ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଫେରିଲା ଆମେରିକା

ୱାଶିଂଟନ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ଜୋ ବାଇଡେନ୍‌ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ନିଜ ଦେଶକୁ ପୁନର୍ବାର ଅନ୍ତର୍ଭୁକ୍ତ କରିଛନ୍ତି। ଏ ସମ୍ପର୍କରେ ବାଇଡେନ୍‌ ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରସ୍‌ଙ୍କୁ ପତ୍ରଲେଖି ଅବଗତ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଆମେରିକା ପୂର୍ବରୁ ଯେମିତି ପାଣ୍ଠି ଯୋଗାଉଥିଲା ତାହା ପୁନର୍ବାର କାର୍ୟ୍ୟକାରୀ କରିବ ବୋଲି ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଗତ ବର୍ଷ କରୋନା ମହାମାରୀ ମୁକାବିଲାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚୀନ ପ୍ରତି ପକ୍ଷପାତ ନୀତିକୁ ବିରୋଧ କରି ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଗଠନରୁ ଓହରି ଆସିବା ସହ ପାଣ୍ଠିଯୋଗାଣ ବନ୍ଦ କରିଦେଇଥିଲେ। ଟ୍ରମ୍ପଙ୍କର ଏହି ନିଷ୍ପତ୍ତିିକୁ ବାଇଡେନ୍‌ ରଦ୍ଦ କରିଛନ୍ତି।

ବାଇଡେନଙ୍କ ଚିଠିର ଉତ୍ତର ଦେଇ ଗୁଟେରସ୍ ଆମେରିକାର ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଆମେରିକା ପ୍ରତି ବର୍ଷ ପ୍ରାୟ ୪୫୦ ନିୟୁତ ଡଲାର୍‌ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ଅନ୍ୟ ଏକ ନିଷ୍ପତ୍ତିକ୍ରମେ ବାଇଡେନ୍‌ ପ୍ୟାରିସ୍‌ ଜଳବାୟୁ ରାଜିନାମାରେ ପୁନଃ ସାମିଲ ହେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି; ଯାହାକୁ ବିଭିନ୍ନ ମହଲ ସ୍ବାଗତ କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପ୍ରଥମ ପଦକ୍ଷେପ ସ୍ବରୂପ ଏହି ରାଜିନାମାରୁ ଓହରି ଯିବା ପାଇଁ ଘୋଷଣା କରିଥିଲେ।

Comments are closed.