ଚିକେନ ପରିବର୍ତ୍ତେ ସାଦା ବିରିଆନି ଆଣିବାରୁ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ପତ୍ନୀ ଇଚ୍ଛା କରିଥିଲେ ଚିକେନ୍ ବିରିଆନି ଖାଇବାକୁ; ମାତ୍ର ଦୋକାନରେ ଚିକେନ୍ ବିରିଆନି ସରି ଯାଇଥିଲା । ଅନନ୍ୟୋପାୟ ପତି ଚିକେନ୍ ବିରିଆନି ପରିବର୍ତ୍ତେ ସାଦା ବିରିଆନି ଆଣିବାରୁ କ୍ରୋଧିତ ପତ୍ନୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ସ୍ପର୍ଶକାତର ଘଟଣା ଘଟିଛି ତାମିଲନାଡ଼ୁର ମାମଲ୍ଲପୁରମ୍ ଅଞ୍ଚଳରେ ।

ସୂଚନା ଅନୁସାରେ ମନୋହର ଓ ସୌମ୍ୟା ଗତ ୧୨ ବର୍ଷ ତଳେ ବିବାହ କରିଥିଲେ ଓ ସେମାନଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ଏହି ଦମ୍ପତି ମୂର୍ତି ନିର୍ମାଣ କରନ୍ତି ଓ ସେଥିରେ ସେମାନଙ୍କ ପରିବାର ସୁରୁଖୁରୁରେ ଚାଲିଥିଲା । କିଛିଦିନ ତଳେ ସେମାନଙ୍କ ଘର ନିକଟରେ ଏକ ନୂଆ ଫାଷ୍ଟଫୁଡ଼୍ ଦୋକାନ ଖୋଲିଥିଲା । ଦୋକାନ ନୂଆ ଖୋଲିଥିବାରୁ ଦୋକାନୀ ପ୍ରମୋସନାଲ ଅଫର ଦେଇଥିଲେ ଯେ ଗୋଟିଏ ବିରିଆନି ସାଙ୍ଗରେ ଆଉ ଏକ ବିରିଆନି ଫ୍ରି । ତେଣୁ  ସେହି ଦୋକାନରୁ ଚିକେନ ବିରିଆନି ଆଣିବା ପାଇଁ ସ୍ବାମୀ ମନୋହରଙ୍କୁ ବରାଦ କରିଥିଲେ ।

ମନୋହର ଦୋକାନକୁ ଚିକେନ ବିରିଆନି ପାଇଁ ଯାଇଥିଲେ । ମାତ୍ର ସେତେବେଳେକୁ ଚିକେନ୍ ବିରିଆନି ସରି ଯାଇଥିଲା । ବାଧ୍ୟ ହୋଇ ସେ ଭେଜ୍ ବିରିଆନି ଧରି ଫେରିଥିଲେ । ମାତ୍ର ଚିକେନ୍ ପରିବର୍ତ୍ତେ ଭେଜ ବିରିଆନି ଆଣିଥିବାରୁ ସୌମ୍ୟା ଅଭିମାନ କରିଥିଲେ ଆଉ ବିରିଆନି ଖାଇବାକୁ ମନା କରି ଦେଇଥିଲେ । ବିରିଆନି ନଷ୍ଟ ନ କରି ମନୋହର ତାହାକୁ ତାଙ୍କର ଜଣେ ପଡ଼ୋଶୀଙ୍କୁ ଦେଇ କାମକୁ ବାହାରି ଯାଇଥିଲେ ।

ଏହାପରେ ସୌମ୍ୟା ନିଜ ଘରର ଛାତ ଉପରକୁ ଯାଇ ଏକ ଘର ଭିତରେ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଘର ଭିତରୁ ନିଆଁ ଓ ଧୂଆ ବାହାରୁଥିବା ଦେଖି ତାଙ୍କର ପଡ଼ୋଶୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା ଓ ଡ଼ାକ୍ତରଖାନାରେ ଭର୍ତି କରିଥିଲା । ତାଙ୍କ ଦେହର ୯୦ ଭାଗ ପୋଡ଼ି ଯାଇଥିଲା ଓ ସେ ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ପୁଲିସ ଘଟଣାର ଅନୁସନ୍ଧାନ କରୁଛି । ତାଙ୍କର ୧୧ ବର୍ଷର ଝିଅ ଓ ୧୦ ବର୍ଷର ପୁଅକୁ ମଧ୍ୟ ପଚରା ଉଚରା କରୁଛି ।

Comments are closed.