ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀଖୋଜା

ପୁରୀ : ପିପିଲି ଉପନିର୍ବାଚନ ପାଇଁ ପୁଣିଥରେ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛି କଂଗ୍ରେସ। ଦଳ ପକ୍ଷରୁ ସେଠାରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ କାହାକୁ ପ୍ରାର୍ଥୀ କରାଯିବ ସେଥିନେଇ ଆରମ୍ଭ ହୋଇଛି ବିଚାର ବିମର୍ଶ। ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କିମ୍ବା ଅଜିତଙ୍କ ଭାଇ ଅଶୋକ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ମୃତ ଅଜିତଙ୍କ ପତ୍ନୀ କିମ୍ବା ଭାଇଙ୍କୁ ପ୍ରାର୍ଥୀ କରାଗଲେ ସହାନୁଭୂତି ଭୋଟ ମିଳିବା ସମ୍ଭାବନା ରହିଛି। ଏତଦ୍‌ବ୍ୟତୀତ ପିପିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏବଂ ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ରଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ପୂର୍ବରୁ ଉପରୋକ୍ତ ନେତୃବୃନ୍ଦ ଆଶାୟୀ ଥିଲେ। ତେବେ ଜିଲା କଂଗ୍ରେସ ସଭାପତି ଥିବା ଅଜିତଙ୍କ ସପକ୍ଷରେ ଏଆଇସିସି ମୋହର ମାରିଥିଲା। ଅଜିତଙ୍କ ମୃତ୍ୟୁ ପରେ ଆଗାମୀ ୧୭ତାରିଖ ଦିନ ହେବାକୁ ଥିବା ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆଶ୍ରିତ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି। ଏହାଛଡ଼ା ସିପିଆଇ (ଏମଏଲ) ଲିବରେସନ, ଅଖିଳ ଭାରତ ହିନ୍ଦୁ ମହାସଭା, କଳିଙ୍ଗସେନା, ଭାରତୀୟ ରିପବ୍ଲିକାନ୍‌ ପାର୍ଟି ସେଠାରେ ପ୍ରାର୍ଥୀ ଦେଇଛନ୍ତି। ଅନ୍ୟ ୩ଜଣ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପରବର୍ତ୍ତୀ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ବାଛିବା ଶେଷ କରିବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ତେଣୁ ନିଶିକାନ୍ତଙ୍କ ସମେତ ଅଜିତଙ୍କ ଭାଇ କିମ୍ବା ପତ୍ନୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଏବଂ ନିରୁପମାଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ନିଶିକାନ୍ତ ଏବଂ ପୂର୍ଣ୍ଣଚନ୍ଦ୍ରଙ୍କ ଘର ପିପିଲି ବ୍ଲକରେ ହୋଇଥିବା ବେଳେ ନିରୁପମା ଡେଲାଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ପିପିଲି ଉପନିର୍ବାଚନ ପାଇଁ ଅଜିତଙ୍କ ବିକଳ୍ପ ବାଛିବା ପୂର୍ବରୁ ସ୍ଥାନୀୟ ପୁରୁଖା କର୍ମୀଙ୍କ ସହ କଂଗ୍ରେସ ପ୍ରଭାରୀ ଚେଲା କୁମାର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଲୋଚନା କରିବେ। ଅଜିତଙ୍କ ଶୁଦ୍ଧିକ୍ରିୟା ଶେଷ ପରେ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଆରମ୍ଭ କରାଯିବ। ନିରୁପମାଙ୍କ ସପକ୍ଷରେ ମହିଳା କଂଗ୍ରେସର କେତେକ ବରିଷ୍ଠ କର୍ମକର୍ତ୍ତା ଲବି ଆରମ୍ଭ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜିତ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହାସ୍‌ପାତାଳରେ ଭର୍ତ୍ତିହେବା ପରେ ତାଙ୍କ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ରମେଶ ଚନ୍ଦ୍ର ଜେନା, ପିସିସି କାର୍ଯ୍ୟକାରୀ ସଭାପତି ରଣଜିତ ବିଶ୍ବାଳ, ପୂର୍ବତନ ସାଂସଦ ପ୍ରଦୀପ ମାଝି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନା ପ୍ରମୁଖ ପ୍ରଚାର କରୁଥିଲେ। ତେଣୁ ଅଜିତଙ୍କ ସ୍ଥାନରେ କାହାକୁ କଂଗ୍ରେସ ପ୍ରାର୍ଥୀ କରାଯିବ ସେଥିନେଇ ସେମାନଙ୍କ ସହ ଆଲୋଚନା କରାଯିବା ଯଥେଷ୍ଟ ସମ୍ଭାବନା ରହିଛି। ତେବେ ପ୍ରାର୍ଥୀ ବାଛିବା ବେଳେ ଅଜିତଙ୍କ ପରିବାରକୁ ଗୁରୁତ୍ବ ଦିଆଯିବ ବୋଲି ଜଣେ ପୂର୍ବତନ ଜିଲା ସଭାପତି ପ୍ରକାଶ କରିଛନ୍ତି।

Comments are closed.