ରକ୍ତ ଅପେକ୍ଷାରେ ମୁହଁ ଖୋଲି ରହିଛି ପୋଲ, ଜୀବନହାନି ପରେ ଦୃଷ୍ଟି ପଡିବ କି ପ୍ରଶାସନର ?

ରେଙ୍ଗାଲି କ୍ୟାମ୍ପ : ଅତାବିରା ରୁ ଟୋପ ଗ୍ରାମକୁ ଯିବା ରାସ୍ତାରେ ରହିଛି ଏକ ପୋଲ। ଯେଉଁ ପୋଲ ଦେଇ ପ୍ରତିଦିନ ୬ଟି  ପଞ୍ଚାୟତର ଲୋକେ ଯିବା ଆସିବା କରିଥାନ୍ତି। ଟୋପ ଗାଁର ଆଗକୁ ରହିଛି ପେଟ୍ରୋଲ ଟାଙ୍କି । ତେଣୁ ବଡ ଟ୍ୟାଙ୍କର ତଥା ଭାରୀ ଯାନ ଗୁଡ଼ିକ ମଧ୍ୟ ଯିବା ଆସିବା କରିଥାଏ । ଏହି ରାସ୍ତା ଦେଇ ଯାତ୍ରୀବାହି ବସ ତଥା ଜିରୋ ପଏଣ୍ଟ କୁ ବୁଲିବା ପାଇଁ ବି ଦୂର ଦୁରାନ୍ତରରୁ ଲୋକେ ଯିବା ଆସିବା କରିଥାନ୍ତି। କାରଣ ଜିରୋ ପଏଣ୍ଟକୁ ଯିବା ପାଇଁ ଏହା ଟିକେ କମ ରାସ୍ତା ପଡ଼ିଥାଏ। କିନ୍ତୁ ଏହି ପୋଲ ର ତଳ ଭାଗ ଦୁଇ ପାର୍ଶ୍ବରେ ଗର୍ତ୍ତ ସୃଷ୍ଟି ହୋଇ ଦିନକୁ ଦିନ ପଥର ଗୁଡ଼ିକ ଖସି ଚାଲିଛି। ଉପରୁ ପୋଲଟିକୁ ଦେଖିଲେ ଠିକ୍ ଲାଗୁଛି ହେଲେ ତଲ ପଟୁ ଦେଖିଲେ ଛାତି ଥରି ଉଠୁଛି ଏହା ଉପରେ ଯିବାପାଇଁ। ପ୍ରତିଦିନ ସ୍କୁଲ୍ କଲେଜର ପିଲାମାନେ ଏହି ପୋଲ ଉପର ଦେଇ ଯାଉଛନ୍ତି। ପୋଲଟି କେତେବେଳେ ଖସିପଡ଼ିବ ତାହା କହିହେଉ ନାହିଁ। ପୁଣି ପୋଲ ଟି ଏତେ ତଳିଆ ହେଇଛି ଯେ ବର୍ଷା ଦିନ ହେଲେ ଗୋଟିଏ ଦିନର ବର୍ଷାରେ ପୋଲ ଉପରେ ୨/୩ ଫୁଟ ପାଣି ଯାଇଥାଏ। ପୋଲ ପାର ହୋଇ ଯିବା ଆସିବା କରିହୁଏ ନାହିଁ। ପିଲାଙ୍କ ତଥା ଶିକ୍ଷକ ମାନଙ୍କ ପାଇଁ ସେ ଦିନ ସ୍କୁଲ୍ କଲେଜ ଯିବା ବନ୍ଦ ହୋଇ ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ନିତିଦିନିଆ ରୋଜଗାର ପାଇଁ ଅତାବିରା ଓ ବରଗଡ଼ ହେଉଛି ଲୋକଙ୍କ ପେଣ୍ଠସ୍ଥଳୀ । କିନ୍ତୁ ଏହି ପୋଲ ଯୋଗୁ ବର୍ଷା ଦିନେ ବେଳେବେଳେ ଦୁଇଦିନ ଧରି ବି ଲୋକେ ଆସି ପାରି ନଥାନ୍ତି । ତାଙ୍କର ରୋଜଗାର ବି ବନ୍ଦ ହୋଇଯାଏ । ଦୀର୍ଘ ଦିନର ଏହି ପୋଲ ଦେଇ ଅନେକ ନେତା, ମନ୍ତ୍ରୀ, ଯନ୍ତ୍ରୀ ତଥା ପ୍ରଶାସନିକ ଅଧିକାରୀ ଯିବା ଆସିବା କରୁଛନ୍ତି ହେଲେ ଦୁଃଖର ବିଷୟ ଯେ କାହାରି ଦୃଷ୍ଟି ଏହି ପୋଲ ଉପରେ ପଡୁନି। ମଣିଷ ରକ୍ତ ମୁଖା ଏହି ପୋଲ ର ନିର୍ମାଣ ପାଇଁ ଅନେକ ଥର ଖବର କାଗଜ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇସାରିଛି। ତଥାପି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ତେବେ କଣ କିଛି ଦୁର୍ଘଟଣା ଘଟିବା ପରେ ବା ଲୋକଙ୍କ ପ୍ରାଣହାନି ପରେ ଏହାର ନିର୍ମାଣ କରାଯିବ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ବଳିଦାନ ବିନା କୌଣସି ଉଚ୍ଚତର କାର୍ଯ୍ୟ କରାଯାଇ ପାରିବ ନାହିଁ କି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Comments are closed.