ପତିଙ୍କ ଆଶାବାଡ଼ି ପାଲଟିଛନ୍ତି ପତ୍ନୀ: ଜ୍ୟୋତିଙ୍କ କାନ୍ଧରେ ରାସ୍ତା ଚାଲୁଛନ୍ତି ଦୀପକ

କାନପୁର: ପତି-ପତ୍ନୀର ସମ୍ପର୍କ ଯୁଗଯୁଗର । ସାତ ଜନ୍ମ ପାଇଁ ଏହି ସମ୍ପର୍କ ପରସ୍ପର ପ୍ରତି ନିର୍ବାହ କରିବାକୁ ବେଦୀର ନିଆଁ ନିକଟରେ ଶପଥ ନେଇଥାଆନ୍ତି । ମାତ୍ର ଆଜିର ସ୍ବାର୍ଥପର ଯୁଗରେ ଗୋଟିଏ ଜନ୍ମ ତ ଦୂରର କଥା କେଇ ବର୍ଷ ମଧ୍ୟ ଏହି ସମ୍ପର୍କ ଦୃଢ଼ ହୋଇ ରହିପାରୁନାହିଁ । ଏହା ସତ୍ତ୍ବେ ସ୍ବାମୀଙ୍କୁ ଇହକାଳ ଓ ପରକାଳର ଦେବତା ମାନୁଥିବା ପତ୍ନୀମାନଙ୍କ ସଂଖ୍ୟା କିଛି କମ୍ ନୁହେଁ । କାନପୁର ରେଳ ଷ୍ଟେସନରେ ଜଣେ ଯୁବତୀ ନିଜର ଅପଙ୍ଗ ସ୍ବାମୀଙ୍କୁ କାନ୍ଧରେ ବୋହି ଟ୍ରେନକୁ ନେବାର ଦୃଶ୍ୟ ଆଜି ଅନେକଙ୍କୁ ହତବାକ୍ କରି ଦେଇଛି । ସମସ୍ତଙ୍କ ମୁହଁରେ ଯୁବତୀଙ୍କ ଭୁରିଭୁରି ପ୍ରଶଂସା ।

ଉଦୁଉଦିଆ ଖରାବେଳ । ଏତିକିବେଳେ ଜଣେ ଯୁବତୀ ଜଣେ ଯୁବକଙ୍କୁ ପିଠିରେ ବସାଇ ଷ୍ଟେସନ ମଧ୍ୟରେ ପ୍ରବେଶ କରୁଥିଲେ। ଯୁବତୀ ଜଣକ ବି ଦୁର୍ବଳ, ଠିକ ଭାବରେ ଚାଲି ପାରୁ ନ ଥାନ୍ତି । ତଥାପି ସ୍ବାମୀଙ୍କୁ ଟ୍ରେନ୍ ପାଖକୁ ନେବା ନିମନ୍ତେ ଆଉ କିଛି ସାଧନ ନ ଥିବାରୁ ସେ ବାଧ୍ୟ ହୋଇ ଏପରି ପଦକ୍ଷେପ ନେଇଥିଲେ ।

ସମ୍ପୃକ୍ତ ଯୁବକ ଜଣେ ଠିକା କର୍ମଚାରୀ । ତାଙ୍କ ନାମ ଦୀପକ ଓ ତାଙ୍କ ପତ୍ନୀଙ୍କ ନାମ ଜ୍ୟୋତି କୁମାରୀ ।  ଘର ମହାରାଷ୍ଟ୍ରର ଜଲଗାଓଁ ଅଞ୍ଚଳରେ। ସେ କାନପୁର ନିକଟରେ ଫଜଲଗଞ୍ଜରେ ବିଜୁଳି ଠିକାଦାର ନିକଟରେ କାମ କରୁଥିଲେ । ମାତ୍ର କେଇ ସପ୍ତାହ ପୂର୍ବରୁ କାମ କରୁଥିବାବେଳେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା । ଗୋଡ଼ ପ୍ଲାଷ୍ଟର ହୋଇଥିବାରୁ ସେ ଚଲାବୁଲା କରି ପାରୁ ନ ଥିଲେ । ପ୍ଲାଷ୍ଟର ଖୋଲାଯିବା ପରେ ମଧ୍ୟ ଡ଼ାକ୍ତର ତାଙ୍କୁ ନ ଚାଲିବାକୁ ପରାମର୍ଶ ଦେଇଥିଲେ । ଏବେ ପ୍ଳାଷ୍ଟର ଖୋଲା ଯିବା ସତ୍ତ୍ବେ ସେ ଚଲାବୁଲା କରି ପାରୁନାହାନ୍ତି । ତେଣୁ ସେ ଯୁଆଡ଼େ ଯାଉଛନ୍ତି ପତ୍ନୀ ଜ୍ୟୋତି ହିଁ ତାଙ୍କ ପାଇଁ ସାଜିଛନ୍ତି ଆଶାବାଡ଼ି । ପତ୍ନୀଙ୍କ ପିଠିରେ ଲାଉ ହୋଇ ଦୀପକ ନୂଆ ଜୀବନ ଦେଖୁଛନ୍ତି ।

ଲକ୍ଡ଼ାଉନ ଯୋଗୁଁ ସେମାନେ ଗାଁକୁ ଫେରି ପାରି ନ ଥିଲେ । ମାତ୍ର ଏବେ କିଛି ଟ୍ରେନ ଚଳାଚଳ କରିବା ପରେ ଏହି ଦମ୍ପତି ଗାଁକୁ ଯିବାକୁ ବାହାରିଥିଲେ ।  ଷ୍ଟେସନ ପର୍ଯ୍ୟନ୍ତ ଏକ ଗାଡ଼ିରେ ଆସିବା ପରେ ଜ୍ୟୋତି ତାଙ୍କୁ ପିଠିରେ ବୋହି ପ୍ଲାଟଫର୍ମ ଭିତରକୁ ନେଇ ଯାଇଥିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

Comments are closed.