ଆଇପିଏଲ୍‍ ଖେଳସୂଚୀ ଘୋଷଣାରେ ବିଳମ୍ବ କାହିଁକି?

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ଟ୍ୱେଣ୍ଟି୨୦ ଲିଗ୍‍ ଆଇପିଏଲ୍‍ ଖେଳିବା ପାଇଁ ଦେଶବିଦେଶର ଖେଳାଳି ଏବେ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଡେରା ପକାଇଛନ୍ତି। ଆଇପିଏଲ୍‍ର ୮ଟିଯାକ ଫ୍ରାଞ୍ଚାଇଜି ରବିବାର ସୁଦ୍ଧା ୟୁଏଇରେ ପହଞ୍ଚି ସଂଗରୋଧରେ ଅଛନ୍ତି। ଆଇପିଏଲ୍‍ରେ ବିଭିନ୍ନ ସେବା ଯୋଗାଣକାରୀ ସଂସ୍ଥା ମଧ୍ୟ ୟୁଏଇରେ ପହଞ୍ଚି ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। କ୍ରିକେଟ୍‍ପ୍ରେମୀ କେବଳ ଏତିକି ଜାଣନ୍ତି ଯେ ଆଇପିଏଲ୍‍ର ୧୩ଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭହୋଇ ନଭେମ୍ବର ୧୦ରେ ସରିବ। ଟୁର୍ଣ୍ଣାମେଣ୍ଟ ଆରମ୍ଭହେବାକୁ ମାସକରୁ ମଧ୍ୟ କମ୍‍ ସମୟ ବାକିଥିଲେ ହେଁ ଆଇପିଏଲ୍‍ର ଖେଳସୂଚୀ ଘୋଷଣା ନ ହେବା ଅନେକଙ୍କୁ ଚକିତ କରିଛି। ତେବେ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଖେଳସୂଚୀ ଘୋଷଣା ପୂର୍ବରୁ ଏହା ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ବିଚାର କରୁଛି।

ମହାମାରୀ କରୋନା ସଂକ୍ରମଣ ଯୋଗୁଁ ବିସିସିଆଇ ଖେଳସୂଚୀ ପ୍ରସ୍ତୁତିରେ ସତର୍କତା ଅବଲମ୍ବନ କରୁଛି। ବିସିସିଆଇ ମଧ୍ୟସ୍ଥ ଉକ୍ତ ସୂତ୍ର ଅନୁସାରେ, ଆଇପିଏଲ୍‍ର ପ୍ରଥମ ସପ୍ତାହରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳି ଖେଳିବାର ସମ୍ଭାବନା କମ୍‍। ଇଂଲଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ସୀମିତ ଓଭର ସିରିଜ୍‍ ସେପ୍ଟେମ୍ବର ୧୬ରେ ସମାପ୍ତ ହେବ। ତେଣୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳି ୧୭ କିମ୍ବା ୧୮ରେ ୟୁଏଇରେ ପହଞ୍ଚି ଏକ ସପ୍ତାହ ସଂଗରୋଧରେ ରହିବେ।

ତେଣୁ ଆଇପିଏଲରେ ଏପରି ଖେଳସୂଚୀ ପ୍ରସ୍ତୁତ ହେବ; ଯଦ୍ଦ୍ୱାରା ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳିଙ୍କ ଉପରେ ନିର୍ଭର କରୁଥିବା ଦଳଙ୍କର ମ୍ୟାଚ୍‍ ପ୍ରଥମ ୩/୪ ଦିନରେ ରହିବନାହିଁ। ପୁଣି ବିସିିସିଆଇ ଏହା ମଧ୍ୟ ଭାବୁଛି ଯେ ଯଦି ଏକ ଫ୍ରାଞ୍ଚାଇଜିର ଜଣେ ଖେଳାଳି କରୋନା ସଂକ୍ରମିତ ହୁଅନ୍ତି; ତେବେ ସେ ଖେଳାଳିଙ୍କ ସହ ସାଥୀ ଖେଳାଳି ୧୪ ଦିନ ସଂଗରୋଧରେ ରହିବେ କିମ୍ବା ଉକ୍ତ ଖେଳାଳିଙ୍କୁ ଛାଡ଼ି ଫ୍ରାଞ୍ଚାଇଜିର ଜୈବ ନିରାପତ୍ତା ପରିଧି ମଧ୍ୟରେ ଥିବା ସମସ୍ତଙ୍କୁ ୬ ଦିନ ସଂଗରୋଧରେ ରହି ୩ ଥର କୋଭିଡ୍‍ ପରୀକ୍ଷା ଦେବାକୁ ପଡ଼ିବ। ତେଣୁ ଏହି ୬/୭ ଦିନ ଉକ୍ତ ଫ୍ରାଞ୍ଚାଇଜି ମ୍ୟାଚ୍‍ ଖେଳିପାରିବ ନାହିଁ।

ତେଣୁ ଖେଳସୂଚୀ ଏପରି ପ୍ରସ୍ତୁତ ହେବ; ଯଦ୍ଦ୍ୱାରା ଏକ ଫ୍ରାଞ୍ଚାଇଜିର ବାକିଥିବା ମ୍ୟାଚ୍‍ସବୁ ସମାପ୍ତ କରିହେବ। ପୁଣି ବିସିସିଆଇର ହୃଦବୋଧ ହୋଇଛି ଯେ ଆଇପିଏଲ୍‍ର ୨ୟ ସପ୍ତାହରେ ଏହା ସବୁଠାରୁ ଲୋକପ୍ରିୟ ହୋଇଥାଏ। କାରଣ ପ୍ରଥମ ସପ୍ତାହରେ କ୍ରିକେଟ୍‌ ପ୍ରେମୀ ପ୍ରତି ଦଳର ଶକ୍ତି ଆକଳନ କରିଥାଆନ୍ତି ଏବଂ ୩ୟ ସପ୍ତାହରେ ଦଳମାନଙ୍କର ପ୍ଲେଅଫ୍‍ ଯୋଗ୍ୟତା ଅର୍ଜନ କଥା ଚର୍ଚ୍ଚାରେ ଥାଏ। ଖେଳସୂଚୀ ପ୍ରସ୍ତୁତି ବେଳେ ଏହାକୁ ଧ୍ୟାନ ରଖାଯାଏ। ପୁଣି କିଛି ଶନିବାର ଓ ରବିବାର ୨ଟି ଲେଖାଏଁ ମ୍ୟାଚ୍‍ ରଖିବା ପାଇଁ ବିସିସିଆଇ ଘୋଷଣା କରିଛି। ବିସିସିଆଇ ଚଳିତ ସପ୍ତାହରେ ଖେଳସୂଚୀ ଘୋଷଣା କରିବାର ଯୋଜନା ରଖିଛି।

Comments are closed.