ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ର ପ୍ରଚାରରେ ବିଳମ୍ବ କାହିଁକି?

ଶ୍ରୀଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ- ‘ସତ୍ୟମ୍‌ ସତ୍ୟମ୍‌ ପୁନଃ ସତ୍ୟମ୍‌ ସତ୍ୟମେଦ ବ୍ରବିମିତେ, ପ୍ରାସାଦ ଭାଙ୍ଗେ ତତ୍‌ସ୍ଥାନଂ ନ ତ୍ୟକ୍ଷାମି କଦାଚନ’। ମୁଁ ତୁମ୍ଭ ନିକଟରେ ୪ଥର ସତ୍ୟ କରି କହୁଛି- ଏହି ପ୍ରାସାଦ (ମନ୍ଦିର) ଭୂମିସାତ୍‌ ହେଲେ ମଧ୍ୟ ମୁଁ ଏଠାରୁ କେବେ ଯିବିନାହିଁ।

ପଞ୍ଚଦଶ ଶତାବ୍ଦୀରେ ବୈଷ୍ଣବ କବି ଅଚ୍ୟୁତାନନ୍ଦ ଦାସ କହିଲେ- ‘ସର୍ବଦା ନୀଳାଦ୍ରିରେ ସ୍ଥିତି, ଏଠୁ ସକଳେ ଯାତ ହୋନ୍ତି, ସକଳ ଅବତାର ମାନ, ଯାତ ହୋଇଣ ପଶେ ପୁଣ’। ଅର୍ଥାତ ବିଷ୍ଣୁଙ୍କ ଦଶାବତାର ଶ୍ରୀଜଗନ୍ନାଥଙ୍କଠାରୁ ଜନ୍ମନେଇ ଲୀଳାଖେଳା କରି ଶେଷରେ ଫେରି ତାଙ୍କ ଶରୀରରେ ବିଲୀନ ହୋଇଯାଆନ୍ତି। ଏହା ମଧ୍ୟ ଶାସ୍ତ୍ର ସମ୍ମତ। ସେଥିପାଇଁ ଶ୍ରୀମନ୍ଦିରରେ ନୃସିଂହ, ଶ୍ରୀରାମ ଓ ଶ୍ରୀକୃଷ୍ଣ ଜନ୍ମ ପାଳନ, ବିଭିନ୍ନ ଅବତାରର ବେଶ, ମାର୍ଗଶିର ମାସରେ ଦେବଦୀପାବଳୀ ତିଥିରେ ୩ ଦିନ ଧରି ପିତୃପୁରୁଷଙ୍କ ଶ୍ରାଦ୍ଧ, ମାନବୀୟ ଲୀଳାର ‘ନବକଳେବର’ ଓ ବାରମାସରେ ୧୩ ପର୍ବ ପାଳନ ହୋଇଥାଏ।

ଶ୍ରୀମନ୍ଦିରରେ ଏହି ଯେଉଁ ରୀତିନୀତି, ପୂଜା ଉତ୍ସବ ଆୟୋଜନ ଆବାହମାନ କାଳରୁ ହୋଇ ଆସୁଅଛି ତା’ର କିଛି ଶାସ୍ତ୍ରୀୟତା ଅନୁମୋଦନ ଅଛି କି? ଯଦି ଉତ୍ତର ‘ନା’ ହୁଏ, ତେବେ କ’ଣ ପରମ୍ପରା ଭିତ୍ତିରେ ଏ ସମସ୍ତ କାର୍ଯ୍ୟ ଶ୍ରୀମନ୍ଦିରରେ ହୋଇଆସୁଛି? ଯଦି ଉତ୍ତର ‘ହଁ’ ହୁଏ, ତେବେ ଶାସ୍ତ୍ରର ନାମ କ’ଣ ଓ କିଏ ସେହି ଶାସ୍ତ୍ରର ରଚୟିତା? ଦୁଃଖ ଓ ପରିତାପର ବିଷୟ ଏହି ଶାସ୍ତ୍ର ୨୦୧୨ ମସିହା ପର୍ଯ୍ୟନ୍ତ ପଣ୍ଡିତବର୍ଗ, ଶ୍ରୀମନ୍ଦିର କିମ୍ବା ସରକାରଙ୍କ ଦ୍ବାରା ସମସ୍ତଙ୍କ ଦୃଷ୍ଟିକୁ ଅଣାଯାଇନଥିଲା। ଏହି ଶାସ୍ତ୍ର ଲୋକଲୋଚନକୁ ଆଣିବା ପାଇଁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ବ୍ୟାକୁଳ ଥିଲେ। ଶେଷରେ ତାଙ୍କ ଅନୁରୋଧରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସହଯୋଗ, ପୁରୀର ପଣ୍ଡିତ ବର୍ଗ, ମଠାଧୀଶ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଉଦ୍ୟମ ତଥା ପୁରୀ ଗୋବର୍ଦ୍ଧନ ପୀଠ ଅଧ୍ୟକ୍ଷ ଶଙ୍କରଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଶୀର୍ବାଦରେ ମହର୍ଷି ବ୍ୟାସଦେବକୃତ ୬୦ ଅଧ୍ୟାୟ ବିଶିଷ୍ଟ (୩୮୬୩ ଶ୍ଳୋକ) ସ୍କନ୍ଦପୁରାଣ (ଉତ୍କଳଖଣ୍ଡ)- ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ର ଭାବରେ ଅନୁମୋଦନ କରାଗଲା।

୧୯୭୮ ମସିହାରେ ପୁରୀର ଭାଗବତ ଆଶ୍ରମର ଅଧ୍ୟକ୍ଷ ବାବା ଚୈତନ୍ୟ ଚରଣ ଦାସ ବୃନ୍ଦାବନ ଯାଇଥିବା ସମୟରେ ଜନୈକ ସନ୍ନ୍ୟାସୀ ତାଙ୍କୁ ସ୍କନ୍ଦପୁରାଣ (ଉତ୍କଳଖଣ୍ଡ)-ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ ପୁସ୍ତକଟି ଦେଇ ଅନୁରୋଧ କରିଥିଲେ ଯେ ସେ ଏହାକୁ ଓଡ଼ିଆ ଭାଷାରେ ଅନୁବାଦ କରି ଶ୍ରୀଜଗନ୍ନାଥଙ୍କୁ ଶାସ୍ତ୍ରାନୁମୋଦିତ ତଥ୍ୟ ଅନୁସାରେ ପ୍ରସାର କରିବେ। ସେ ସ୍କନ୍ଦପୁରାଣକୁ ଓଡ଼ିଆରେ ଅନୁବାଦ କରି ଶାସ୍ତ୍ରୀୟ ଧାରାରେ ଶ୍ରୀଜଗନ୍ନାଥଙ୍କ ପ୍ରଚାର ପ୍ରସାର କରିଥିଲେ ମଧ୍ୟ ଏ କାର୍ଯ୍ୟ ଆଗକୁ ଯାଇପାରିଲା ନାହିଁ।
ଶ୍ରୀଜଗନ୍ନାଥଙ୍କ ଲୀଳା, ମାହାତ୍ମ୍ୟ ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ଅଧୀନରେ ପ୍ରଚାର ପ୍ରସାର ଉପସମିତିର ଅଧ୍ୟକ୍ଷ ଗଜପତି ମହାରାଜା ନିଷ୍ପତ୍ତି ନେଲେ ଯେ, ମନ୍ଦିର ପ୍ରତିନିଧିମାନଙ୍କୁ ନେଇ ଯେଉଁ କମିଟିମାନ ଗଠନ କରାଯିବ ତାହାର ସମାନ ନାମ ରହିବ, ସ୍ଥାନର ନାମ କେବଳ ପରିବର୍ତ୍ତନ ହେବ। ଏହି ନିଷ୍ପତ୍ତିକୁ ପାଥେୟ କରି ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓଡ଼ିଶାର ପ୍ରତ୍ୟେକ ଜିଲାକୁ ସ୍ବସ୍ବଖର୍ଚ୍ଚରେ ଯାଇ ୩୨ ଶ୍ରୀଜଗନ୍ନାଥ ଚେତନା ସେବା ସମିତି ଆନ୍ଧ୍ରପ୍ରଦେଶର ମଞ୍ଜୁଷା, ଛତିଶଗଡ଼ର ଜଗଦଳପୁର ଓ ଝାଡ଼ଖଣ୍ଡର ବାହାଡ଼ଗୋଡ଼ା ବ୍ଲକ, କୋଲକାତା, ଦିଲ୍ଲୀ ଏବଂ ଏନସିଆର ପାଇଁ ଶ୍ରୀଜଗନ୍ନାଥ ଚେତନା ସେବା ସମିତି ଗଠନ କରିଛନ୍ତି।

ସଂସ୍କୃତି ପରିଷଦ ଆଜକୁ ପ୍ରତ୍ୟେକ ମାସରେ ‘ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମାଚାର’ ପତ୍ରିକା ଓଡ଼ିଆ, ହିନ୍ଦୀ ଏବଂ ୨୦୧୯-୨୦ ମସିହାରୁ ଇଂରାଜୀରେ ପ୍ରକାଶନ କରିଆସୁଛନ୍ତି। ଏହି ମାହତ୍ମ୍ୟରେ ପ୍ରଚାର ପ୍ରସାର ପାଇଁ ପରିଷଦ ଓଡ଼ିଆ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ ଇଂରାଜୀରେ ୩୦ଖଣ୍ଡ ପୁସ୍ତକ ପ୍ରକାଶନ କରିସାରିଛନ୍ତି। ଶ୍ରୀମନ୍ଦିର ଦ୍ବାରା ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରକାଶିତ ପୁସ୍ତକମାନ ବିକ୍ରି ହେବାର ସୁବିଧା ଥିଲେ ମଧ୍ୟ ସ୍ଥାନାଭାବ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ। ଏହାଦ୍ବାରା ଭକ୍ତମାନେ ସେମାନଙ୍କ ଭାଷାରେ ପୁସ୍ତକ କ୍ରୟ କରିବା ପାଇଁ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଇସ୍କନ ସମେତ ବିଦେଶରେ କର୍ମରତ ଓଡ଼ିଆ ଭାଇମାନେ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସଙ୍ଗେସଙ୍ଗେ ମୂଳପୀଠ ସହ ସଂଯୋଗ ସ୍ଥାପନ କରିବାପାଇଁ ଆଗ୍ରହୀ। ଗୁଗୁଲରୁ ଜଣାଯାଏ, ମୂଳ ସ୍କନ୍ଦ ପୁରାଣର ୮୧୧୦୦ ଶ୍ଳୋକ ବିଭିନ୍ନ ଭାଷାରେ ଅନୁବାଦ ହୋଇସାରିଛି। ସେଥିରେ ଯେଉଁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଖଣ୍ଡ ଅଛି, ତା’ର ୪୯ଟି ଅଧ୍ୟାୟ ରହିଛି। ଶ୍ରୀମନ୍ଦିର ପ୍ରଶାସନ ୨୦୧୨ ମସିହାରେ ଯେଉଁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟକୁ ମହାପ୍ରଭୁଙ୍କ ଶାସ୍ତ୍ର ଭାବରେ ଗ୍ରହଣ କରିଛନ୍ତି, ତାହା ୬୦ ଅଧ୍ୟାୟ ଅଟେ। ତେଣୁ ଅନ୍ୟ ଭାଷାରେ ଅନୁବାଦ ହୋଇଥିବା ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରକୁ ୬୦ ଅଧ୍ୟାୟରେ ପରିଣତ କରି ସେହି ରାଜ୍ୟର ମନ୍ଦିରମାନଙ୍କ ଦ୍ବାରା ପ୍ରଚାର ପ୍ରସାର କରାଗଲେ, ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରର କେବଳ ପ୍ରଚାର ପ୍ରସାର ହେବନି, ମୂଳପୀଠ ଶ୍ରୀକ୍ଷେତ୍ର ପୃଥିବୀର ଏକ ଆଧ୍ୟାତ୍ମିକ କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିବ।

ରାଜ୍ୟ ସରକାର ଯେପରି ଭାବରେ ଏହି ପୀଠର ପାରିପାର୍ଶ୍ବିକ ଉନ୍ନତି ଆଣିପାରିଛନ୍ତି ଠିକ୍‌ ସେହିଭଳି ମହାପ୍ରଭୁଙ୍କର ଶାସ୍ତ୍ରର ପ୍ରସାର ହେଲେ ମାନବ ସମାଜ ନିଶ୍ଚିତ ଭାବରେ ତାଙ୍କଦ୍ବାରା ଶୁଭାଶିଷ ପ୍ରାପ୍ତ ହେବ।

Comments are closed.