ଚୀନରେ ପହଁଚିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶେଷଜ୍ଞ ଦଳ

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଡାକ୍ତରୀ ବିଶେଷଜ୍ଞ ଦଳ ଚୀନରେ ପହଞ୍ଚିଛନ୍ତି। ଏହି ଦଳ କରୋନା ଭୂତାଣୁ ସଂକ୍ରମଣ ଉପରେ ତଦନ୍ତ କରିବେ। ଏ ବିଷୟ ନିଶ୍ଚିତ କରି ଡବ୍ଲ୍ୟୁଏଚ୍‍ଓ ମୁଖ୍ୟ ଟେଡ୍ରୋସ୍‍ ଅଧନମ୍‍ ଘେବ୍ରେୟେସସ୍‍ କହିଛନ୍ତି ଡକ୍ଟର ବ୍ରୁସ୍‍ ଐଲ୍‍ୱାର୍ଡ ଏହି ବିଶେଷଜ୍ଞ ଦଳର ନେତୃତ୍ୱ ନେଉଛନ୍ତି। ଚୀନରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ସୋମବାର ସୁଦ୍ଧା ୧ ହଜାର ୧୮ରେ ପହଞ୍ଚିଛି। ଏଥି ସହିତ ୪୩ହଜାର ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ନିଶ୍ଚିତ କରାଯାଇଛି।

କେବଳ ହୁବେଇ ପ୍ରଦଶେରୁ ସଂକ୍ରମଣରେ ୯୭୪ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ଚୀନ୍‍ ରାଷ୍ଟ୍ରପତି ସି. ଜିନ୍‍ ପିଙ୍ଗ ଭୂତାଣୁ ସଂକ୍ରମଣ ପରଠାରୁ ପ୍ରଥମ ଥର ପାଇଁ ଗତକାଲି ଟେଲିଭିଜନରେ ଦେଖିବାକୁ ମିଳିଥିଲେ। ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ନିୟୋଜିତ କର୍ମୀମାନଙ୍କର କାର୍ଯ୍ୟ ଶୈଳୀକୁ ସେ ଦେଖିଥିଲେ ଓ କିଛି ସ୍ଥାନୀୟ ହସ୍ପିଟାଲକୁ ଯାଇ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ଦେଖିଥିଲେ।

ଡବ୍ଲ୍ୟୁଏଚ୍‍ଓ ମୁଖ୍ୟ ଟେଡ୍ରୋସ୍‍ ଅଧନମ୍‍ ଘେବ୍ରେୟେସସ୍‍ କହିଛନ୍ତି, ସାରା ବିଶ୍ୱ ପାଇଁ ଏହି ଭୁତାଣୁ ସଂକ୍ରମଣ ବିପଦ ସୃଷ୍ଟି କରିଛି। ଚୀନ ପାଇଁ କରୋନା ଭାଇରସ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଭୟର ବାତାବରଣରେ ବିଶ୍ୱବାସୀ ଅଛନ୍ତି ବୋଲି ସେ କହିଛନ୍ତି।

Comments are closed.