ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ସମସ୍ତଙ୍କ ଧ୍ୟେୟ ହେଉ

୬୬ତମ ବନ୍ୟପ୍ରାଣୀ ସପ୍ତାହ, ୨୦୨୦ ପାଳିତ: ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ‘ସେଭ୍‌ ଏଲିଫ୍ୟାଣ୍ଟ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ’ ପାଇଲା ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର

ଭୁବନେଶ୍ୱର: ଗୃହପାଳିତ ପଶୁମାନଙ୍କୁ ଆମେ ଯେଉଁଭଳି ଭାବରେ ସ୍ନେହ ଓ ଆଦର ପ୍ରଦର୍ଶନ କରିଥାଉ, ଜଙ୍ଗଲରେ ରହୁଥିବା ବନ୍ୟପ୍ରାଣୀଙ୍କ ପ୍ରତି ସେହିଭଳି ଆଦର, ଦୟା, କରୁଣା ଭାବ ଆମ ଭିତରେ ରହିବା ଉଚିତ୍‌ । ବହୁମୂଲ୍ୟ ବନ୍ୟପ୍ରାଣୀ ଥରେ ଲୋପ ପାଇଗଲେ ଆମର ଉତ୍ତରପୁରୁଷମାନେ ସେମାନଙ୍କୁ ଦେଖିପାରିବେ ନାହିଁ ଓ ଆମକୁ ଏଥିପାଇଁ କ୍ଷମା ଦେବେ ନାହିଁ । ତେଣୁ ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ସମସ୍ତଙ୍କ ଧ୍ୟେୟ ହେଉ ଓ ଆମର ମହାନ୍‌ ଜୈବବିବିଧତା ସୁରକ୍ଷିତ ରହୁ, ଏଥିପାଇଁ ଜନସାଧାରଣ ଆନ୍ତରିକ ଉଦ୍ୟମ ଓ ସହଯୋଗ କରିବାକୁ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆହ୍ୱାନ ଦେଇଛନ୍ତି ।
ଭୁବନେଶ୍ୱରସ୍ଥିତ ପ୍ରକୃତି ଭବନ ଠାରେ ଆୟୋଜିତ ୬୬ତମ ବନ୍ୟପ୍ରାଣୀ ସପ୍ତାହ, ୨୦୨୦ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମୂଲ୍ୟବାନ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ଦିଗରେ ସଦାସର୍ବଦା ଅଙ୍ଗୀକାରବଦ୍ଧ । ତାଙ୍କର ଦୃଢ଼ ଓ ବଳିଷ୍ଠ ନିର୍ଦ୍ଦେଶ ଯୋଗୁଁ ଓଡ଼ିଶାର ଭୌଗୋଳିକ ଆୟତନର ୩୩.୧୫ ପ୍ରତିଶତ ବନାଞ୍ଚଳ ଦ୍ୱାରା ଆଚ୍ଛାଦିତ ହୋଇପାରିଛି ଯାହା ଜାତୀୟ ହାର ୨୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ । ଏହା ଆମ ରାଜ୍ୟର ବନ୍ୟପ୍ରାଣୀ, ଜଙ୍ଗଲ ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଦୃଢ଼ ପଦକ୍ଷେପର ଚାକ୍ଷୁଷ ପ୍ରମାଣ । ଆମର ବନାନୀ ବହୁବିଧ ବନ୍ୟପ୍ରାଣୀ ଓ ଜୈବବିବିଧତାରେ ପରିପୂର୍ଣ୍ଣ । ୩ ହଜାରରୁ ଅଧିକ ପ୍ରଜାତିର ଉଦ୍ଭିଦ ସହ ୧୧୪ ପ୍ରଜାତିର
ସ୍ତନ୍ୟପାୟୀ ପ୍ରାଣୀ, ୫୩୭ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ଉଭୟଚର ପ୍ରାଣୀ ଏବଂ ୧୨୯ ପ୍ରକାରର ସରୀସୃପ ଆମ ରାଜ୍ୟରେ ଦେଖାଯାଇଥାନ୍ତି। ବିଭିନ୍ନ ବନ୍ୟପ୍ରାଣୀ ଏବଂ ଲୁପ୍ତପ୍ରାୟ ପ୍ରଜାତିମାନଙ୍କୁ ସେମାନଙ୍କ ଆବାସସ୍ଥଳୀ ବାହାରେ ସଂରକ୍ଷଣ ନିମନ୍ତେ ୧୯ଟି ଅଭୟାରଣ୍ୟ, ୩ଟି ହସ୍ତୀ ପ୍ରକଳ୍ପ, ୨ଟି ବ୍ୟାଘ୍ର ପ୍ରକଳ୍ପ, ଗୋଟିଏ ସଂରକ୍ଷିତ ଜୈବମଣ୍ଡଳ ଏବଂ ଗୋଟିଏ ଜାତୀୟ ଉଦ୍ୟାନ ସ୍ଥାପନ କରାଯାଇଛି। ଅଧିକ ୩ଟି ଅଭୟାରଣ୍ୟ ସ୍ଥାପନ, ସୁନାବେଡା ଅଭୟାରଣ୍ୟର ପରିସୀମା ୧୧୧ ବର୍ଗ କିଲୋମିଟର ବୃଦ୍ଧି ପ୍ରସ୍ତାବ ବିଚାରାଧୀନ ରହିଛି। ଏସବୁ ବନ୍ୟପ୍ରାଣୀଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ ଅଞ୍ଚଳ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ ହୋଇଥିବାରୁ ଏସବୁର ରକ୍ଷଣାବେକ୍ଷଣ ଓ ଯତ୍ନ ନେବା ଆମର ମହାନ୍‌ କର୍ତ୍ତବ୍ୟ। ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଓ ଅଦ୍ୱିତୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ ଓ ଗୋଷ୍ଠୀଙ୍କୁ ଦିଆଯାଉଥିବା ବିଜୁ ପଟ୍ଟନାୟକ ପୁରସ୍କାର ଏ ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡିକୁ ଅଧିକ ପ୍ରୋତ୍ସାହିତ କରିଛି । ଚଳିତ ବର୍ଷର ବିଜୁ ପଟ୍ଟନାୟକ ପୁରସ୍କାର ସେଭ୍‌ ଏଲିଫ୍ୟାଣ୍ଟ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟକୁ ପ୍ରଦାନ କରି ଅନୁଷ୍ଠାନର ନିଷ୍ଠାପର ଉଦ୍ୟମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ ।
ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ କୁମାରଖୁଣ୍ଟିଠାରେ ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ହସ୍ତୀ ଥଇଥାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଅନୁଗୋଳ, ଢେଙ୍କାନାଳ, ଆଠଗଡ଼, ବାରିପଦା ଓ ଖୋର୍ଦ୍ଧା ବନାଞ୍ଚଳ ଡିଭିଜନ୍‌ରେ ହସ୍ତୀ-ମାନବ ସଂଘର୍ଷକୁ ଯଥାସମ୍ଭବ କମାଇବା ପାଇଁ ଗଜବନ୍ଧୁ ଯୋଜନା ଆରମ୍ଭ ହୋଇଛି । ବନ ସୁରକ୍ଷା ସମିତି ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଗଜବନ୍ଧୁ ରୂପେ ମାନ୍ୟତା ଦିଆଯିବ ଓ ସେ ଏ ବାବଦରେ ୬ ମାସିଆ ଶସ୍ୟ ଋତୁରେ ପାରିଶ୍ରମିକ ପାଇବେ।
ସାରା ରାଜ୍ୟରେ ଓଡ଼ିଶା ହସ୍ତୀ ନିରୀକ୍ଷଣ ବ୍ୟବସ୍ଥା ଅନୁସୃତ ହୋଇଛି। ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ରାଜ୍ୟର ୧୪ଟି ହାତୀ କରିଡୋର୍‌ ପରିଚାଳନା ଦିଗରେ ଗତ ବର୍ଷ ୧୫ କୋଟି ଟଙ୍କା ବ୍ୟୟ କରାଯାଇଥିବାବେଳେ ଚଳିତ ବର୍ଷ ୨୨ କୋଟି ଟଙ୍କା ବିନିଯୋଗ କରାଯିବ। ଗତ ବର୍ଷ ଅନୁକମ୍ପାମୂଳକ ସହାୟତା ବାବଦରେ ବଜେଟ୍‌ରେ ୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ଏଥିପାଇଁ ୭ କୋଟି ଟଙ୍କା ରଖାଯାଇଛି। ପରିବେଶ ପର୍ଯ୍ୟଟନର ଉତ୍କର୍ଷ ସାଧନ ପାଇଁ ୫ ବର୍ଷିଆ ଯୋଜନା ଆରମ୍ଭ ହୋଇଛି । ରାଜ୍ୟର ୧୮ଟି ଜିଲ୍ଲାରେ ୪୭ଟି ପରିବେଶ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯାଇଛି। ଗତବର୍ଷ ୪୬ ହଜାରରୁ ଅଧିକ ପରିଦର୍ଶକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ ଓ ଏଥିପାଇଁ ୬ କୋଟି ୮୫ ଲକ୍ଷ ଟଙ୍କା ରାଜସ୍ୱପ୍ରାପ୍ତି ହୋଇଥିଲା। ପରିବେଶ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଗତ ବର୍ଷ ବଜେଟ୍‌ରେ ୭ କୋଟି ୫୭ ଲକ୍ଷ ଟଙ୍କା ବ୍ୟବସ୍ଥା ହୋଇଥିବାବେଳେ ଚଳିତ ବର୍ଷ ଏହାକୁ ବଢାଇ ଏଥିପାଇଁ ୧୯ କୋଟି ଟଙ୍କା ରଖାଯାଇଛି । କେବଳ ଶିମିଳିପାଳ ଓ ସାତକୋଶିଆ ପରିବେଶ ପର୍ଯ୍ୟଟନ କ୍ଷେତ୍ରରୁ ସ୍ଥାନୀୟ ଅଧିବାସୀମାନେ ଗତ ଦୁଇ ବର୍ଷରେ ଦୁଇକୋଟି ଟଙ୍କା ଉପାର୍ଜନ କରିବା ବେଶ୍‌ ଉତ୍ସାହଜନକ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫‘ଟି’ ମନ୍ତ୍ର ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ’ଅନୁକମ୍ପା’ ପୋର୍ଟାଲ୍‌କୁ ମନ୍ତ୍ରୀ ଶ୍ରୀ ଆରୁଖ ଉନ୍ମୋଚନ କରିଥିଲେ। ଏହି ପୋର୍ଟାଲ୍‌ ଜରିଆରେ ଅନୁକମ୍ପାମୂଳକ କ୍ଷତିପୂରଣ ପାଇଁ ପଞ୍ଜୀକରଣ କରାଯିବ। ୱାଇଲଡ୍‌ ଲାଇଫ୍‌ ଓଡ଼ିଶା ୨୦୨୦, ଆନୁଆଲ୍‌ ରିପୋର୍ଟ, କଫି ଟେବୁଲ୍‌ ବୁକ୍‌ ଅନ୍‌ ଇକୋଟୁରିଜିମ୍‌, ଏନ୍‌ଡବ୍ଲ୍ୟୁସିଏସ୍‌ଓ ନ୍ୟୁଜ୍‌ଲେଟର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କୁଇଜ୍‌ ଓ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷିତ ହୋଇଥିଲା।
ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ୫‘ଟି’ ମନ୍ତ୍ର ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ପ୍ରତିଫଳିତ ହେବା ଜରୁରୀ। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱ କପ ହକିରେ ଅଲିଭ ରିଡ୍‌ଲେକୁ ଓଲି ମାସ୍କଟ୍‌ ଭାବେ ବିଶ୍ୱବ୍ୟାପୀ ଖ୍ୟାତି ମିଳିପାରିଛି ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଡ. ହରିଶଙ୍କର ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଓ ଅନ୍ୟ ବିଭାଗୀୟ ଉଚ୍ଚାଧିକାରୀମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଅତିରିକ୍ତ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ଧନ୍ୟବାଦ ଦେଇଥିଲେ।

Comments are closed.