ଭାରତ ଭଳି ଦେଶ ଉପରେ ନିର୍ଭର କରୁଛି ‘କରୋନା’ର ଭବିଷ୍ୟତ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ବିଶ୍ଵରେ ମହାମାରୀ ରୂପ ନେଇସାରିଛି। ପ୍ରତିଦିନ ବିଶ୍ଵରେ ପାଖାପାଖି ୧ ହଜାର ଲୋକ ଏହି ଭୂତାଣୁ କବଳରେ ଆସି ପ୍ରାଣ ହରାଉଥିବାବେଳେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି ଭୂତାଣୁର ପ୍ରକୋପ କେତେଦିନ ରହିବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏକ ଗୁରୁତ୍ଵପୂର୍ଣ୍ଣ କଥା କହିଛି। ଡବ୍ଲ୍ୟୁଏଚଓ ନିର୍ଦେଶକ ଡା. ମାଇକେଲ ଜେ. ରାୟନ କହିଛନ୍ତି, ଭବିଷ୍ୟତରେ କରୋନା ଭୂତାଣୁର କି ପ୍ରଭାବ ରହିବ ତାହା ଭାରତ ଭଳି ବଡ଼ ଜନସଂଖ୍ୟା ଥିବା ଦେଶଗୁଡ଼ିକର ପଦକ୍ଷେପ ଉପରେ ନିର୍ଭର କରିବ।

ସେ କହିଛନ୍ତି, ଚୀନ ଭଳି ଭାରତ ବହୁତ ବଡ଼ ଜନସଂଖ୍ୟାର ଦେଶ। ତେଣୁ କରୋନା ଭୂତାଣର ଭବିଷ୍ୟତ ଏହି ଦେଶଗୁଡ଼ିକର ପଦକ୍ଷେପ ଉପରେ ନିର୍ଭର କରିବ। ଭାରତ ଜନସ୍ବାସ୍ଥ୍ୟ ସ୍ତରରେ ଆକ୍ରମଣାତ୍ମକ ନିଷ୍ପତ୍ତି ନେବା ଜାରି ରଖୁ। ଭାରତ ବସନ୍ତ ରୋଗ ଏବଂ ପୋଲିଓର ମୂଳୋତ୍ପାଟନ କ୍ଷେତ୍ରରେ ଭାରତ ସାରା ବିଶ୍ଵର ନେତୃତ୍ଵ ନେଇ ନୂଆ ବାଟ ଦେଖାଇଥିଲା। ଭାରତର ଅସମ୍ଭବ କ୍ଷମତା ରହିଛି। ସମସ୍ତ ଦେଶ ନିକଟରେ ବି ଏଭଳି ଶକ୍ତି ଅଛି। ସବୁ ଦେଶର ନାଗରିକ ଏବଂ ସମାଜକୁ ଏକାଠି କରି ଏହାର ମୁକାବିଲା କରିବା ଜରୁରୀ ବୋଲି ଡା. ରାୟନ କହିଛନ୍ତି।

Comments are closed.