ଭାରତରେ କୋଭିଡ଼ ଟୀକାର ଜରୁରୀକାଳୀନ ଅନୁମତିକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସ୍ବାଗତ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ନିର୍ମିତ ଅକ୍ସଫୋର୍ଡ଼ କୋଭିଡ଼ ୧୯ ଟୀକା କୋଭିସିଲ୍ଡ଼କୁ ଅନୁମୋଦନ କରିଛନ୍ତି ଭାରତ ସରକାର । ସେହିପରି ସୀମିତ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଭାରତ ବାୟୋଟେକ ଦ୍ବାରା ସ୍ବଦେଶୀ ଭାବରେ ଟୀକା ବିକଶିତ କରାଯାଇଛି । ଭାରତରେ କରୋନା ଟୀକାର ଜରୁରୀକାଳୀନ ଅନୁମତିକୁ ସ୍ବାଗତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ମହାମାରୀ ବିରୋଧରେ ଲଢ଼େଇକୁ ଏହା ତୀବ୍ର ଓ ଦୃଢ଼ତର କରିବ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦକ୍ଷିଣପୂର୍ବ ଏସିଆ ଆଞ୍ଚଳିକ ନିର୍ଦେଶକ ଡ଼. ପି. କ୍ଷେତ୍ରପାଳ ସିଂହ ।

ଡ଼. ସିଂହ କହିଛନ୍ତି ଯେ ପ୍ରାଥମିକ ଜନସଂଖ୍ୟରେ ଟୀକା ବ୍ୟବହାର ଦ୍ବାରା ମହାମାରୀ ପ୍ରଭାବ ହ୍ରାସ ହେବାରେ ବଡ଼ ସହାୟକ ହୋଇପାରିବ । ସେହିପରି ଅନ୍ୟାନ୍ୟ ଜନସ୍ବାସ୍ଥ୍ୟ ପଦକ୍ଷେପ କାର୍ଯ୍ୟକାରୀ ହୋଇପାରିବ । ସେ ପୁଣି କହିଛନ୍ତିଯେ କୋଭିଡ଼ ମହାମାରୀ ଲଢ଼େଇରେ ଛାମୁଆଁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅନୁମୋଦନକୁ ଦେଶର କରୋନାଭାଇରସ୍ ବିରୋଧରେ ଲଢ଼େଇରେ ଏକ ନିର୍ଣ୍ଣାୟକ ମୋଡ଼ ବୋଲି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତର କୋଭିଡ଼ ୧୯ ମାମଲା ଏବେ ୧.୦୩ କୋଟିରେ ପହଞ୍ଚିଛି ଏବଂ ଏମାନଙ୍କ ମଧ୍ୟରୁ ୯୯.୨୭ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ହାର ୯୬.୧୫%କୁ ବୃଦ୍ଧି ପାଇଛି । ସମ୍ପ୍ରତି ଦେଶରେ କରୋନା ଭୂତାଣୁର ମାତ୍ର ୨,୨୭୨୨୦ ସକ୍ରିୟା ମାମଲା ରହିଛି ଯାହା ମୋଟ ସଂକ୍ରମଣର ୨.୩୯% । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେଦେଶରେ ୨୧୭ ଜଣ ମୃତ୍ୟୁବରଣ କରିଛନ୍ତି ଓ ମୃତ୍ୟୁ ସଂଖ୍ୟା ୧,୪୯,୪୩୫ ରହିଛି ।

Comments are closed.