ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ୫ ବର୍ଷରେ ୩ ଲକ୍ଷ ଜୀବନ ରକ୍ଷା ହୋଇଛି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ

0

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‍ଓ) ‘ହୁ’ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରଶଂସା କରିଛି। ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ପାଞ୍ଚ ବର୍ଷ ମଧ୍ୟରେ ୩ଲକ୍ଷ ଜୀବନ ରକ୍ଷା ହୋଇପାରିଛି ବୋଲି ‘ହୁ’ ଶୁକ୍ରବାର ପ୍ରକାଶିତ ଏହାର ରିପୋର୍ଟରେ ଦର୍ଶାଇଛି। ବିଶେଷକରି ଝାଡ଼ାବାନ୍ତି ଓ ପୁଷ୍ଟିହୀନତାଜନିତ ରୋଗ ନିରାକରଣ ଦ୍ୱାରା ଏହି ସଂଖ୍ୟକ ଜୀବନ ରକ୍ଷା ସମ୍ଭବ ହୋଇଥିବା ‘ହୁ’ ପକ୍ଷରୁ କୁହାଯାଇଛି। ଗ୍ରାମାଞ୍ଚଳ ପରିବେଶ ସ୍ୱଚ୍ଛ ରହିବା ଦ୍ୱାରା ଜୀବାଣୁ ସଂକ୍ରମଣ ହ୍ରାସ ପାଇଛି। ଏହାଛଡ଼ା ପାନୀୟ ଜଳର ମାନ ଓ ପରିଚ୍ଛନ୍ନତା ସୁଧୁରିଛି। ଅଗଷ୍ଟ ୨ତାରିଖ ସୁଦ୍ଧା ପରିଚ୍ଛନ୍ନତା ୮୯.୦୭ପ୍ରତିଶତକୁ ବୃଦ୍ଧିପାଇଛି। ମୋଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ୪୨୧ଟି ଜିଲା ସରକାରଙ୍କ ଦ୍ୱାରା ଖୋଲାରେ ମଳମୁକ୍ତ ଘୋଷଣା କରାଯାଇଛି। ଆଉ ୪.୯ଲକ୍ଷ ଗ୍ରାମ ଏହାର ଅନ୍ତର୍ଭୁକ୍ତ ହେବାକୁ ଯାଉଛି। ୭.୯କୋଟି ପାଇଖାନା ଗ୍ରାମାଞ୍ଚଳରେ ନିର୍ମିତ ହୋଇଛି। ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଅଶ୍ୱଚ୍ଛ ପରିବେଶଜନିତ ସଂକ୍ରମଣ କାରଣରୁ ଝାଡ଼ାବାନ୍ତିରେ ବାର୍ଷିକ ୧୯୯ନିୟୁତ ଜନତାଙ୍କ ମୃତ୍ୟୁ ଘଟୁଥିବାବେଳେ ଏବେ ଏହା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ୨୦୧୯ ପୂର୍ବରୁ ଏହି ଅଭିଯାନ ଶେଷ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଅଧିକ ଜୀବନ ରକ୍ଷାର ଆଶା କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏହି ରିପୋର୍ଟ ଉନ୍ମୋଚନ ପୂର୍ବକ ଉପରୋକ୍ତ ସୂଚନା ଦେଇଛନ୍ତି।

Leave A Reply