‘ହୁ’ର ଉଦବେଗ: ଆତ୍ମହତ୍ୟା ମୁହାଁ ହେଉଛି ବିଶ୍ୱ, ଶହେରୁ ଜଣେ କରୁଛନ୍ତି ଆତ୍ମହତ୍ୟା

ବିଶ୍ୱରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏକ ସଦ୍ୟ ଆକଳନ ଅନୁଯାୟୀ, ବିଶ୍ୱରେ ଏଚ୍‌ଆଇଭି, ମ୍ୟାଲେରିଆ, ସ୍ତନ କର୍କଟ, ଯୁଦ୍ଧ ଏବଂ ହତ୍ୟା ଜନିତ ମୃତ୍ୟୁ ସଂଖ୍ୟାଠାରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱରେ ପ୍ରତି ଶହେ ଜଣଙ୍କ ମଧ୍ୟରେ ଜଣେ ଆତ୍ମହତ୍ୟା କରୁଛନ୍ତି। ୨୦୩୦ ସୁଦ୍ଧା ଆତ୍ମହତ୍ୟା ହାରକୁ ଏକ ତୃତୀୟାଂଶ ହ୍ରାସ କରିବା ଲକ୍ଷ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – ‘ହୁ’ ପରାମର୍ଶବଳୀ ଜାରି କରିଛି।

‘ହୁ’ର ସର୍ବଶେଷ ଆକଳନ ଅନୁଯାୟୀ, ୨୦୧୯ରେ ସାରା ବିଶ୍ୱରେ ଆତ୍ମହତ୍ୟା ଶୀର୍ଷକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଆତ୍ମହତ୍ୟା ସାରା ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣ ଅଟେ। ୨୦୧୯ରେ ୭ ଲକ୍ଷରୁ ଅଧିକ ଲୋକ ସାରା ବିଶ୍ୱରେ ଆତ୍ମହତ୍ୟା କରିଛନ୍ତି। ଏହି ଆତ୍ମହତ୍ୟା ପ୍ରବଣତା କିଭଳି ହ୍ରାସ କରାଯାଇ ପାରିବ ଓ ଦେଶଗୁଡିକ ଏ କ୍ଷେତ୍ରରେ କେଉଁଭଳି ଆଭିମୁଖ୍ୟ ଗ୍ରହଣ କରିବେ, ସେ ନେଇ ‘ହୁ’ ନୂତନ ମାର୍ଗଦର୍ଶନ ପ୍ରସ୍ତୁତ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡଃ ଟେଡ୍ରୋସ ଆଧନମ ଗେବ୍ରିସସ କହିଛନ୍ତି ଯେ ଆମେ ଆତ୍ମହତ୍ୟାକୁ ଅଣଦେଖା କରିପାରିବୁ ନାହିଁ। ପ୍ରତ୍ୟେକେ ଆତ୍ମହତ୍ୟା ଆମ ପାଇଁ ଏକ ଦୁଖଦଃ ଘଟଣା। ସେ କହିଛନ୍ତି, ଆତ୍ମହତ୍ୟାକୁ ରୋକିବା ପାଇଁ ଆମର ଧ୍ୟାନ ବର୍ତ୍ତମାନ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏବେ କରୋନା ମହାମାରୀ ଯୋଗୁ ଜୀବନଯାପନ କରିବା କେତେକ କ୍ଷେତ୍ରରେ ଏକ ପ୍ରକାର କଷ୍ଟସାଧ୍ୟ ହେଉଥିବାରୁ ଚାକିରି ହରାଇବା, ଆର୍ଥିକ ଚାପ ଏବଂ ସାମାଜିକ ବିଚ୍ଛିନ୍ନତା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରୁଛି। ରିପୋର୍ଟ ମୁତାବକ, ୧୫ରୁ ୨୯ ବର୍ଷ ବୟସର ଯୁବକମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଦୁର୍ଘଟଣା, ଯକ୍ଷ୍ମା ଏବଂ ପାରସ୍ପରିକ ହିଂସା ପରେ ଆତ୍ମହତ୍ୟା ଏବେ ମୃତ୍ୟୁର ଚତୁର୍ଥ ପ୍ରମୁଖ କାରଣ ପାଲଟି ଥିବା ରିପୋର୍ଟରେ ପ୍ରକାଶ ପାଇଛି।

ପ୍ରତି ୪୦ ସେକେଣ୍ଡରେ ଯାଉଛି ଗୋଟିଏ ଜୀବନ
ପ୍ରତ୍ୟେକ ବର୍ଷ ପ୍ରାୟ ସାରା ବିଶ୍ୱରେ ୭ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଥିବା ବେଳେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣାଉଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଥିବା ବେଳେ ସେହି ସମୟ ମଧ୍ୟରେ ଅନ୍ୟ ୨୦ ଜଣ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ରିପୋର୍ଟ ମୁତାବକ, ନିମ୍ନ ଓ ମାଧ୍ୟମ ଆୟକାରୀ ଦେଶଗୁଡିକରେ ୭୭ ପ୍ରତିଶତ ଆତ୍ମହତ୍ୟା ଘଟୁଥିବା ବେଳେ, ବିଶ୍ଵବ୍ୟାପୀ ୧.୩ ପ୍ରତିଶତ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କୁହାଯାଇଛି ଯାହା ବିଭିନ୍ନ କାରଣ ମଧ୍ୟରୁ ୧୭ତମ କାରଣ ଅଟେ।

ମହିଳାଙ୍କ ତୁଳନାରେ ପୁରୁଷ ଆତ୍ମହତ୍ୟା ଅଧିକ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ରିପୋର୍ଟ ଅନୁଯାୟୀ, ମହିଳାମାନଙ୍କ ତୁଳନାରେ ଆତ୍ମହତ୍ୟା କାରଣରୁ ଦୁଇଗୁଣରୁ ଅଧିକ ପୁରୁଷ ମୃତ୍ୟୁବରଣ କରୁଛନ୍ତି। ସାରା ବିଶ୍ୱରେ ୧ ଲକ୍ଷ ମହିଳା ମଧ୍ୟରେ ୫.୪% ଆତ୍ମହତ୍ୟା କରୁଥିବା ବେଳେ ୧୨.୬% ପୁରୁଷ ଆତ୍ମହତ୍ୟା କରୁଛନ୍ତି। ଉଚ୍ଚ ଆୟକାରୀ ଦେଶମାନଙ୍କରେ ୧ ଲକ୍ଷରେ ୧୬.୫ ପ୍ରତିଶତ ପୁରୁଷ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଉଥିବା ବେଳେ ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶରେ ଦେଖାଯାଏ ପ୍ରତି ୧ ଲକ୍ଷରେ ୭.୧ ପ୍ରତିଶତ ମହିଳା ଆତ୍ମହତ୍ୟା କରୁଛନ୍ତି।

ବିଶ୍ୱସ୍ତରରେ ହ୍ରାସ ପାଉଛି ଆତ୍ମହତ୍ୟା ହାର, ଆମେରିକାରେ ବୃଦ୍ଧି
୨୦୦୦ରୁ ୨୦୧୯, ୨୦ ବର୍ଷ ମଧ୍ୟରେ ବିଶ୍ୱରେ ଆତ୍ମହତ୍ୟା ୩୬% ହ୍ରାସ ପାଇଥିବା ବେଳେ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ ୧୭%, ୟୁରୋପୀୟ ଅଞ୍ଚଳରେ ୪୭% ଏବଂ ପଶ୍ଚିମ ମଧ୍ୟପ୍ରାନ୍ତ ଅଂଚଳରେ ୪୯% ହ୍ରାସ ପାଇଛି। କିନ୍ତୁ ଆମେରିକାରେ ସେହି ସମୟ ମଧ୍ୟରେ ୧୭% ଆତ୍ମହତ୍ୟା ବୃଦ୍ଧି ପାଇଛି। ବିଶ୍ୱର କେବଳ ୩୮ଟି ଦେଶରେ ଜାତୀୟ ଆତ୍ମହତ୍ୟା ରୋକିବା ନିମନ୍ତେ ସ୍ୱତନ୍ତ୍ର ରଣନୀତି ରହିଛି।

ଆତ୍ମହତ୍ୟା ରୋକିବା ଦିଗରେ ପଦକ୍ଷେପ
ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଶଗୁଡି଼କୁ କେତେକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥିପାଇଁ ୪ଟି ମୁଖ୍ୟ ରଣନୀତି କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏଥିରେ ଅତ୍ୟଧିକ ବିପଜ୍ଜନକ କୀଟନାଶକ ଏବଂ ଅସ୍ତ୍ରଶସ୍ତ୍ର ଭଳି ଆତ୍ମହତ୍ୟାର ମାଧ୍ୟମର କିଣାବିକା ଉପରେ ପ୍ରତିବନ୍ଧକ ଜାରି କରିବା, ଗଣମାଧ୍ୟମ ଦାୟିତ୍ବପୂର୍ଣ୍ଣ ଭାବେ ସମ୍ବାଦ ପରିବେଷଣ କରିବା, କିଶୋରମାନଙ୍କ ସାମାଜିକ-ଭାବପ୍ରବଣ ଜୀବନ ଶୈଳୀ ପ୍ରତି ସଚେତନ ରହିବା ଏବଂ ଆତ୍ମହତ୍ୟା ଚିନ୍ତାଧାରା ଓ ଆଚରଣ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ଶୀଘ୍ର ଚିହ୍ନଟ, ମୂଲ୍ୟାଙ୍କନ, ପରିଚାଳନା ଏବଂ ଅନୁସରଣ କରି ପଦକ୍ଷେପ ନେବା ଆଦି ଅନ୍ତର୍ଭୁକ୍ତ।

Comments are closed.