ନୂଆ ପ୍ରକରଣ ପାଇଁ ନୂଆ ଟିକା ଆବଶ୍ୟକ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କୋଭିଡ-୧୯ର ସାଂପ୍ରତିକ ଟିକାର ବୁଷ୍ଟର ପାନ ପର୍ଯ୍ୟାପ୍ତ ନୁହେଁ

ଜେନେଭା: କୋଭିଡ-୧୯ ମହାମାରୀ ସଂପ୍ରତି ଯେଉଁଭଳି ଭାବରେ ବିଶ୍ୱକୁ ଗ୍ରାସ କରୁଛି, ସେଥିପାଇଁ ରହିଥିବା କୋଭିଡ ଟିକାର ବୁଷ୍ଟର ପାନ ପର୍ଯ୍ୟାପ୍ତ ହେବନାହିଁ । କୋଭିଡର ଦିନକୁ ଦିନ ଦେଖାଯାଉଥିବା ନୂଆ ପ୍ରକରଣ ପାଇଁ ନୂଆ ଟିକା ବିକଶିତ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ସଂଗଠନର ୧୮ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ଟିକା ଉତ୍ତସ୍ତରର ସୁରକ୍ଷା ପ୍ରଦାନ କରୁଥିବା ଏବଂ କୋଭିଡର ଚିନ୍ତାଜନକ ପ୍ରକରଣ କ୍ଷେତ୍ରରେ ମୃତ୍ୟୁହାର ହ୍ରାସ କରୁଥିବା ସତ୍ୱେ ଭବିଷ୍ୟତର ସଂକ୍ରମଣକୁ ରୋକିବା ନିମନ୍ତେ ନୂଆ ଟିକା ବିକଶିତ କରାଯିବାର ଆବଶ୍ୟକତା ରହିଛି । ସଂପ୍ରତି ଦିଆଯାଉଥିବା ଟିକାର ଉନ୍ନତିକରଣ କରାଯାଇ ତାହା ଯେଭଳି ନୂଆ ପ୍ରକରଣଗୁଡିକର ମୁକାବିଲା କରିପାରିବ, ସେଥିପାଇଁ ଗବେଷଣା ଆବଶ୍ୟକ ବୋଲି ହୁ’ ପକ୍ଷରୁ କୁହାଯାଇଛି । ସଂପ୍ରତି ଓମିକ୍ରନ ପ୍ରକରଣ ଯେଉଁଭଳି ଭାବରେ ବ୍ୟାପୁଛି ତାହାର ମୁକାବିଲା ନିମନ୍ତେ ବିଶ୍ୱର ସମସ୍ତ ରାଷ୍ଟ୍ର ନିକଟରେ ଯେଭଳି ଟିକା ପ୍ରଚୁର ପରିମାଣରେ ଉପଲବ୍ଧ ହେବ, ତାହା ଉପରେ ଏହି ଗୋଷ୍ଠୀ ଗୁରୁତ୍ୱ ଦେଇଛି । ଏହା କହିଛି ଯେ ଓମିକ୍ରନ ପ୍ରକରଣ ରୋଗ ପ୍ରତିରୋଧ କ୍ଷମତାକୁ ଏଡାଇ ସଂକ୍ରମିତ କରୁଥିଲେ ମଧ୍ୟ ଏହା କମ୍‍ ଘାତକ ହେଉଥିବା ଲକ୍ଷ୍ୟ କରାଯାଇଛି । ଇତିମଧ୍ୟରେ କୋଭିଡର ଆଲପା, ବେଟା, ଗାମା, ଡେଲଟା ଏବଂ ଓମିକ୍ରନ ଆଦି ପାଞ୍ଚଟି ପ୍ରକରଣ ସୃଷ୍ଟି ହୋଇସାରିଥିବା ଏହି ବୈଷୟିକ ଗୋଷ୍ଠୀ ପ୍ରକାଶ କରିଛି । ଏହାର ସଂକ୍ରମଣକୁ ଲକ୍ଷ୍ୟକଲେ ଓମିକ୍ରନ ଶେଷ ପ୍ରକରଣ ବୋଲି କୁହାଯାଇପାରିବ ନାହିଁ ଏବଂ ଭବିଷ୍ୟତରେ ନୂଆ ପ୍ରକରଣ ଆସିବା ନେଇ ବୈଷୟିକ ଗୋଷ୍ଠୀ ଆଶଙ୍କା ପ୍ରକାଶ କରିଛି ।

Comments are closed.