ବି-ଟାଉନ ସ୍ତବ୍ଧ: ଜୀବନ ସହ ’ପବିତ୍ର ରିସ୍ତା’ ତୁଟାଇଲେ ’ଛିଛୋରେ’ ସୁଶାନ୍ତ ସିଂହ ରାଜପୁତ

ଭୁବନେଶ୍ବର: ସେ ଥିଲେ ଜଣେ ଅନନ୍ୟ ଅଭିନେତା । ସବୁବେଳେ ମୁହଁରେ ହସ।  ଆବଶ୍ୟକତା ଅନୁସାରେ ମାପିଚୁପି କଥା କହିବାର କଳା ତାଙ୍କୁ ଜଣା ନ ଥିଲା । ହିନ୍ଦୀ ଧାରାବାହିକ ପବିତ୍ର ରିସ୍ତାରୁ  ଆରମ୍ଭ କରି ସଦ୍ୟ ରିଲିଜ୍ ହୋଇଥିବା ସିନେମା ଛିଛୋରେ ପର୍ଯ୍ୟନ୍ତ ସବୁଠି କିନ୍ତୁ ନିଜ ଅଭିନୟର ନୂଆ ଛାପ ଛାଡ଼ି ଯାଇଛନ୍ତି ସୁଶାନ୍ତ ସିଂହ ରାଜପୁତ । ଭାରତୀୟ କ୍ରିକେଟ ତାରକା ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକରେ ନିର୍ମାଣ ହୋଇଥିବା ‘‘…. ଧୋନୀ- ଦି ଅନଟୋଲ୍ଡ଼ ଷ୍ଟୋରୀ’’ ତାଙ୍କୁ ଦେଇଥିଲା ଅନେକ ପ୍ରସିଦ୍ଧି ଓ ସମ୍ପୂର୍ଣ୍ଣ ପରିଚୟ । ଏହା ସତ୍ତ୍ବେ ସେ ଅକାଳରେ ଆତ୍ମହତ୍ୟା କରିଛନ୍ତି । ତାଙ୍କର କୋଟିକୋଟି ପ୍ରଶଂସକ ହତବମ୍ବ ହୋଇ ଯାଇଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ପୁରା ବଲିଉଡ଼କୁ ବିସ୍ମିତ କରିଛି । ଜଣେ ସଫଳ ତଥା ପ୍ରତିଶ୍ରୁତିସମ୍ପନ୍ନ ଅଭିନେତାଙ୍କ ମୃତ୍ୟୁ ପଛରେ କି ରହସ୍ୟ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ସୁଶାନ୍ତ ଥିଲେ ସ୍ବପ୍ନବିଭୋର ମଣିଷ । ବିହାରରେ ଶେଷ କରିଥିଲେ ଇଞ୍ଜିନିଅରିଂ ଡ଼ିଗ୍ରୀ । ଜଣେ ମେଧାବୀ ଛାତ୍ର ଭାବରେ ପରିଚିତ ଥିଲେ । ହେଲେ ମୁମ୍ବାଇର ମାୟା ଜଗତ ତାଙ୍କୁ ଟାଣି ଆଣିଥିଲା ବି -ଟାଉନ୍ । ପ୍ରଥମେ ଏକ୍ସଟ୍ରା ଆର୍ଟିଷ୍ଟ ଭାବରେ ବ୍ୟାକଗ୍ରାଉଣ୍ଡ ଡ଼୍ୟାନ୍ସ କରିଥିଲେ ସେ । ଏହାପରେ ୨୦୦୮ରେ ’ଦେଶ ମେଁ ହେଁ ମେରା ଦିଲ’ରେ ସେ ପାଇଥିଲେ ବ୍ରେକ୍ ।

ଏହାପର ଏକତା କପୁରଙ୍କ ନିର୍ଦେଶିତ ’ପବିତ୍ର ରିସ୍ତା’ ତାଙ୍କୁ ଦେଇଥିଲା ସଫଳ ଅଭିନେତାର ପରିଚୟ । ଏଇଠି ଅଙ୍କିତା ଲୋଖେଣ୍ଡେଙ୍କ ସହ ତାଙ୍କର ପ୍ରେମ ନେଇ ଆରମ୍ଭ ହୋଇଥିଲା ଚର୍ଚା । ଜରା ନଚକେ ଦିଖା, ଝଲକ୍ ଦିଖଲାଜାରେ ଜଣେ ଭଲ ନୃତ୍ୟ ଅଭିନେତା ଭାବରେ ସେ ପାଇଥିଲେ ସ୍ବୀକୃତି ।

ପବିତ୍ର ରିସ୍ତାର ସଫଳତା ଓ ଝଲକ୍ ଦିଖଲାଜାରେ ତାଙ୍କର ପ୍ରଦର୍ଶନ ତାଙ୍କୁ ବାଟ କଢ଼ାଇ ନେଇଥିଲା ବଡ଼ ପରଦା ଆଡ଼କୁ । କୋଇ ପୋ ଚେ, ଶୁଦ୍ଧ ଦେଶୀ ରୋମାନ୍ସ ପରେ ୨୦୧୪ରେ ଅମୀର ଖାଁଙ୍କ ବିଗ୍ ବଜେଟ୍ ଫିଲ୍ମ ପିକେରେ ପାଇଥିଲେ ବଡ଼ ବ୍ରେକ । ତାଙ୍କ ପ୍ରତିପକ୍ଷରେ ନାୟିକା ଥିଲେ ଅନୁଷ୍କା ଶର୍ମା । ଏଥିରେ ଜଣେ ପାକିସ୍ତାନୀ ଯୁବକ ଭୂମିକାରେ ସେ ଅଭିନୟ କରୁଥିଲେ । ୨୦୧୫ରେ ମୁକ୍ତିଲାଭ କରିଥିଲା ତାଙ୍କର ଆଉ ଏକ ଫିଲ୍ମ, ଡ଼ିଟେକ୍ଟିଭ୍ ବ୍ୟେମକେଶ ବକ୍ସି ।

ଏପଟେ କ୍ୟାରିଅର, ସେପେଟ ପ୍ରେମ । ଏହାକୁ ନେଇ ବେଶ୍ ଚର୍ଚିତ ଥିଲେ ସୁଶାନ୍ତ ସିଂହ ରାଜପୁତ । ଅଙ୍କିତାଙ୍କୁ ସେ ପ୍ରେମ କରୁଥିବା ଓ ଉଭୟ ବିବାହ ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚା ହେବାରେ ଲାଗିଥିଲା । ଏତିକି ବେଳେ ତାଙ୍କ ଜୀବନରେ ପ୍ରବେଶ କରିଥିଲେ ଆଉ ଜଣେ ଅଭିନେତ୍ରୀ କିର୍ତୀ ସାନୋନ୍ । କିର୍ତୀଙ୍କୁ ନେଇ ଅଙ୍କିତା ଓ ସୁଶାନ୍ତଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବ୍ୟବଧାନ । ଶେଷର ଅଙ୍କିତା ସୁଶାନ୍ତଙ୍କ ଜୀବନରୁ ଦୂରେଇ ଯାଇଥିଲେ । ସେହିପରି କିର୍ତ୍ତୀଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ବି ବେଶୀ ଦିନ ତିଷ୍ଠି ନ ଥିଲା । ସୁଶାନ୍ତ ଏହାପରେ ରିଆ ଚକ୍ରବର୍ତୀଙ୍କ ସହ ଡ଼େଟ୍ କରୁଥିବା ଖବର ବଲିଉଡରେ ଉଡ଼ୁଥିଲା ।

୨୦୧୬ରେ ମୁକ୍ତିଲାଭ କରିଥିବା ବାୟୋପିକ ଫିଲ୍ମ ଏମ୍.ଏସ୍. ଧୋନି- ଦି ଅଲଟୋଲ୍ଡ ଷ୍ଟୋରୀ ସୁଶାନ୍ତଙ୍କୁ ଦେଇଥିଲା ଷ୍ଟାର ପରିଚୟ ।  ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ପାଇଁ ବେଶ୍ ପ୍ରଶଂସିତ ହୋଇଥିଲେ ସୁଶାନ୍ତ ।

ସେ ରାୱତା, ୱେଲକମ୍ ଟୁ ନ୍ୟୁୟର୍କ, କେଦାରନାଥ, ସୋନଚିଡ଼ିୟା ଓ ଛିଛୋର ଫିଲ୍ମରେ ଦର୍ଶକଙ୍କ ମନ ଜିଣିଥିଲେ । ତାଙ୍କର ‘ଦିଲ୍ ବେଚାରା’ ଫିଲ୍ମ ଏବେ ରିଲିଜ୍ ଅପେକ୍ଷାରେ ଅଛି ।  ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ, ବିଗ୍ ଷ୍ଟାର ଏଣ୍ଟରଟେନମେଣ୍ଟ ଆୱାର୍ଡ, କଳାକାର ଆୱାର୍ଡ ଓ ସ୍କ୍ରିନ୍ ଆୱାର୍ଡ ସମ୍ମାନ ସେ ଗୋଟାଇଥିଲେ । ହେଲେ ସେ କାହିଁକି ଆତ୍ମହତ୍ୟା କଲେ ତାହା କାହାକୁ ବି ଜଣାନାହିଁ ।

Comments are closed.