କନ୍ୟାମାନଙ୍କ ପ୍ରତି ଦୀପାବଳୀ ପର୍ବ ଉତ୍ସର୍ଗ ହେଉ – ମୋଦୀ

- ନିର୍ବାଚନୀ ପ୍ରଚାରରେ ଦେଶର କଥା କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ: ନରେନ୍ଦ୍ର ମୋଦୀ ମଙ୍ଗଳବାର ହରିଆଣାର କୁରୁକ୍ଷେତ୍ର ଓ ଚର୍ଖୀଦାଦ୍ରିଠାରେ ନିର୍ବାଚନୀ ସଭାଗୁଡ଼ିକରେ ଉଦବୋଧନ ଦେଇ କହିଛନ୍ତି, ଜାତୀୟ ସ୍ୱାର୍ଥ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ପାଇଁ ବିଜେପି ସରକାର ଲାଗୁ କରିଥିବା ଯୋଜନାଗୁଡ଼ିକ ବିଷୟରେ କହିଛନ୍ତି। ମୋଦୀ କହିଛନ୍ତି, ନିଜର ପରିବାର, ସମାଜ ଓ ଦେଶକୁ ସଫଳତା ହାସଲ କରି ଗର୍ବିତ କରୁଥିବା କନ୍ୟାମାନଙ୍କୁ ଦୀପାବଳି ପର୍ବକୁ ଉତ୍ସର୍ଗ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରଙ୍କ କ୍ରୀଡ଼ାନୀତି ହରିଆଣାର କ୍ରୀଡ଼ାବିତ୍‍ମାନେ ଯଥେଷ୍ଟ ଉପକୃତ ହୋଇଛନ୍ତି। ସେ କହିଛନ୍ତି, ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ୍‍ଙ୍କ ସହ ଅଣଆନୁଷ୍ଠାନିକ ବୈଠକ ବେଳେ ଜିନ୍‍ପିଙ୍ଗ୍‍ ଦଙ୍ଗଲ୍‍ ଚଳଚ୍ଚିତ୍ର ଦେଖିଥିବା କଥା ତାଙ୍କୁ ଜଣାଇଛନ୍ତି ଏବଂ କନ୍ୟାମାନେ କିଭଳିଆ ନିଖୁଣ କ୍ରୀଡ଼ା ପ୍ରଦର୍ଶନ କରି ତାଙ୍କର ମନମୁଗ୍ଧ କରିଥିବା କଥା ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ହରିଆଣାର ଗାଁ ଗଣ୍ଡାଗୁଡ଼ିକର ସମର୍ଥନ ବିନା ସଫଳ ହୋଇପାରି ନଥାନ୍ତା। ସେ କହିଛନ୍ତି, ସ୍ୱାସ୍ଥ୍ୟ, ଆତ୍ମ ସମ୍ମାନ, ନିରାପତ୍ତା ଓ ମହିଳା ସଶକ୍ତି କରଣ ପ୍ରତି ତାଙ୍କ ସରକାର ଅଗ୍ରାଧିକାର ଦେଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୭୦ ବର୍ଷ ହେଲା ହରିଆଣା, ରାଜସ୍ଥାନ ଓ ଦେଶର ଅନ୍ୟ ଅଞ୍ଚଳର କୃଷକମାନଙ୍କ ପାଇଁ ଯେଉଁ ପାଣି ମିଳିବାର ଥିଲା ସେହି ପାଣି ପାକିସ୍ତାନକୁ ଚାଲିଯାଉଥିଲା କିନ୍ତୁ ତାଙ୍କ ସରକାର ବର୍ତ୍ତମାନ ସେହି ପାଣିକୁ ଅଟକ ରଖି କୃଷକମାନଙ୍କୁ ଯୋଗାଇବା ପାଇଁ ଏକ ପ୍ରକଳ୍ପ ଉପରେ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥରକ୍ଷା ପାଇଁ ନେଉଥିବା ନିଷ୍ପତ୍ତିଗୁଡ଼ିକ ଉପରେ ଦେଶବାସୀ ଖୁସି ଅଛନ୍ତି କିନ୍ତୁ କଂଗ୍ରେସ ନେତାମାନେ ସବୁବେଳେ ସରକାରଙ୍କୁ ସମାଲୋଚନା କରୁଛନ୍ତି। କୁରୁକ୍ଷେତ୍ର ନିର୍ବାଚନୀ ସଭାରେ ଉଦବୋଧନ ଦେଲାବେଳେ ମୋଦୀ କହିଛନ୍ତି, ଜାମ୍ମୁ କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ ଉପରେ କଂଗ୍ରେସ ନେତାମାନେ ହୋହାଲ୍ଲା କରୁଛନ୍ତି ଏବଂ ଆତଙ୍କବାଦ ଚଳେଇଥିବା ବ୍ୟକ୍ତି ଓ ସଂଗଠନଗୁଡ଼ିକ ଏହି ୩୭୦ ଧାରାକୁ ବ୍ୟବହାର କରି ଦେଶ ଉପରେ ଦାଉସାଧୁଥିଲେ ବୋଲି ସେମାନେ ଜାଣିପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ନିରାପତ୍ତା, ଜାତୀୟ ସ୍ୱାର୍ଥ ଓ ସମ୍ବିଧାନ ସୁରକ୍ଷା ପାଇଁ ପ୍ରାଧାନ୍ୟ ଦିଆଯିବା ଉଚିତ୍‍।

Comments are closed.