ଦୁର୍ନୀତି କାହିଁକି?

ବରଦା ପ୍ରସନ୍ନ ଦାସ

ଅତୀତରେ ମାନବ ସମାଜର ଆଦର୍ଶ ଥିଲା ତ୍ୟାଗ। ମାତ୍ର ସମ୍ପ୍ରତି ମାନବ ସମାଜର ଆଦର୍ଶ ହୋଇଛି ଭୋଗ। ବସ୍ତୁବାଦୀ ଚିନ୍ତାଧାରା ଦ୍ୱାରା ପୀଡିତ ଆଧୁନିକ ସମାଜରେ ଅର୍ଥଲୋଭୀ ମନୁଷ୍ୟ ମଧ୍ୟରେ ରାତାରାତି ବଡଲୋକ ହେବାର ପ୍ରତିଯୋଗିତା ଚାଲିଛି। ଫଳରେ ଦୁର୍ନୀତି ନିବାରଣ ବିଭାଗର ଆହ୍ୱାନକୁ ଆଜି ସମସ୍ତେ ଉପଲବ୍ଧ କରୁଛନ୍ତି। ଦୁର୍ନୀତି ନିରାକରଣ ପାଇଁ ଆଇନ ପ୍ରଣୟନ କରାଯାଉଛି। ଏଥି ନିମନ୍ତେ ସରକାରଙ୍କର ଦୁର୍ନୀତି ନିରାକରଣ ବିଭାଗ ଅଛି। ଦୁର୍ନୀତି ବ୍ୟକ୍ତିଙ୍କୁ ଧରାଯାଉଛି। ମୋକଦ୍ଦମା ହେଉଛି। କୋର୍ଟରେ ଦଣ୍ଡିତ ହୋଇ କାରାଗାରରେ ବନ୍ଦୀ ହେଉଛନ୍ତି। ଦୁର୍ନୀତିଲିପ୍ତ ବ୍ୟକ୍ତିମାନଙ୍କ ଠାରୁ ଜୋରିମାନା ଆଦାୟ ହେଉଛି। ତଥାପି ଦୁର୍ନୀତି ରୂପକ ବ୍ୟାଧିକୁ ନିୟନ୍ତ୍ରଣ କରାଯାଇପାରୁନି। ରକ୍ଷକ ମଧ୍ୟ ଭକ୍ଷକ ସାଜୁଛି। ସବୁର ମୂଳ କାରଣ ଲୋଭ। ପାଶ୍ଚାତ୍ୟ ରାଷ୍ଟ୍ରର କେତେକ ବ୍ୟକ୍ତି ଆଜି ବସ୍ତୁବାଦୀ ଚିନ୍ତାଧାରା ପରିବର୍ତ୍ତନର ଆଧ୍ୟାତ୍ମିକ ମୁନିଋଷିର ଭୂମି ଭାରତରେ ଆଧ୍ୟାତ୍ମିକ ଚେତନା ପ୍ରତି ଆଗ୍ରହ ସୃଷ୍ଟି କରୁଥିବାବେଳେ ଆମେ ପାଶ୍ଚାତ୍ୟ ରାଷ୍ଟ୍ରର ଚାକଚକ୍ୟ ପ୍ରତି ଆକୃଷ୍ଟ ହେଉଛୁ। ଯେଉଁ ଉପାୟ ହେଉ ପଛେ ଅର୍ଥଠୁଳ କରିବା ପାଇଁ ଆଜି ଅଧିକାଂଶ ବ୍ୟକ୍ତି ଚେଷ୍ଟିତ। ଫଳାଫଳ ପ୍ରତି ଭ୍ରୂକ୍ଷେପ ନ କରି ଆୟ ବୃଦ୍ଧି ପାଇଁ ଅଧିକାଂଶ ଲୋକ ପାଗଳ ହୋଇ ଉଠୁଛନ୍ତି। ଦୁର୍ନୀତି ବୃଦ୍ଧି ପାଉଛି ା ଏଣୁ ସାମାଜିକ ସଂସ୍କାର ପାଇଁ ସମସ୍ତେ ଅଣ୍ଟା ଭିଡି ଆଗକୁ ଆସିବା ଜରୁରୀ ହୋଇ ପଡ଼ିଛି ା
ଦୁର୍ନୀତିକୁ ପ୍ରଶ୍ରୟ ନ ଦେବା ପାଇଁ ସବୁ ସ୍ତରରେ ଜନସାଧାରଣ ସଚେତନ ହେବା ସର୍ବାଗ୍ରେ ଆବଶ୍ୟକ। ଏଥି ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଚିନ୍ତାଧାରାର ବିକାଶ ପାଇଁ ଜନତାମାନେ କାର୍ଯ୍ୟ କରିବା ବିଧେୟ। ମନରୁ ଲୋଭ ହାସଲ କରିବା ପାଇଁ ଧାର୍ମିକ ଚିନ୍ତା ଓ ଭାଗବତ ଅଧ୍ୟୟନ ମୁଖ୍ୟ ଆୟୁଧ। ଭାଗବତ ଟୁଙ୍ଗୀଗୁଡିକର ପୁନରୁଦ୍ଧାର ପାଇଁ ସରକାର ଚେଷ୍ଟିତ। ଏହା ଏକ ଶୁଭ ସଂକେତ। ଦୁର୍ନୀତି ବିରୋଧରେ ସ୍ୱର ଉେତ୍ତାଳନ କରିବାକୁ ହେଲେ ପାଖରେ ପ୍ରମାଣ ଥିବା ଆବଶ୍ୟକ। ଯୁବସମାଜ ଆଖି ବୁଜି ବା ମନେମନେ ଯାହା ଚିନ୍ତାକରି କରିଦେବା ଠିକ୍‍ ନୁହେଁ। ଦେଶରେ ବା ରାଜ୍ୟରେ ଛତୁ ଫୁଟିଲା ପରି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନ ଗଢି ଉଠିଛି। ଏଥିରୁ କେତେକକୁ ଛାଡି ଦେଲେ କେହି କେବେ ଦୁର୍ନୀତି ବିରୋଧରେ ସ୍ୱର ଉେତ୍ତାଳନ କରିଛି କି ? ସବୁ ପ୍ରକାର ଦୁର୍ନୀତି ଦୂର କରାଯାଇପାରିବା ଏକ କଷ୍ଟକର ବ୍ୟାପାର। ଆମର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଣିତ ହୋଇଛି। ପଲ୍ଲୀସଭା, ଗ୍ରାମସଭାକୁ ଅଖଣ୍ଡ କ୍ଷମତା ଅର୍ପିତ ହୋଇଛି। ପଲ୍ଲୀସଭାର ନିଷ୍ପତ୍ତିକୁ ପ୍ରଶାସନ ସମ୍ମାନ ଦେବାକୁ ବାଧ୍ୟ; ମାତ୍ର ଦୁଃଖର ବିଷୟ ପଲ୍ଲୀସଭା ଓ ଗ୍ରାମସଭାଗୁଡ଼ିକରେ ଗଣ୍ଡଗୋଳ ସୃଷ୍ଟି କରାଯାଉଛି। ଲୋକ ପ୍ରତିନିଧିମୂଳକ ଶାସନରେ ଉପଯୁକ୍ତ ଲୋକ ସରକାରୀ ଯୋଜନାର ସୁଫଳ ପାଇବା ଉଚିତ୍‍। ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ବ୍ଲକସ୍ତରରେ ଓ ଗ୍ରାମପଞ୍ଚାୟତସ୍ତରରେ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି, ଗ୍ରାମର ଯୁବକମାନେ ସେଠାରେ ହସ୍ତକ୍ଷେପ କରି ସେସବୁ ଠିକ୍‍ ଭାବେ ହେଉଛି କି ନାହିଁ ଦେଖିବା ଆବଶ୍ୟକ। ସେହିଭଳି ଦେଖାଯାଉଛି, ବାର୍ଦ୍ଧକ୍ୟ ଭତ୍ତା, ପୁରୁଷ ଓ ମହିଳାମାନଙ୍କୁ ବହୁ ସଂଖ୍ୟାରେ ବଣ୍ଟନ କରାଯାଉଛି। ଏ ନେଇ ଜିଲାପାଳମାନେ ଜନ ଅଭିଯୋଗ ଶିବିରଗୁଡ଼ିକରେ ଦୁର୍ନୀତି ଅଭିଯୋଗ ଶୁଣୁଛନ୍ତି। ଏଠାରେ ଗୀତାଜ୍ଞାନ ବିଶେଷ ପ୍ରଣିଧାନ ଯୋଗ୍ୟ। ତାହା ହେଲା, ଯେପରି କର୍ମ କରିବ. ସେପରି ଫଳ ପାଇବ। ଅନେକ ଲୋକ ଅଛନ୍ତି, ଯାହା କହନ୍ତି, ତାହା ନିଜେ କରନ୍ତି ନାହିଁ। କର୍ମକୁ ଆଦରି କାର୍ଯ୍ୟ କଲେ ସୁକର୍ମ ପାଇଁ ସୁଫଳ ଓ କୁକର୍ମ ପାଇଁ କୁଫଳ ଭୋଗିବାକୁ ପଡ଼ିଥାଏ। ତେଣୁ ଭାଗବତରେ କୁହାଯାଇଛି ଯେ, କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଏଣୁ ସୁନୀତିରୁ ଭଲ ଫଳ ମିଳିବା ବେଳେ କୁନୀତିରୁ ମନ୍ଦ ଫଳ ମିଳଥାଏ। ଏଇ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମ୍ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ବଦ୍ଧ ପରିକର। ଏହା ଦେଶ ପାଇଁ ଶୁଭ ସୂଚନା।

ଭାରତରେ ଚହଳ ସୃଷ୍ଟି କରୁଥିବା ପୂର୍ବତନ ନିର୍ବାଚନ କମିସନର ଟି.ଏନ୍‍. ଶେଷାନଙ୍କ ପରେ ସେଣ୍ଟ୍ରାଲ୍‍ ଭିଜିଲାନ୍ସ କମିସନର ଏନ୍‍.ଭିଟଲ ଦୁର୍ନୀତି ପ୍ରସଙ୍ଗ ଉଠାଇ ଜନମାନସକୁ ପ୍ରଭାବିତ କରାଇପାରିଛନ୍ତି। ଏକଦା ଭୁବନେଶ୍ୱର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ ସେ କହିଥିଲେ ଯେ, ଏ ଦେଶରେ ପ୍ରଭାବଶାଳୀ ବ୍ୟବସାୟୀ ତଥା ଚାକିରି କରିଥିବା ଲୋକମାନେ ଦେଶରେ ୧୦ ପ୍ରତିଶତ ହୋଇଥିଲେ ମଧ୍ୟ ସେମାନେ ୯୦ ଭାଗ ଲୋକଙ୍କୁ ଶୋଷଣ କରୁଛନ୍ତି। ଏ ପ୍ରସଙ୍ଗରେ ଜନସାଧାରଣଙ୍କଠାରୁ ଆରମ୍ଭ କରି ଜନନେତା ପର୍ଯ୍ୟନ୍ତ ଯେତେ ଅଧିକ ସଚେତନ ହେବେ, ଦୁର୍ନୀତିର ମାତ୍ରା କମିବାକୁ ଲାଗିବ। ଦୁର୍ନୀତିର ମୂଳତ୍ପାଟନ ପାଇଁ ସବୁସ୍ତରରେ ସମସ୍ତଙ୍କର ଶତପ୍ରତିଶତ ସହଯୋଗ ଓ ଆନ୍ତରିକତା ଲୋଡା। ଏ ଦିଗରେ ସଫଳତା ପାଇବାକୁ ହେଲେ ମାନସିକତାର ପରିବର୍ତ୍ତନ ଜରୁରୀ।

Comments
Loading...