‘ହୁ ଫାଉଣ୍ଡେସନ୍’ର ପ୍ରଥମ ମୁଖ୍ୟ ଅନିଲ ସୋନି

ନ୍ୟୁୟର୍କ : ଭାରତୀୟ ବଂଶୋଦ୍ଭବ ଅନିଲ ସୋନି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଫାଉଣ୍ଡେସନର ପ୍ରଥମ ମୁଖ୍ୟ ବା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ‘ହୁ’ ପକ୍ଷରୁ ଗତ ମେ ମାସରେ ଗଠିତ ଏହି ଫାଉଣ୍ଡେସନ୍‌ ସମଗ୍ର ବିଶ୍ବରେ ଉପୁଜୁଥିବା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଉଦ୍ଦିଷ୍ଟ। ଏହାର ମୁଖ୍ୟାଳୟ ଜେନିଭାରେ ଅବସ୍ଥିତ। ସୋନି ଆସନ୍ତା ଜାନୁଆରୀ ୧ରୁ ନୂଆ ଦାୟିତ୍ବ ଗ୍ରହଣ କରିବେ। ଡାକ୍ତର ସୋନି ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ଭାବେ ବିଶ୍ବବିଦିତ। ନୂଆ ଭୂମିକାରେ ସେ ନିଜର ଅଭିଜ୍ଞତାକୁ ଉପଯୋଗ କରିବେ ବୋଲି ‘ହୁ’ ପକ୍ଷରୁ କୁହାଯାଇଛି। ‘ହୁ’ ମହାନିର୍ଦେଶକ ଡାକ୍ତର ଟେଡ୍‌ରୋସ୍‌ ଅଧାନୋମ୍ ଘେବ୍ରେୟେସ୍‌ସ୍‌’ ସୋନିଙ୍କୁ ସ୍ବାସ୍ଥ୍ୟ ଜଗତର ଜଣେ ‘ଲବ୍ଧପ୍ରତିଷ୍ଠ ଉଦ୍ଭାବକ’ ବୋଲି କହିଛନ୍ତି। ଅତ୍ୟାଧୁନିକ ପ୍ରଣାଳୀରେ ସେ ଫାଉଣ୍ଡେସନ୍‌ର କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବା ସହ ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା କରିବେ ବୋଲି ‘ଫାଉଣ୍ଡେସନ୍‌’ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।

ଡାକ୍ତର ସୋନି ପୂର୍ବରୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ସଂସ୍ଥା ‘ଭାୟାଟ୍ରିସ୍‌’ରେ ‘ଗ୍ଲୋବାଲ୍ ଇନ୍‌ଫେକ୍ସିଅସ୍‌ ଡିଜିଜ୍’ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଏଚ୍‌ଆଇଭି-ଏଡ୍‌ସ୍‌ ଓ ସେଭଳି ସଂକ୍ରାମକ ରୋଗରେ ଆକ୍ରାନ୍ତଙ୍କ ସେବା କ୍ଷେତ୍ରରେ ସେ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି। ନୂଆ ନିଯୁକ୍ତି ପରେ ସୋନି କହିଛନ୍ତି ଯେ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ସମଗ୍ର ବିଶ୍ବ ବର୍ତ୍ତମାନ ଜଟିଳ ସମୟ ଦେଇ ଗତି କରୁଛି। ଏହାର ମୁକାବିଲା ବଡ଼ କଠିନ। କରୋନା ମହାମାରୀ ସହ ଦୀର୍ଘ ସଂଗ୍ରାମ ପରେ ଟିକା ଉଦ୍‌ଭାବନ ଯୋଗୁଁ ଏବେ ଆଶାର ସଞ୍ଚାର ହୋଇଛି। ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଥୋମାସ ଜେଲ୍‌ଟନର କହିଛନ୍ତି ଯେ ବିଭିନ୍ନ ସରକାରୀ ଓ ଘରୋଇ କ୍ଷେତ୍ର ସହିତ ସହଭାଗିତାରେ ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା କ୍ଷେତ୍ରରେ ସୋନି ଅତୁଳନୀୟ।

Comments are closed.