ଘରେ ପହଞ୍ଚିଲା ଯବାନଙ୍କ ମୃତଦେହ, କୂଅକୁ ଡେଇଁ ଆତ୍ମହତ୍ୟା କଲେ ସ୍ତ୍ରୀ

ରାଞ୍ଚି: ଘରେ ଯବାନଙ୍କ ମୃତଦେହ ପହଞ୍ଚିବା ପରେ ସ୍ତ୍ରୀ ଦୁଃଖରେ ଭାଙ୍ଗିପଡ଼ି କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚି ଅନ୍ତର୍ଗତ ବହେରାଟୋଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ଜାମ୍ମୁରେ ମୁତୟନ ହୋଇଥିବା ବହେରାଟୋଲି ଗାଁର ୨୯ ବର୍ଷୀୟ ଯବାନ ବଜରଙ୍ଗ ଭଗତଙ୍କ ମୃତ୍ୟୁ ଘଟିଥିଲା। ୨୦୧୨ରେ ବଜରଙ୍ଗ ସେନାରେ ଯୋଗଦେଇଥିଲେ। ୩ମାସ ତଳେ ସେ ଜାମ୍ମୁରେ ନିଯୁକ୍ତ ହୋଇଥିଲେ। ଗତ ୨୯ ତାରିଖ ରାତିରେ ଶୋଇଥିବାବେଳେ ଖଟରୁ ଖସିପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ମିଳିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା। ଦୁଃଖରେ ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ ମ୍ରିୟମାଣ ହୋଇପଡ଼ିଥିଲେ। ସେଠାରୁ ମୃତଦେହକୁ ଗାଁକୁ ଅଣାଯାଇଥିଲା। ମାତ୍ର ଗାଁରେ ମୃତଦେହ ପହଞ୍ଚିବା ପରେ ବଜରଙ୍ଗଙ୍କ ସ୍ତ୍ରୀ ଅଧିକ ଭାଙ୍ଗିପଡ଼ିଥିଲେ। ବଜରଙ୍ଗଙ୍କ ଅନ୍ତିମ ସଂସ୍କାର ହେବା ପୂର୍ବରୁ ସେ ଘର ନିକଟରେ ଥିବା ଏକ କୂଅକୁ ଡେଇଁପଡ଼ି ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶେଷରେ ଏକ ସାଙ୍ଗରେ ଉଭୟଙ୍କ ଅନ୍ତିମ ସଂସ୍କାର ହୋଇଛି।

Comments are closed.