ଇଣ୍ଡିଜ୍‌ ୧୭ ରନ୍‌ରେ ବିଜୟୀ; ୨-୦ରେ ସିରିଜ୍ ପୋଛିଲା

ଢାକା : ଘରୋଇ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ୨-୦ରେ ପୋଛିନେଇଛି। ପ୍ରଥମ ଟେଷ୍ଟରେ ବିଜୟୀ ହୋଇଥିବା ୱେଷ୍ଟଇଣ୍ଡିଜ୍ ରବିବାର ସମାପ୍ତ ହୋଇଥିବା ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌କୁ ୧୭ ରନ୍‌ରେ ଜିତିନେଇଛି। ୨ୟ ଇନିଂସରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ ଘଟିବା ସତ୍ତ୍ବେ ବାଂଲାଦେଶକୁ ଜିତିବା ପାଇଁ ୨ୟ ଇନିଂସରେ ୨୩୧ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ବାଂଲାଦେଶ ଏହି ରନ୍‌ରେ ପିଛାକରିବା ରୋମାଞ୍ଚକର ହୋଇ ଯାଇଥିଲା। ତେବେ ୱେଷ୍ଟଇଣ୍ଡିଜ୍‌ର ସ୍ପିନର ନିମୟିତ ୱିକେଟ ନେବାରୁ ବାଂଲାଦେଶ ୨ୟ ଇନିଂସରେ ୨୧୩ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା।
ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍‌ ୧୧୩ ରନ୍‌ ଆଗରେ ରହିଥିବା ବେଳେ ୩ୟ ଦିନର ଖେଳ ଶେଷ ସୁଦ୍ଧା ୨ୟ ଇନିଂସରେ ୩ ୱିକେଟ୍ ହରାଇ ୪୧ ରନ୍‌ କରିଥିଲା। ନିକ୍ରୁମା ବୋନର ୩୮, ଓପ୍‌ନର ଜନ୍ କ୍ୟାମ୍ପ୍‌ବେଲ୍‌ ୧୮ ଓ ଜୋସୁଆ ଡା ସିଲ୍‌ଭା ୨୦ ରନ୍‌କରି ଆଉଟ ହୋଇଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍ ୨ୟ ଇନିଂସରେ ୧୧୭ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ୨୩୧ ରନ୍‌ର ବିଜୟଲକ୍ଷ୍ୟ ଘରୋଇ ବାଂଲାଦେଶ ଲାଗି ସହଜ ହେବ ବୋଲି ଆଶା କରା ଯାଉଥିବା ବେଳେ ୱେଷ୍ଟଇଣ୍ଡିଜ୍‌ର ସ୍ପିନର ଚମତ୍କାର ବୋଲିଂ କରିଥିଲେ। ଓପ୍‌ନର ତମିମ୍ ଉଲ୍‌ ହକ୍ ୪୬ ବଲ୍‌ରୁ ୯ଟି ଚୌକା ସହ ସର୍ବାଧିକ ୫୦ ରନ୍‌ କରିଥିଲେ। ବାଂଲାଦେଶର ଅନ୍ୟ ବ୍ୟାଟ୍‌ସମ୍ୟାନ୍ ଉପଯୋଗୀ ଇନିଂସ ଖେଳିଥିଲେ ହେଁ କେହି ବଡ଼ ସ୍କୋର୍ କରି ପାରିନଥିଲେ। ଅଧିନାୟକ ମୋମିନୁଲ ହକ୍ ୨୬, ମେହ୍‌ଦି ହାସନ୍ ମିରାଜ୍ ୩୧, ଲିଟନ୍ ଦାସ ୨୨ ଏବଂ ନୟିମ୍ ହାସନ୍ ଓ ମୁସ୍‌ଫିକୁର ରହିମ୍ ୧୪ ରନ୍ ଲେଖାଏଁ କରିଥିଲେ। ଅଫ୍‌ସ୍ପିନର ରାହ୍‌କିମ୍ କର୍ନୱାଲ ୪ଟି ଏବଂ ଜୋମେଲ ୱାରିକାନ୍ ଓ କ୍ରେଗ୍ ବ୍ରାଥ୍‌ୱେଟ୍‌ ୩ଟି ଲେଖାଏଁ ୱିକେଟ ନେଇଥିଲେ। ରାହ୍‌କିମ୍ କର୍ନୱାଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ ନିକ୍ରୁମା ବୋନର ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।

Comments are closed.