ସଂକୀର୍ତ୍ତନ କଳାକାରଙ୍କୁ ଉପେକ୍ଷା ନେଇ ଅସନ୍ତୋଷ ; ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର

ଭୁବନେଶ୍ବର : ଶ୍ରୀଜୟଦେବ ସଂକୀର୍ତ୍ତନ ଯାତ୍ରା ସହ ଜଡ଼ିତ ସଙ୍ଗୀତ ଓ ନୃତ୍ୟ କଳାକାରଙ୍କର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇ ବିଗତ ଜୟନ୍ତୀ ସମାରୋହର ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଯାଇଛି। ସଭାରେ ଅଧ୍ୟକ୍ଷତା କରିଥିଲେ ନୟାଗଡ଼ର ବର୍ଷୀୟାନ ସଂକୀର୍ତ୍ତନ କଳାକାର  ମହାବୀର ପ୍ରଧାନ। ଏଥିରେ ଖୋର୍ଦ୍ଧା, ନୟାଗଡ଼, କଟକ ସଦର, ଛତିଆ ପ୍ରଭୃତି ଅଞ୍ଚଳର ବହୁ କଳାକାର ଯୋଗଦେଇ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ  ସମାଲୋଚନା କରିଥିଲେ।
ଦୀର୍ଘ ୩୨ବର୍ଷ କ୍ରମାଗତ ଭାବରେ ସଂକୀର୍ତ୍ତନ ସହ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରିଆସୁଥିବା ସଂକୀର୍ତ୍ତନ କଳାକାରଙ୍କୁ କିପରି କାର୍ଯ୍ୟରୁ ବାଦ୍‌ ଦିଆଗଲା ତା’ର ସ୍ପଷ୍ଟୀକରଣ ସେମାନେ ସରକାରଙ୍କଠାରୁ ଜାଣିବା ନିମନ୍ତେ ମତପ୍ରକାଶ ପାଇଥିଲା। ଏ ଦିଗରେ ମତ ପ୍ରକାଶ ପାଇଥିଲା ଯେ ସଂସ୍କୃତି ବିଭାଗର କେତେକ କର୍ମଚାରୀଙ୍କ ପ୍ରଚ୍ଛନ୍ନ ମନ୍ଦ ମନୋଭାବ ଯୋଗୁଁ ହିଁ ସଂକୀର୍ତ୍ତନ ସହ ଅନ୍ୟ କଳାକାରଙ୍କର ଏଥିପ୍ରତି ଉତ୍ସାହ କମିଯାଉଛି।  ଏ ସମ୍ପର୍କରେ ବିଭିନ୍ନ କଳାକାରଙ୍କୁ ଏକଜୁଟ କରି ସେମାନଙ୍କ ମତାମତକୁ ନେଇ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ବୋଲି ସଭାରେ ନିଷ୍ପତ୍ତି ନିଆଗଲା। ଏହାର ଏକକିତା ନକଲ  ବିରୋଧୀ ଦଳର ନେତାଙ୍କ ଅବଗତି ନିମନ୍ତେ ପଠାଯିବ ବୋଲି ସ୍ଥିର ହେଲା। ଏହିଭଳି କାର୍ଯ୍ୟ ସହିତ ଯେଉଁ କର୍ମଚାରୀମାନେ ଜଡ଼ିତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ସରକାର ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ମତ ପ୍ରକାଶ ପାଇଲା। ଆବଶ୍ୟକ ହେଲେ ଅଦାଲତର ଆଶ୍ରୟ ନେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସଭାରେ ଉପସ୍ଥିତ ଥିବା ହାଇକୋର୍ଟର ଆଡ଼ଭୋକେଟ  ନିରଞ୍ଜନ ମହାରଣାଙ୍କୁ ପରିସ୍ଥିତିର ସମୀକ୍ଷା କରିବାକୁ ଅନୁରୋଧ କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଛି। ଆସନ୍ତା ଜୁନ୍‌  ୧୫ ପୂର୍ବରୁ ପୁନର୍ବାର ବୈଠକ ବସି ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ପାଇଁ ସ୍ଥିର  ହୋଇଛି।

Comments are closed.