ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଆର କୁମାରମଙ୍ଗଳମ୍‍ଙ୍କ ପତ୍ନୀଙ୍କୁ ହତ୍ୟା

ଡକାୟତମାନେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତୀ ପି ଆର କୁମାରମଙ୍ଗଳମ୍‍ଙ୍କ ପତ୍ନୀ କିଟ୍ଟି କୁମାରମଙ୍ଗଳମ୍‍ଙ୍କୁ ହତ୍ୟା କରାଯାଇଛି । ନୂଆଦିଲ୍ଲୀର ବସନ୍ତ ବିହାର ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ଡକାୟତମାନେ କିଟ୍ଟିଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ଏହି ଘଟଣାରେ ଜଣକୁ ସନ୍ଦେହରେ ଅଟକ ରଖିଥିବାବେଳେ ଅନ୍ୟ ଦୁଇଜଣ ସନ୍ଦିଗ୍ଧଙ୍କୁ ଖୋଜା ଚାଲିଛି ।
ଦକ୍ଷିଣ ପଶ୍ଚିମ ଦିଲ୍ଲୀର ପୁଲିସ ଉପାୟୁକ୍ତ ଆଇ ପି ସିଂ କହିଛନ୍ତି, ୬୭ ବର୍ଷ ବୟସ୍କା କିଟ୍ଟି କୁମାରମଙ୍ଗଳମ୍‍ଙ୍କୁ ଡକାୟତମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ଇତିମଧ୍ୟରେ ସନ୍ଦେହରେ ଜଣକୁ ଅଟକ ରଖିଛି । କିଟ୍ଟିଙ୍କର ଘରୋଇ ସହାୟିକା କହିଛନ୍ତି ଯେ ଲଣ୍ଡ୍ରିର ଜଣେ ଲୋକ କିଟ୍ଟିଙ୍କ ବାସଭବନକୁ ରାତି ପ୍ରାୟ ୮.୩୦ରେ ଆସିଥିଲେ ଏବଂ ପରେ ଘରକୁ ଆଉ ଦୁଇଜଣ ଆସିଥିଲେ । ସେ ଏହି ଅଭିଯୋଗ ମଧ୍ୟ କରିଛନ୍ତି ଯେ ସେମାନେ ତାଙ୍କୁ (ଘରୋଇ ସହାୟିକା)ଙ୍କୁ ବାନ୍ଧିଦେବା ପରେ କିଟ୍ଟିଙ୍କୁ ହତ୍ୟା କରିଥିଲେ । ସୂଚନାଯୋଗ୍ୟ ଯେ ପି ଆର କୁମାରମଙ୍ଗଳମ୍‍ ୧୯୮୪ରୁ ୧୯୯୬ ଏବଂ ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସାଲେମ ଆସନରୁ ଲୋକସଭାକୁ ର୍ନିବାଚିତ ହୋଇଥିଲେ । ସେ ପି ଭି ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳରେ ୧୯୯୧ ଜୁଲାଇରୁ ୧୯୯୩ ଡିସେମ୍ବର ପର୍ଯ୍ୟନ୍ତ ଆଇନ, ନ୍ୟାୟ ଓ କମ୍ପାନୀ ବ୍ୟାପାର ମନ୍ତ୍ରୀ ଥିଲେ ଏବଂ ବାଜପାୟୀଙ୍କ ସରକାରରେ ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଶକ୍ତିମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

Comments are closed.