ଜମ୍ମୁ , ହିମାଚଳ ସମେତ ଉତ୍ତରାଖଣ୍ଡରେ ବର୍ଷା ଓ ତୁଷାରପାତ ; ଜନଜୀବନ ପ୍ରଭାବିତ

0

ଶ୍ରୀନଗର : ବର୍ଷା ଓ ତୁଷାରପାତ ଯୋଗୁଁ ଜାମ୍ମୁ-କାଶ୍ମୀରର ଉତ୍ତର ପାର୍ବତ୍ୟାଞ୍ଚଳରେ ସଧାରଣ ଜନଜୀବନ ଯାତ୍ରା ପ୍ରଭାବିତ ହୋଇଛି । ପ୍ରବଳ ତୁଷାରପାତ ଯୋଗୁଁ ତିନିଦିନ ଧରି ପ୍ରାୟ ୪୦ ଜଣ ଯାତ୍ରୀ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ସାଧନା-ଶୀର୍ଷରେ ଅଟକି ରହିଛନ୍ତି। ଯବାନମାନଙ୍କ ସହାୟତାରେ ସେମାନଙ୍କୁ ବିମାନଦ୍ୱାରା ଉଦ୍ଧାର ପାଇଁ ପ୍ରଶାସନ ଚେଷ୍ଟା ଚଳାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତିନିଫୁଟରୁ ପାଞ୍ଚଫୁଟ ଉଚ୍ଚତାର ବରଫ ଜମିଯିବା ଫଳରେ ଏଠାରେ ପରିବହନ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

Photo Courtesy : India .com

ସେହିପରି ହିମାଚଳପ୍ରଦେଶ ପ୍ରଦେଶର କୁଲୁ, ଚାମ୍ବା, କିନ୍ନୁର ଏବଂ ଲାହୌଲ-ସ୍ପିତି ଜିଲ୍ଲାରେ ଶୀତ ଲହରୀ ଜାରୀ ରହିବା ସହ ତୁଷାରପାତ ଓ ବର୍ଷା ହୋଇଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ବରଫପାତ, ବର୍ଷା ଓ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅନ୍ୟପକ୍ଷରେ ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ ଏବଂ ଆଲିରେ ଥିବା ସ୍କି କ୍ରୀଡ଼ା ପରିସରରେ ଗତକାଲି ବରଫପାତ ହୋଇଛି। ଗରୱାଲ ଓ କୁମାଉନ ଅଞ୍ଚଳରେ ରବିବାର ପ୍ରବଳ ବରଫପାତ ଓ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ତେବେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ସକାଳେ ଝିପିଝିପି ବର୍ଷା ହୋଇଛି। ଫଳରେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା।

Leave A Reply