ରୁତୁରାଜ ଗାଇକ୍ବାଡ କିଏ? ଯାହାର ପ୍ରଶଂସା କରୁଛନ୍ତି ଧୋନି

ନୂଆଦିଲ୍ଲୀ : ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍)ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଚେନ୍ନଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି ଅନ୍ୟତମ ଦକ୍ଷ ଯୁବ ଖେଳାଳି ରୁତୁରାଜ ଗାଇକ୍ବାଡ। ନିକଟରେ କଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ରୁତୁରାଜ। ରୁତୁରାଜଙ୍କ ଲଢୁଆ ବ୍ୟାଟିଂ ପାଇଁ ଚେନ୍ନଇ ଉକ୍ତ ମ୍ୟାଚରେ ବିଜୟୀ ହୋଇଥିଲା। କଲକାତାଠାରୁ ମ୍ୟାଚ ଜିତିବା ପରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନି କହିଛନ୍ତି ଯେ, ରୁତୁରାଜ ଗାଇକ୍ବାଡ ଜଣେ ଦକ୍ଷ କ୍ରିକେଟର। ସେ ଯଦି ପରିଶ୍ରମ କରନ୍ତି ତେବେ ଆଗାମୀ ଦିନର ଜଣେ ଭଲ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇପାରିବେ।
ରୁତୁରାଜ ଗାଇକ୍ବାଡଙ୍କ ପ୍ରଦର୍ଶନ
ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ରୁତୁରାଜ ୧୯ବର୍ଷ ବୟସରେ ଘରୋଇ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ । ୨୦୧୬-୧୭ରେ ମହାରାଷ୍ଟ୍ର ପାଇଁ ତାଙ୍କର ରଣଜୀ କ୍ୟାରିଅର୍ ଡେବ୍ୟୁ କରିଥିଲେ। ସେ ୨୦୧୯ରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଇଣ୍ଡିଆ ଏ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ତେବେ ସେ ଏହି ମ୍ୟାଚରେ ଭଲ ଖେଳିପାରିନଥିଲେ । କିନ୍ତୁ ଏହା ପରେ ସେ ନିଜ କ୍ୟାରିଅରକୁ ସଠିକ୍ ଦିଗ ଦେଇଥିଲେ।
ଅକ୍ଟୋବର ୨୦୧୮ରେ ଦେଓଧର ଟ୍ରଫିରେ ସେ ଭାରତ ବି ଦଳ ପାଇଁ ମନୋନୀତ ହୋଇଥିଲେ। ଡିସେମ୍ବର ୨୦୧୮ରେ, ଚେନ୍ନଇ ସୁପର କିଙ୍ଗ୍ସ ୨୦ଲକ୍ଷ ଟଙ୍କା ମୂଲ୍ୟରେ ଗାଇକ୍ବାଡଙ୍କୁ ଦଳରେ ସାମିଲ କରିଥିଲା। ଗାଇକ୍ବାଡ ୩୧ ଜାନୁୟାରୀ ୧୯୯୭ରେ ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଡ଼ିଆରଡ଼ିଓର ଜଣେ ଅଧିକାରୀ । ତାଙ୍କ ମା’ ଜଣେ ଶିକ୍ଷକ ଥିବା ସୂଚନା ମିଳିଛି।