନ୍‍: ୩ଟି ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଟାଇଟଲର ବିଜେତା ସ୍ୱିଜରଲାଣ୍ଡର ଷ୍ଟାନିଆସ୍‍ ୱାରିଙ୍କା ଆସନ୍ତା ଗ୍ରାଣ୍ଡସ୍ଳାମ୍‍ ଟେନିସ ଚମ୍ପିଆନ୍‍ସିପରୁ ଓହରି ଯାଇଛନ୍ତି। ଜୁନ୍‍ ୨୮ରୁ ଲଣ୍ଡନ୍‍ରେ ୱିମ୍ବଲଡନ ଚମ୍ପିଆନ୍‍ସିପ ଆରମ୍ଭ ହେଉଛି। ପୂର୍ବତନ ବିଶ୍ୱର ୩ନଂ ପୁରୁଷ ସିଙ୍ଗଲ୍‍ସ ଖେଳାଳି ୱାରିଙ୍କାଙ୍କର ଚଳିତବର୍ଷ ପ୍ରାରମ୍ଭରେ ପାଦରେ ଆଘାତ ଲାଗିଥିଲା। ଏଥିରେ ସେ ଅସ୍ତ୍ରୋପଚାର କରାଇଥିଲେ। ହେଲେ ଅଦ୍ୟାବଧି ୱାରିଙ୍କା ସୁସ୍ଥ ହୋଇନାହାନ୍ତି। ଫଳରେ ୱାରିଙ୍କା ବିଭିନ୍ନ ଏଟିପି ଟୁର୍ଣ୍ଣାମେଣ୍ଟ ସହ ଏବେ ଚାଲିଥିବା ଫ୍ରେଞ୍ଚ୍‍ ଓପନ୍‍ରୁ ମଧ୍ୟ ଓହରି ଯାଇଛନ୍ତି। ଚଳିତ ସପ୍ତାହରେ ସେ ୱିମ୍ବଲଡନ୍‍ରୁ ଓହରିବାର ନିଷ୍ପତ୍ତି ନେଇଛନ୍ତି।

ୱିମ୍ବଲଡନ୍‍ ହେଉଛି ଏକମାତ୍ର ଗ୍ରାଣ୍ଡସ୍ଲାମ୍‍; ଯାହାକୁ ୱାରିଙ୍କା ଜିତିନାହାନ୍ତି। ୩୬ ବର୍ଷ ବୟସ୍କ ଷ୍ଟାନିଆସ୍‍ ୱାରିଙ୍କା ୧୫ ବର୍ଷ ୱିମ୍ବଲଡନ୍‍ରେ ଖେଳିଛନ୍ତି। ସେ ୨୦୧୪ ଓ ୨୦୧୫ରେ କ୍ୱାର୍ଟରଫାଇନାଲ ଖେଳିଥିଲେ। ୨୦୧୪ରେ ଅଷ୍ଟ୍ରେଲିଆନ୍‍ ଓପନ୍‍, ୨୦୧୫ରେ ଫ୍ରେଞ୍ଚ୍‍ ଓପନ୍‍ ଓ ୨୦୧୬ରେ ୱାରିଙ୍କା ୟୁଏସ୍‍ ଓପନ୍‍ ସିଙ୍ଗଲ୍‍ସ ଟାଇଟଲ ଜିତିଥିଲେ। ଏବେ ବିଶ୍ୱରେ ୨୪ନଂ ସିଙ୍ଗଲ୍‍ସ ମାନ୍ୟତାକୁ ଖସି ଆସିଥିବା ୱାରିଙ୍କା ମୋନାକୋରେ ରହି ସୁସ୍ଥ ହେଉଛନ୍ତି।

Comments are closed.