୧୭ ଦେଶରେ ‘କରୋନା’: ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଡବ୍ଲ୍ୟୁଏଚ୍‌ଓ

୨୧୩ ମୃତ, ୧୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଭୟଙ୍କର ‘କରୋନା’ ଭାଇରସ୍‌ ବିଶ୍ଵର ୧୭ ଦେଶରେ ପହଞ୍ଚିଛି। ଭାରତ, ନେପାଳ, ତିବ୍ଦତ, କମ୍ବୋଡିଆ ଏବଂ ଶ୍ରୀଲଙ୍କାରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏଭଳି ସ୍ଥିତିରେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଗ୍ଲୋବାଲ ଏମର୍ଜେନ୍ସୀ ବା ଅନ୍ତର୍ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛି। ସମସ୍ତ ଦେଶ ଏକତ୍ର ହୋଇ ଏହି ଭୂତାଣୁର ମୁକାବିଲା କରିବା ଲାଗି ଡବ୍ଲ୍ୟୁଏଚଓ ପରାମର୍ଶ ଦେଇଛି। ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଭୂତାଣୁ ଯୋଗୁ ୨୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ବିଶ୍ଵରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି।

ଅନ୍ୟପଟେ ଡବ୍ଲ୍ୟୁଏଚଓ ସମସ୍ତ ଦେଶର ସରକାରଙ୍କୁ ପରାମର୍ଶ ଦେଇଥିଲା ଯେ, ସବୁ ଲୋକ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଯଦି କେହି ନିଃଶ୍ଵାସପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, କାଶ ହେଉଛି ଅଥବା ଏଭଳି ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀ ମାସ୍କ ପିନ୍ଧନ୍ତୁ ବୋଲି ଡବ୍ଲ୍ୟୁଏଚଓ ପରାମର୍ଶ ଦେଇଛି। ଯେଉଁମାନଙ୍କର ଶ୍ଵାସକ୍ରିୟା ଜନିତ ସମସ୍ୟା ନାହିଁ, ସେମାନଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ।

ସେପଟେ ଚୀନର ଉହାନରେ ଫଶିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଛି। ଶୁକ୍ରବାର ସରକାର ୨ଟି ସ୍ବତନ୍ତ୍ର ବିମାନ ଉହାନ ପଠାଇବେ। ସେଠାରେ ଭାରତୀୟମାନଙ୍କୁ ଯାଞ୍ଚ କରାଯାଇ ବିମାନରେ ଅଣାଯିବା ପରେ  ଏଠାରେ ଆଇଶୋଲେଶନରେ ରଖି ନିରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.