କୋଭିଡ-୧୯ର ଉତ୍ପତି ତଥ୍ୟ ଜାଣିବା ପାଇଁ ‘ହୁ’ର ବୈଜ୍ଞାନିକ ପରାମର୍ଶଦାତା ଗୋଷ୍ଠୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ‘ହୁ’କୋଭିଡ-୧୯ର ଉତ୍ପତି ଓ ଭବିଷ୍ୟତରେ ଏହାର ସଂକ୍ରମଣ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଏକ ବୈଜ୍ଞାନିକ ପରାମର୍ଶଦାତା ଗୋଷ୍ଠୀ ଗଠନ କରିବାକୁ ଘୋଷଣା କରିଛି । ‘ହୁ’ର ବୈଜ୍ଞାନିକ ପରାମର୍ଶଦାତା କମିଟିରେ ଆମେରିକାର ୨୬ଜଣ ବୈଜ୍ଞାନିକ ସମେତ ଚୀନ ଓ ବିଭିନ୍ନ ଦେଶର ଗବେଷକମାନେ ସାମିଲ ହୋଇ ନୋଭେଲ କରୋନା ଭୂତାଣୁ ସମ୍ବନ୍ଧରେ ତଥ୍ୟ ହାସଲ କରିବେ ।

ଏହି ଗୋଷ୍ଠୀ ମଧ୍ୟ ଭବିଷ୍ୟତର ବିଶ୍ୱ ମହାମାରୀକୁ ମୁକାବିଲା କରିବା ପାଇଁ କାର୍ଯ୍ୟଖସଡା  ପ୍ରସ୍ତୁତ କରିବେ। ‘ହୁ’ର କୋଭିଡ-୧୯ ବୈଷୟିକ ମୁଖ୍ୟ ମାରିଆ ଭ୍ୟାନ କେରକୋଭ୍‍, ଭବିଷ୍ୟତରେ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ନେତୃତ୍ୱରେ ଚୀନ ସହାୟତାରେ କୋଭିଡ-୧୯ ସମ୍ବନ୍ଧିତ ଗବେଷଣାକୁ ଆଗେଇ ନେବା ପାଇଁ ଆନ୍ତର୍ଜାତିକ ମିଶନ କାର୍ଯ୍ୟ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ‘ହୁ’ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରର୍ସ ଆଧାନମ୍‍ ଘେବ୍ରିୟେସସ୍‍ କହିଛନ୍ତି, ଭବିଷ୍ୟତରେ ନୂତନ ଭୂତାଣୁ ସଂକ୍ରମଣ ଜନିତ ମହାମାରୀକୁ ଏଡାଇ ଦିଆଯାଇପାରିବ ନାହିଁ । ସାର୍ସ-କୋଭ୍‍-ଟୁ ଭୂତାଣୁର ଉଦାହରଣ ଦେଇ ସେ କହିଛନ୍ତି ଏହା କୋଭିଡ-୧୯ର ଏକ ପରିବର୍ତ୍ତିତ ରୂପ ଏବଂ ଏହା ମଧ୍ୟ ଶେଷ ରୂପ ନୁହଁ ।

Comments are closed.