ସୁପ୍ରିମକୋର୍ଟ କମିଟିରୁ କାହିଁକି ଇସ୍ତଫା ଦେଲେ କୃଷକ ନେତା ଭୁପିନ୍ଦର ମାନ୍?

କୃଷି ଆଇନ ଉପରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଇସ୍ତଫା ଦେଇଥିବା ଭାରତୀୟ କୃଷକ ମହାସଂଘର ଅଧ୍ୟକ୍ଷ ଭୁପିନ୍ଦର ସିଂ ମାନ୍ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ତାଙ୍କ ମୋହାଲି ସ୍ଥିତ ଘରେ ସେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ କଥାବାର୍ତ୍ତାରେ ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି।
ମାନ୍ କହିଛନ୍ତି ଯେ ଜାନୁଆରୀ ୧୪ ମଧ୍ୟାହ୍ନ ୧୨ଟା ସମୟରେ ଯେତେବେଳେ ତାଙ୍କ ପାଖକୁ ସରକାରୀ କାଗଜପତ୍ର ଆସିଲା, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କୁ କମିଟିର ସଦସ୍ୟ କରାଯାଇଛି। ଏହା ପରେ ସେ ତୁରନ୍ତ ଭାରତର ପ୍ରଧାନ ବିଚାରପତିଙ୍କ ସହ କଥା ହୋଇ ତାଙ୍କୁ ତାଙ୍କ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସେ ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ କହିଥିଲେ ଯେ ସେ ଏହି କାମ କରିପାରିବେ ନାହିଁ। ଏହା ପରେ ସେ କମିଟିରୁ ଓହରି ଯିବାକୁ ନିଷ୍ପତ୍ତି ନେଲେ ଏବଂ ତୁରନ୍ତ ଗଣମାଧ୍ୟମକୁ ଏହି ବିଷୟରେ ଜଣାଇଲେ।
ଭୁପିନ୍ଦର ସିଂ ମାନ୍ କହିଛନ୍ତି ଯେ କୃଷକ ଆନ୍ଦୋଳନ ସମୟରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରି ଏହାର ସମାଧାନ କରାଯିବା ଉଚିତ ବୋଲି ବିଶ୍ୱାସ କରିଥିଲେ। ସୁପ୍ରିମକୋର୍ଟ ଭାବିଥିଲେ ଯେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ ହୋଇପାରିବ। ତାଙ୍କୁ ସୁପ୍ରିମକୋର୍ଟଙ୍କ ତରଫରୁ କମିଟିର ସଦସ୍ୟ ମଧ୍ୟ କରାଯାଇଥିଲା। କିନ୍ତୁ ସେ ସେତେବେଳେ ଅନୁଭବ କରିଥିଲେ ଯେ ଯେଉଁମାନଙ୍କ ସହ ଆଲୋଚନା ପାଇଁ ଏକ କମିଟି ଗଠନ କରାଯାଇଛି, ସେମାନେ ତାଙ୍କ ସହ କଥାବାର୍ତ୍ତା କରିବେ ନାହିଁ, ତେଣୁ ସେହି କମିଟିର ଭୂମିକା ସମାପ୍ତ ହେବ। ଚାଷୀଙ୍କ ଅବସ୍ଥା ଏବଂ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ସେ ତୁରନ୍ତ କମିଟିରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଚାଷୀଙ୍କ ଚାପରେ ସେ ଏପରି ନିଷ୍ପତ୍ତି ନେଇନାହାଁନ୍ତି।
ଭୁପିନ୍ଦର ସିଂ ମାନ୍ ମଧ୍ୟ କମିଟିରୁ ଅଲଗା ହେବାକୁ ଏତେ ସମୟ ନେବାର କାରଣ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ୧୨ ତାରିଖ ଅପରାହ୍ନରେ କୃଷକମାନଙ୍କ ମାମଲାରେ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି ବୋଲି ସେ ଗଣମାଧ୍ୟମରୁ ଜାଣିଲେ। ତେବେ ଏଥିରେ ଥିବା ନାମଗୁଡିକ ଉପରେ ସେ ସଂଶୟ ପ୍ରକାଶ କରିଥିଲେ ତେଣୁ ସେହି ପରିସ୍ଥିତିରେ ସେ ଆଗରୁ ଉତ୍ତର ଦେବା ସମ୍ଭବ ନ ଥିଲା। ପରେ ଜାନୁଆରୀ ୧୪ରେ ସେ ପ୍ରଧାନ ବିଚାରପତିଙ୍କ ସହ ଯୋଗାଯୋଗ କରିବା ପରେ କମିଟୀରୁ ଇସ୍ତଫା ଦେଇଥିଲେ।