କରୋନା ଉତ୍ପତ୍ତି ସ୍ଥଳ ଗସ୍ତ କରିବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶେଷଜ୍ଞ ଦଳ

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଚୀନ୍‍ର କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ୟୁହାନ୍‍ ସହର ଆଜି ଗସ୍ତ କରିବ। ଏହି ଦଳ ରୋଗ ଉତ୍ପତ୍ତିର କାରଣ ଅନୁଧ୍ୟାନ କରିବା ସହ ପ୍ରତିଷେଧକ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ବିଧି ଦେଖିବାର କାର୍ଯ୍ୟକ୍ରମ ରହିଛି। ଗତ ସୋମବାର ଏହି ୧୨ ଜଣିଆ ଦଳ ବେଜିଂରେ ପହଞ୍ଚିଥିଲେ। ପ୍ରଥମତଃ ଦଳର ଗସ୍ତକ୍ରମକୁ ବେଜିଂ, ଗୁଆଙ୍ଗ୍‍ଡମ୍‍ ଏବଂ ସିଚୁଆନ୍‍ ପ୍ରଦେଶରେ ସୀମିତ ରଖାଯାଇଥିଲା। ହୁବେଇ ପ୍ରଦେଶ ଏବଂ ଏହାର ରାଜଧାନୀ ୟୁହାନ୍‍ ଗସ୍ତ ଏହି ଦଳର କାର୍ଯ୍ୟକ୍ରମରେ ସ୍ଥାନିତ ହୋଇ ନ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଚୀନ୍‍ ସରକାର ଏଥିରେ ପରିବର୍ତ୍ତନ କରି ୟୁହାନ୍‍ ଗସ୍ତ ନିମନ୍ତେ ଅନୁମତି ଦେଇଛନ୍ତି।

ଚୀନ୍‍ର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଦେଶରେ ୨୩୬୦ରେ ପହଞ୍ଚିଛି। ସେହିଭଳି ୭୭ ହଜାର ୬୭୩ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ ସହ ଚୀନ୍‍ର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। ସେମାନେ ମଧ୍ୟ ଟେଲି କନ୍‍ଫରେନ୍ସ ବ୍ୟବସ୍ଥାରେ ହୁବେଇ କର୍ତ୍ତୃପକ୍ଷଙ୍କ ସହ ଏହି ମହାମାରୀ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶର ଗ୍ରାମାଞ୍ଚଳରେ ରୋଗ ସଂକ୍ରମଣର ମୁକାବିଲା ଓ ଚିକିତ୍ସା କାର୍ଯ୍ୟ କିପରି କରାଯାଉଛି, ବିଶେଷଜ୍ଞ ଦଳ ପଚାରି ବୁଝିଛନ୍ତି। ଏହାଛଡ଼ା ଏହି ରୋଗର ସଫଳ ଟୀକା କିମ୍ବା ଔଷଧ ନେଇ ଅନୁଧ୍ୟାନ କରିଛନ୍ତି। ଏପର୍ଯ୍ୟନ୍ତ ଏହି ରୋଗର ଚିକିତ୍ସା ପାଇଁ ଉପଯୁକ୍ତ ଔଷଧ ବା ପ୍ରତିଷେଧକ ଟୀକା ବାହାରି ନ ଥିବାରୁ ଉଭୟ ଚୀନ୍‍ କର୍ତ୍ତୃପକ୍ଷ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରତିନିଧି ଦଳ ଚିନ୍ତା ବ୍ୟକ୍ତ କରିଛନ୍ତି।

Comments are closed.