କରୋନାର ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଉଚ୍ଚ ପ୍ରଶଂସା

ଭୁବନେଶ୍ଵର : ପ୍ରାକୃତିକ ବିପର୍ଯ୍ୟୟର ଉପଯୁକ୍ତ ମୁକାବିଲା କରି ସଫଳତା ହାସଲ କରିଥିବା ଓଡ଼ିଶା ଏବେ କୋଭିଡ-୧୯ ମହାମାରୀର ସଫଳ ମୁକାବିଲା କରିବାରେ ସମର୍ଥ ହୋଇଛି। କରୋନାର ଦୃଢ଼ ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(‘ହୁ’) ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ଚଳିତ ଜୁନ୍‌ ମାସରେ ରାଜ୍ୟରେ କୋରୋନା ଆରୋଗ୍ୟ ହାର ୬୯.୪ ପ୍ରତିଶତ ଥିଲା। ଯାହା ଫଳରେ ରାଜ୍ୟ ଦେଶର ସୁସ୍ଥ ହାର ଅଧିକ ଥିବା ରାଜ୍ୟ ଗୁଡିକ ମଧରେ ସାମିଲ ହୋଇପାରିଥିଲା  ଏବେ ମଧ୍ୟ ଓଡିଶା ସଫଳ ସୁସ୍ଥ ହାର ଥିବା ଭାରତର ଅଳ୍ପ କେତେକ ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି ।

କରୋନା  ମହାମାରୀ ସଂକଟ ମଧ୍ୟରେ ବାତ୍ୟା ଅମ୍ପନ ରାଜ୍ୟକୁ ପ୍ରଭାବିତ କରିଥିବା ବେଳେ ସାମାଜିକ ଦୂରତା ବଜାୟ ରଖି ଲୋକଙ୍କୁ ସ୍ଥାନାନ୍ତର କରିବା ଥିଲା ଏକ ବଡ ଆହ୍ୱାନମୂଳକ କାର୍ଯ୍ୟ ଥିଲା । କିନ୍ତୁ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟର ପୂର୍ବ ଅଭିଜ୍ଞତା ବେଶ୍ କାମ ଦେଇଥିଲା । ଫଳରେ ସ୍ଥିତିକୁ ଭଲ ଭାବେ ଆୟତ୍ତ କରାଯାଇ ପାରିଥିଲା । ବିଭିନ୍ନ ପଂଚାୟତିରାଜ ସଂସ୍ଥାର ସହଯୋଗ ସହ ପ୍ରଭାବଶାଳି ସରକାରୀ ପରିଚାଳନା ଓ ଗୋଷ୍ଠୀ ଭିତ୍ତିକ ପ୍ରତିରୋଧ ପଦ୍ଧତି ଦ୍ୱାରା ଦୃଢ ଲକ୍ଷ୍ୟ ନେଇ ଓଡିଶା ସଂକ୍ରମଣକୁ  ନିୟନ୍ତ୍ରଣ କରିଛି । ବିପୁଳ ସଂଖ୍ୟାରେ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କ ପ୍ରବେଶ ସତ୍ୱେ କୋରୋନା ସଂକ୍ରମଣ ଯଥାସମ୍ଭବ କମ୍ ରଖିବା ରାଜ୍ୟର କୋଭିଡ-୧୯ ପରିଚାଳନା ରଣନୀତିର ବିଭିନ୍ନ ଦିଗନ୍ତରୁ ଗୁରୁତ୍ୱକୁ ପ୍ରତିପାଦନ କରୁଛି ।

ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଭାବେ  କୋରୋନା ମହାମାରୀ ନିୟନ୍ତ୍ରଣ ପାଇଁ କଡା ପଦକ୍ଷେପ ଗ୍ରହଣ କରିଥିଲା । ରାଜ୍ୟରେ କୌଣସି ଗୋଟିଏ କୋଭିଡ ସଂକ୍ରମଣ ମାମଲା ଆସି ନ ଥିବା ବେଳେ ମାର୍ଚ୍ଚ ୧୩ ତାରିଖରେ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସର୍ବସାଧାରଣ ସ୍ଥାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କୋରୋନା ମାମଲା ଆସିବା ପରେ ତୁରନ୍ତ ରାଜ୍ୟର ସବୁ କଂଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହୋଇଥିଲା । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ ରଖାଗଲା । ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଲୋକଙ୍କୁ ପରାମର୍ଶ ସହ ସରକାରୀ ସ୍ତରରେ ବ୍ୟାପକ ଜନସଚେତନତା ଅଭିଯାନ ଆରମ୍ଭ ହୋଇଥିଲା ।

କୋଭିଡ ମୁକାବିଲା ପାଇଁ ତ୍ୱରିତ ନିଷ୍ପତି ନେବାକୁ ରାଜ୍ୟ ସରକାର କ୍ଷମତାପନ୍ନ ମନ୍ତ୍ରୀଗୋଷ୍ଠୀ ଗଠନ କରିଥିଲେ। ସାମାଜିକ ଦୂରତା, ଦକ୍ଷତା ବିକାଶ, କୋଭିଡ଼ ନିୟନ୍ତ୍ରଣ ରଣକୌଶଳ, ଆଇସୋଲେସନ ଓ ଚିକିତ୍ସା ଏବଂ ସଚେତନତା ଅଭିଯାନ ପାଇଁ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟେକ ଟିମ୍‌ର ନେତୃତ୍ୱ ଜଣେ ଜଣେ ବରିଷ୍ଠ ସଚିବଙ୍କୁ ଦିଆଯାଇଥିଲା । ମହମାରୀ ମୁକାବିଲା ପ୍ରସ୍ତୁତି ଓ ପ୍ରତିରୋଧ ଦାୟିତ୍ୱ ଏସବୁ ଟିମ୍ ଉପରେ ନ୍ୟସ୍ତ କରାଯାଇଥିଲା ।

କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୧୦୦୦ ଶଯ୍ୟା ବିଶିଷ୍ଟ ଏକ ଉତ୍ସର୍ଗୀକୃତ ହସପିଟାଲ୍ ପ୍ରତିଷ୍ଠା କରିଥିଲା । ମାତ୍ର ଏକ ସପ୍ତାହର ରେକର୍ଡ ସମୟ ମଧ୍ୟରେ ଏହି ହସପିଟାଲ୍ ପ୍ରତିଷ୍ଠା ହୋଇଥିଲା । କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସ ଓ ସମ୍ ହସପିଟାଲ୍ ମଡେଲ୍ କୋଭିଡ ହସପିଟାଲ୍ ଭାବେ ପ୍ରତିଷ୍ଠା ହୋଇଥିଲା ବେଳେ ୩୦ଟି ଉତ୍ସର୍ଗୀକୃତ ଜିଲ୍ଲା କୋଭିଡ ହସପିଟାଲ୍ ପ୍ରତିଷ୍ଠା ହୋଇଥିଲା । ଏଥିମଧ୍ୟରୁ ୧୭ଟି ହସପିଟାଲ୍ ସରକାରୀ, ଘରୋଇ ହସପିଟାଲ୍ ଓ ଫାଇନାନନ୍ସ କର୍ପୋରେସନ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ରାଜିନାମା ଅନୁସାରେ କାର୍ଯ୍ୟକାରୀ ହୋଇଥିଲା ।

କୋଭିଡ ଚିକିତ୍ସା ପାଇଁ ରାଜ୍ୟରେ ହୋଇଥିବା ବ୍ୟବସ୍ଥାଗୁଡିକର ସ୍ୱାଧୀନ ଭାବେ ସମୀକ୍ଷା କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଂଘର ଟିମ୍ ସ୍ୱତନ୍ତ୍ର ଭାବେ ଏସବୁ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପାଇଁ କଟକ ସ୍ଥିତ ଅଶ୍ୱିନୀ ହସପିଟାଲକୁ ସ୍ୱୀକୃତି ମିଳିଥିଲା। ଚଳିତ ମେ’ ମାସ ଶେଷ ସୁଦ୍ଧା ରାଜ୍ୟରେ କୋଭିଡ ଚିକିତ୍ସା ପାଇଁ ଏକ ମଜବୁତ୍ ଭିତିଭୂମି ପ୍ରତିଷ୍ଠା ହୋଇଥିଲା। ଉତ୍ସର୍ଗୀକୃତ କୋଭିଡ ହସପିଟାଲଗୁଡିକରେ ୨୨ ହଜାର ୩୪୦ ଶଯ୍ୟା ପ୍ରସ୍ତୁତ ହୋଇଥିଲା।

ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଉଚ୍ଚ ପ୍ରଶଂସାକୁ ବିଭିନ୍ନ ମହଲରୁ ସ୍ବାତ କରାଯାଇଛି।

ସାଂସଦ ସସ୍ମିତ ପାତ୍ର ନିଜ ଟ୍ବିଟରେ  କରୋନାର ଦୃଢ଼ ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ହୁ’) ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟଠାରୁ ମହାମାରୀ ପର୍ଯ୍ୟନ୍ତ ସଙ୍କଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋଚିତ ପଦକ୍ଷେପ ଓଡ଼ିଶା ପାଇଁ ସଫଳ ସାବ୍ୟସ୍ତ ହୋଇଛି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ  ନେତୃତ୍ୱରେ ଓଡ଼ିଶାର ଦକ୍ଷ କୋଭିଡ-୧୯ ରିଚାଳନାକୁ ‘ହୁ’ ପ୍ରଶଂସା କରିବା ଅତ୍ୟନ୍ତ ଖୁସି ଓ ଗୌରବର ବିଷୟ। ପ୍ରତିଟି ଜୀବନକୁ ସୁରକ୍ଷିତ କରିବା ପାଇଁ ଓ ସରକାରଙ୍କର ସମୟୋଚିତ ପଦକ୍ଷେପ ଆଜି ଅନ୍ତର୍ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି।

ସେହିପରି ପ୍ରବାସୀଙ୍କ ସୁବ୍ୟବସ୍ଥିତ ପ୍ରତ୍ୟାବର୍ତ୍ତନ, ବୈଷୟିକ ଜ୍ଞାନକୌଶଳର ସଠିକ ପ୍ରୟୋଗ, ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଆଦି ବିଭିନ୍ନ ପଦକ୍ଷେପକୁ ‘ହୁ’ ପ୍ରଶଂସା କରିଛି।

Comments are closed.